Latest Odisha News

BREAKING NEWS

ମୋବାଇଲ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର: ଶସ୍ତା ହୋଇପାରେ ରିଚାର୍ଜ

ନୂଆଦିଲ୍ଲୀ: ମହଙ୍ଗା ମୋବାଇଲ୍ ରିଚାର୍ଜକୁ ନେଇ ଚିନ୍ତାରେ ଥିବା କୋଟି କୋଟି ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ବଡ଼ ତଥା ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଦେଶର ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ୁଥିବା ଅତିରିକ୍ତ ଆର୍ଥିକ ବୋଝକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଏକ ‘ମେଗା ପ୍ଲାନ୍’ ପ୍ରସ୍ତୁତ କରିଛନ୍ତି। ଯଦି ସବୁକିଛି ଠିକ୍ ରହେ, ତେବେ ଆଗାମୀ ଦିନରେ ଜିଓ , ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ଭଳି ବଡ଼ ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ମାସିକ ରିଚାର୍ଜ ପ୍ଲାନ୍ ଦର ହ୍ରାସ କରିପାରନ୍ତି ।

ଟେଲିକମ୍ କ୍ଷେତ୍ର ଉପରେ ଲାଗୁ ହେଉଥିବା ବିଭିନ୍ନ ପ୍ରକାର ଟିକସ ଏବଂ ଶୁଳ୍କକୁ କମାଇବା ନେଇ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି । ଟେଲିକମ୍ ମନ୍ତ୍ରଣାଳୟ ଓ ନୀତି ଆୟୋଗର ସୂଚନା ମୁତାବକ, ବର୍ତ୍ତମାନ ଭାରତରେ ଟେଲିକମ୍ କମ୍ପାନୀଗୁଡ଼ିକୁ ସେମାନଙ୍କ ମୋଟ ଆୟର ପ୍ରାୟ ୮ ପ୍ରତିଶତ ଅର୍ଥ ଲାଇସେନ୍ସ ଫି’ ଏବଂ ସ୍ପେକ୍ଟ୍ରମ୍ ୟୁସେଜ୍ ଚାର୍ଜ ବାବଦରେ ସରକାରଙ୍କୁ ପ୍ରଦାନ କରିବାକୁ ପଡ଼ୁଛି । ଏବେ ଏହି ୮ ପ୍ରତିଶତ ଶୁଳ୍କକୁ ଖସାଇ ୩ ରୁ ୪ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ସରକାର ଯୋଜନା କରୁଛନ୍ତି । ଏହାଦ୍ୱାରା କମ୍ପାନୀମାନଙ୍କର ବହୁତ ବଡ଼ ଅର୍ଥ ସଞ୍ଚୟ ହେବ ଏବଂ ଏହାର ସିଧାସଳଖ ଫାଇଦା ସେମାନେ ଗ୍ରାହକମାନଙ୍କୁ ଶସ୍ତା ପ୍ଲାନ୍ ଆକାରରେ ଦେଇପାରିବେ ।

କେବଳ ସେତିକି ନୁହେଁ, କମ୍ପାନୀମାନେ ଦେଉଥିବା ଏହି ୮% ଫି’ ମଧ୍ୟରୁ ପ୍ରାୟ ୫% ଅର୍ଥ ସିଧାସଳଖ ଏକ ସରକାରୀ ପାଣ୍ଠିକୁ ଯାଇଥାଏ, ଯାହା ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବସ୍ଥାର ବିକାଶ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ସୁଦ୍ଧା ଏହି ଫଣ୍ଡରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଜମା ହୋଇସାରିଛି । ତେଣୁ ଆଗାମୀ କିଛି ବର୍ଷ ପାଇଁ କମ୍ପାନୀମାନଙ୍କ ଠାରୁ ଏହି ୫ ପ୍ରତିଶତ ଆଦାୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା କିମ୍ବା ବ୍ୟାପକ ହ୍ରାସ କରିବା ଦିଗରେ ମଧ୍ୟ ବିଚାରବିମର୍ଶ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସରେ ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀଗୁଡ଼ିକ ନିଜ ନିଜର ଟାରିଫ୍ ଦରକୁ ୧୫ ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଫଳରେ ୨୮, ୫୬ ଏବଂ ୮୪ ଦିନିଆ ଲୋକପ୍ରିୟ ପ୍ରିପେଡ୍ ପ୍ଲାନ୍ ଗୁଡ଼ିକ ଆକାଶଛୁଆଁ ହୋଇଯାଇଥିଲା । ବିଶେଷକରି ଗ୍ରାମାଞ୍ଚଳ ତଥା ଗରିବ ଶ୍ରେଣୀର ଲୋକେ, ଯେଉଁମାନେ କେବଳ କଲିଂ ଓ ସାଧାରଣ ଇଣ୍ଟରନେଟ୍ ବ୍ୟବହାର କରନ୍ତି, ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ମହଙ୍ଗା ମାଡ଼ରେ ଅନେକେ ନିଜର ସିମ୍ କାର୍ଡ ବନ୍ଦ କରିଦେବାକୁ ମଧ୍ୟ ବାଧ୍ୟ ହୋଇଥିଲେ । ସଂସଦଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଏହି ମୂଲ୍ୟ ବୃଦ୍ଧିକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଏବେ ସରକାର ଟ୍ରାଇ ଏବଂ ଟେଲିକମ୍ କମ୍ପାନୀଙ୍କ ସହ ମିଶି ଏକ ମଧ୍ୟମ ପନ୍ଥା ବାହାର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଟେଲିକମ୍ ବିଶେଷଜ୍ଞଙ୍କ ମତରେ, ଯଦି ସରକାର ଏହି ଟିକସ ଛାଡ଼ ପ୍ରସ୍ତାବକୁ କାର୍ଯ୍ୟକାରୀ କରନ୍ତି, ତେବେ ରିଚାର୍ଜ ପ୍ଲାନ୍ ଗୁଡ଼ିକର ଦାମ୍ ୧୦ ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ କମିଯିବାର ସମ୍ଭାବନା ରହିଛି । ଉଦାହରଣ ସ୍ୱରୂପ, ବର୍ତ୍ତମାନ ଉପଲବ୍ଧ ଥିବା ୨୯୯ ଟଙ୍କିଆ ମାସିକ ପ୍ଲାନ୍‌ର ଦାମ୍ ଖସି ୨୫୦ ରୁ ୨୬୦ ଟଙ୍କା ମଧ୍ୟରେ ରହିପାରେ ଏବଂ ବାର୍ଷିକ ପ୍ଲାନ୍‌ଗୁଡ଼ିକରେ ଗ୍ରାହକଙ୍କୁ ୩୦୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ରିହାତି ମିଳିପାରିବ ।

Leave A Reply

Your email address will not be published.