Latest Odisha News

ଶିଶୁ ଓ ମହିଳାଙ୍କ ବିରୋଧରେ ଅପରାଧ ରୋକିବାକୁ ସ୍ବତନ୍ତ୍ର ଶାଖା, ୬୨ଟି ବିଭିନ୍ନ ପଦବୀକୁ ମଞ୍ଜୁରୀ

ଭୁବନେଶ୍ବର : ଶିଶୁ ଓ ମହିଳାଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି । ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବାକୁ ସ୍ବତନ୍ତ୍ର ଶାଖା ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀକୁ ସେ ମଞ୍ଜୁର କରିଛନ୍ତି । ଏଥିରେ ପୋଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର ଫରେନ୍ସିକ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି।     

ସୂଚନା ଅନୁସାରେ, ଜଣେ ଆଇ.ଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏହି ଶାଖା ପରିଚାଳିତ ହେବ । ଏଥିରେ ଦୁଇ ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯିବ । ଏହା ସହିତ ୫ଜଣ ମନ୍ତ୍ରୀଙ୍କ ସହାୟକ କର୍ମଚାରୀ ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି ।

ଶିଶୁ ଓ ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ନିର୍ଯାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକା ଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ରାଜ୍ୟ ପୋଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ ।

 

Leave A Reply

Your email address will not be published.