Latest Odisha News

BREAKING NEWS

ବଡ଼ ଖବର :୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଆଗରେ ନରମିଲେ କେନ୍ଦ୍ର ସରକାର । ବିବାଦୀୟ କୃଷି ଆଇନକୁ ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ କୃଷି ଆଇନର ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଉଛନ୍ତି । ସେ ଯାହା କରୁଛନ୍ତି ଦେଶବାସୀଙ୍କ କଲ୍ୟାଣ ପାଇଁ କରୁଛନ୍ତି । ଆସନ୍ତା ସଂସଦ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆନ୍ଦୋଳନରତ କୃଷକଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ ଅନୁରୋଧ କରିଛନ୍ତି । କିଛି ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଶହେରୁ ୮୦ ଜଣ ହେଉଛନ୍ତି କ୍ଷୁଦ୍ର ଚାଷୀ । ଦେଶରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ । ସେମାନଙ୍କର ସମସ୍ୟା ସମାଧାନ କରିବା ତାଙ୍କ ସରକାରର ଲକ୍ଷ୍ୟ । କୃଷି କ୍ଷେତ୍ରରେ ସୁଧାର ପାଇଁ ତିନିଟି ଆଇନ ଆଣିଥିଲେ । ଏହାଦ୍ୱାରା କ୍ଷୁଦ୍ର ଚାଷୀ ଉପକୃତ ହୋଇଥାଆନ୍ତେ । ତାଙ୍କ ସରକାର ସବୁବେଳେ କୃଷକ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି ।

କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନକୁ ନେଇ ଦେଶରେ ତମ୍ବି ତଫାନ ଦେଖାଦେଇଥିଲା । ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଦେଶର ଅନ୍ନଦାତା । ମାସ ମାସ ଧରି ଆନ୍ଦୋଳନ ଚଳାଇ ଆସିଛନ୍ତି  । ନୂଆ କୃଷି ଆଇନ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପର୍ୟ୍ୟାୟରେ ବହୁ ଆଲୋଚନା ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ଷ ବାହାରି ନଥିଲା । କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଜିଦରେ ଅଡି ବସିଥିଲେ ଚାଷୀ । ଶେଷରେ ସେମାନଙ୍କ ଆନ୍ଦୋଳନ ଆଗରେ ସରକାର ମୁଣ୍ଡ ନୁଆଁଇଛନ୍ତି । ୩ଟି ଯାକ ଆଇନ୍ ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.