Latest Odisha News

BREAKING NEWS

ହାତରୁ ଗଲା ‘ଯୋଡ଼ା ଫୁଲ’, ଏବେ ସୁପ୍ରିମକୋର୍ଟ ଭରସାରେ ମମତା

କୋଲକାତା: ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ସାମ୍ବିଧାନିକ ତଥା ନ୍ୟାୟିକ ଲଢ଼େଇ ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସର ଦଳୀୟ ନାମ ଏବଂ ପାରମ୍ପରିକ ‘ଯୋଡ଼ା ଫୁଲ’ ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରିବା ନେଇ ଭାରତୀୟ ନିର୍ବାଚନ ଆୟୋଗ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଦଳର ମୁଖ୍ୟ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆୟୋଗଙ୍କ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିବା ପାଇଁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସ୍ୱତନ୍ତ୍ର ପିଟିସନ ଦାଖଲ କରିଛନ୍ତି ।

ମମତା ବାନାର୍ଜୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଏଭଳି ସମ୍ବେଦନଶୀଳ ସମୟରେ ଦଳର ନାମ ଓ ଐତିହାସିକ ନିର୍ବାଚନ ଚିହ୍ନ ଉପରେ ରୋକ୍ ଲଗାଇବା କେବଳ ଗଣତାନ୍ତ୍ରିକ ପ୍ରକ୍ରିୟାକୁ କ୍ଷୁଣ୍ଣ କରୁନାହିଁ, ବରଂ ଏହା ଲକ୍ଷ ଲକ୍ଷ ଦଳୀୟ କର୍ମୀ ଓ ସମର୍ଥକଙ୍କ ଭାବାବେଗ ସହିତ ଏକ କୁଠାରଘାତ । ଆସନ୍ତା ଅକ୍ଟୋବର ୬ ତାରିଖରେ ରାଜ୍ୟର ନନ୍ଦୀଗ୍ରାମ ଏବଂ ରେଜିନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ଭୋଟ୍ ଗ୍ରହଣ ପୂର୍ବରୁ ଆୟୋଗ ଉଭୟ ବିବାଦୀୟ ଗୋଷ୍ଠୀଙ୍କୁ ନିଜର ପ୍ରତିଦ୍ୱନ୍ଦ୍ୱିତାରୁ ଅଲଗା ରଖିବାକୁ ଯାଇ ଇଭିଏମରୁ ଟିଏମ୍‌ସିର ନାମ ଓ ‘ଯୋଡ଼ା ଫୁଲ’ ଚିହ୍ନକୁ ସାମୟିକ ଭାବେ ହଟାଇ ଦେଇଥିଲେ ।

ଏହି ଆଦେଶ ପରେ ଶୁକ୍ରବାର ଦିନ ନିର୍ବାଚନ ଆୟୋଗ ପକ୍ଷରୁ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଉଭୟ ଶିବିର ପାଇଁ ଅନ୍ତରୀଣ ବ୍ୟବସ୍ଥା ସ୍ୱରୂପ ନୂତନ ନାମ ଓ ନିର୍ବାଚନ ଚିହ୍ନ ବଣ୍ଟନ କରାଯାଇଛି । ନୂଆ ବ୍ୟବସ୍ଥା ଅନୁସାରେ, ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ସହ ‘ଫୁଟବଲ୍ ଖେଳାଳି’ ଚିହ୍ନ ମିଳିଛି । ଅନ୍ୟପକ୍ଷରେ, ଋତବ୍ରତ ବାନାର୍ଜୀଙ୍କ ଦଳକୁ ‘ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ’ ନାମ ସହିତ ‘ଲଫାପା’ (ଖାମ୍) ପ୍ରତୀକ ଚିହ୍ନ ଆବଣ୍ଟନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ବିଧାନସଭା ନିର୍ବାଚନରେ ପରାଜୟ ପରେ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ମଧ୍ୟରେ ତୀବ୍ର ଅନ୍ତଃକନ୍ଦଳ ଦେଖାଦେଇ ଦଳ ଦୁଇଫାଳ ହୋଇଯାଇଥିଲା । ଉଭୟ ପକ୍ଷ ନିଜକୁ ପ୍ରକୃତ ତୃଣମୂଳ କଂଗ୍ରେସ ବୋଲି ଦାବି କରି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଗୋଷ୍ଠୀ ତିନୋଟି ଲେଖାଏଁ ବିକଳ୍ପ ନାମ ଓ ଚିହ୍ନ ପ୍ରଦାନ କରିଥିଲେ, ଯାହା ମଧ୍ୟରୁ ଏହି ଅନ୍ତରୀଣ ଆବଣ୍ଟନ କରାଯାଇଛି । ନୂତନ ଚିହ୍ନ ମିଳିବା ପରେ ଋତବ୍ରତ ବାନାର୍ଜୀ କହିଛନ୍ତି ଯେ, ସେମାନେ ସାମୂହିକ ଭାବେ ଆଲୋଚନା କରି ନାମ ଦାଖଲ କରିଥିଲେ ଏବଂ ସିଆଇ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.