Latest Odisha News

BREAKING NEWS

ପଶୁଙ୍କ ପାଇଁ ଆସିବ ହୋମିଓପାଥି; ଓୟୁଏଟି-ସିସିଆରଏଚ ପ୍ରୟାସରେ ୩ ଗବେଷଣା ପ୍ରକଳ୍ପକୁ ଅନୁମତି

ଭୁବନେଶ୍ୱର:ମହଙ୍ଗା ଏଲୋପାଥି ବଦଳରେ ପଶୁ ଚିକିତ୍ସା କ୍ଷେତ୍ରରେ ଶସ୍ତା ଓ ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ହୋମିଓପାଥିର ପ୍ରୟୋଗ ଲାଗି ଆରମ୍ଭ ହୋଇଛି ପ୍ରୟାସ । ଓୟୁଏଟି ଏବଂ ନୂଆଦିଲ୍ଲୀର କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ (ସିସିଆରଏଚ) ମିଳିତ ପ୍ରୟାସରେ ୨୦୨୬– ୨୭ ଆର୍ଥିକ ବର୍ଷ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଗବେଷଣା ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରଥମେ କୁକୁଡ଼ା, ପରେ ଗାଈ ଓ କୁକୁରଙ୍କ ଚିକିତ୍ସା ଓ ନିଦାନ ପାଇଁ ହୋମିଓପାଥି ପ୍ରଣାଳୀ ଉପରେ ଅନୁଧ୍ୟାନ କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ଆଗାମୀ ୩ ବର୍ଷ ଯାଏଁ ନିରନ୍ତର ଗବେଷଣା ଚାଲିବ ।

ପ୍ରଥମ ପ୍ରକଳ୍ପରେ କୁକୁଡ଼ାଙ୍କ ମଧ୍ୟରେ ବ୍ୟାପକ ଭାବେ ଦେଖାଯାଉଥିବା ନ୍ୟୁ କାସଲ୍‌ ରୋଗ ନିୟନ୍ତ୍ରଣ ପାଇଁ ମହାବିଦ୍ୟାଳୟର ଭେଟେର୍ନାରୀ ଫାର୍ମାକୋଲୋଜି ଆଣ୍ଡ ଟକ୍ସିକୋଲୋଜୀ ବିଭାଗ ଦ୍ୱାରା ହୋମିଓପଓଥି ଚିକିତ୍ସା ପ୍ରଣାଳୀର କାର୍ଯ୍ୟକ୍ଷମତା ଅଧ୍ୟୟନ କରାଯିବ । ଏହି ରୋଗ କୁକୁଡ଼ା ଚାଷ କ୍ଷେତ୍ରରେ ଅର୍ଥନୈତିକ କ୍ଷତିର ମୁଖ୍ୟ କାରଣ ହୋଇଥିବାରୁ, ଏହାର ନିୟନ୍ତ୍ରଣ ପାଇଁ ଶସ୍ତା ଓ ସୁରକ୍ଷିତ ବିକଳ୍ପ ଚିକିତ୍ସା ଉନ୍ନୟନ ଉପରେ ଗୁରୁତ୍ୱ ଦିଆଯାଇଛି । ଦ୍ୱିତୀୟ ପ୍ରକଳ୍ପ ମାଧ୍ୟମରେ ଗାଈଙ୍କର ବନ୍ଧ୍ୟାଦୋଷକୁ ହୋମିଓପାଥିର ସହାୟତାରେ ଦୂର କରିବା ପାଇଁ ଅଧ୍ୟୟନ କରାଯିବ । ଏଥିପାଇଁ ମହାବିଦ୍ୟାଳୟର ଆନିମଲ୍‌ ରିପ୍ରଡକ୍ସନ, ଗାଏନାକଲୋଜି ଆଣ୍ଡ ଅବଷ୍ଟେରିକ୍ସ ବିଭାଗର ବୈଜ୍ଞାନିକମାନେ ଗବେଷଣା କରିବେ ।

ତୃତୀୟ ପ୍ରକଳ୍ପରେ କୁକୁରଙ୍କ ମାମାଲ ଗ୍ଲାଣ୍ଡରେ ହେଉଥିବା ମାମାରୀ ଟ୍ୟୁମର ଉପରେ ଗବେଷଣା କରାଯିବ । ଏହି ଗବେଷଣା ଆଧାରରେ କୁକୁରଙ୍କୁ ହେଉଥିବା କ୍ୟାନ୍‌ସର ଚିକିତ୍ସାର ସମାଧାନ ସହ ଏଲୋପାଥି, ଆଣ୍ଟିବାୟୋଟିକ, ହର୍ମୋନର ପ୍ରୟାଗକୁ ହ୍ରାସ କରିବ । ଏହି ପ୍ରକଳ୍ପଗୁଡ଼ିକ ପଶୁ ଚିକିତ୍ସା କ୍ଷେତ୍ରରେ ନୂତନ ପଦ୍ଧତି ଉଦ୍ଭାବନ କରିବା ସହ ଚାଷୀ ଓ ପଶୁପାଳକଙ୍କୁ ବ୍ୟବହାରିକ ଲାଭ ଯୋଗାଇବାକୁ ଲକ୍ଷ୍ୟ ରଖିଛି ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ।

ହୋମିଓପଓଥି ଔଷଧ ଶସ୍ତା ହୋଇଥିବା ବେଳେ ଏହାର ପାର୍ଶ୍ବ ପ୍ରତିକ୍ରିୟା ନାହିଁ ଓ ଏହାକୁ ପ୍ରୟୋଗ ମଧ୍ୟ ଜଣେ ଚାଷୀ ବିନା ଡାକ୍ତର ସହାୟତାରେ ନିଜେ କରିପାରିବ । ଏହା ପଶୁପାଳନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ବୋଲି କୁଳପତି ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.