Latest Odisha News

ରାମସାର ସାଇଟରେ ସାମିଲ ହେଲେ ଓଡ଼ିଶାର ତିନି ସ୍ଥାନ

ଭୁବନେଶ୍ୱର: ଓଡ଼ିଶାର ଆଉ ତିନୋଟି ବୃହତ ଜଳାଶୟ (ଓ୍ୱେଟଲ୍ୟାଣ୍ଡ) ରାମସାର ସାଇଟ ତାଲିକାରେ ଯୋଡ଼ି ହୋଇଛି । ସମ୍ବଲପୁରର ହୀରକୁଦ ଡ୍ୟାମ, ଗଞ୍ଜାମର ତାମ୍ପରା ହ୍ରଦ ଏବଂ କଟକର ବାଙ୍କୀ ସ୍ଥିତ ଅଂଶୁପା ହ୍ରଦକୁ ରାମସାର ସାଇଟରେ ଯୋଡ଼ା ଯାଇଛି ।

ଏନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସଦ୍ୟ ପ୍ରକାଶିତ ତାଲିକାରେ ୧୧ଟି ସ୍ଥାନକୁ ସାମିଲ କରାଯାଇଛି । ଏଥିରେ ଓଡ଼ିଶାର ଏହି ତିନୋଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଅର୍ନ୍ତଭୁକ୍ତ । ଏହି ୧୧ଟି କୁ ମିଶାଇ ଭାରତରେ ମୋଟ୍ ୭୫ଟି ସ୍ଥାନ ରାମସାର ସାଇଟ ଭାବରେ ଚିହ୍ନଟ କରାଯାଇଛି । ପୂର୍ବରୁ ଓଡ଼ିଶାର ସାତକୋଶିଆ ଗଣ୍ଡ ରାମସାର ସାଇଟରେ ସାମିଲ ହୋଇଥିଲା ।

ଓ୍ୱେଟଲ୍ୟାଣ୍ଡ ବା ବୃହତ ଜଳାଶୟ ଗୁଡ଼ିକୁ ନେଇ ରାମସାର ଓ୍ୱେଟଲାଣ୍ଡ ସାଇଟ କନଭେନସନ ଗଠିତ ହୋଇଛି । ଇରାନର କାସ୍ପିଆନ ସାଗର ଠାରୁ ୧୯୭୧ ମସିହାରେ ଏହି ଚୁକ୍ତି ବା କନଭେନସନ ଗଠନ କରାଯାଇଥିଲା । ଏଥିରେ ସାମିଲ ଥିବା ସ୍ଥାନ ଗୁଡ଼ିକର ଅର୍ନ୍ତଜାତୀୟ ଗୁରୁତ୍ବ ରହିଛି ।

ଏଗୁଡ଼ିକର ସଂରକ୍ଷଣ ପାଇଁ ବିଭିନ୍ନ ଦେଶର ସରକାରଙ୍କ ମଧ୍ୟରେ ବୁଝାମଣାରେ ହୋଇଥାଏ ।

ରାମସାର ଓ୍ବେଟଲାଣ୍ଡ କନଭେନସନ ବିଭିନ୍ନ ଦେଶକୁ ଯୋଡ଼ି ରାମସାରରେ ସାମିଲ ଯୋଗ୍ୟ ସ୍ଥାନକୁ ଚିହ୍ନଟ କରି ତାର ସଂରକ୍ଷଣ ବ୍ୟବସ୍ଥା କରାଏ । ଯାହାର ସଂରକ୍ଷଣ ସଂପୃକ୍ତ ଦେଶର ପରିବେଶ ବିଭାଗ ଦାୟିତ୍ୱ ନେଇଥାଏ । ସାରା ବିଶ୍ୱରେ ଏଭଳି ୨୪୦୦ରୁ ଉର୍ଦ୍ଧ୍ୱ ରାମସାର ସାଇଟ୍ ରହିଛି ।

Leave A Reply

Your email address will not be published.