Latest Odisha News

BREAKING NEWS

ସାତକୋଶିଆ ସୁନ୍ଦରୀକୁ ଅଚେତ କରି ଏନକ୍ଲୋଜରକୁ ଅଣାଯିବ – ପିସିସିଏଫ

ଅନୁୁଗୁଳ: ସାତକୋଶିଆ ଜଙ୍ଗଲରେ ଗତ କିଛିଦିନ ଧରି ଉତ୍ପାତ କରୁଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜର୍ ମାଧ୍ୟମରେ କାବୁ କରିବାକୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରୁ ଏକ ବିଶେଷଜ୍ଞ ଦଳ ଆସି ପହଞ୍ଚିଛନ୍ତି ଏବଂ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ରହୁଥିବା ଜଙ୍ଗଲ ଅଭିମୁଖେ ବାହାରିଛନ୍ତି ।

ଋବିବାର ରାତିରୁ ନନ୍ଦନକାନନ ପ୍ରାଣୀଉଦ୍ୟାନର ବନ୍ଧୁକରକ୍ଷୀ, ଡ଼େରାଡୁନର ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ, ଭୁବନେଶ୍ୱରର ଓୟୁଏଟିର ବିଶେଷଜ୍ଞ ଦଳକୁ ଏହି ଟିମ୍ ସହଯୋଗ କରିବାକୁ ଆଜି ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପହଞ୍ଚୁଛନ୍ତି ।

ତେବେ ଟାଇଁସି ଗ୍ରାମରେ ବାଘୁଣୀ ଆକ୍ରମଣକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ଜଙ୍ଗଲ ମଧ୍ୟକୁ ବିଶେଷଜ୍ଞ ଦଳ ଯିବାରେ ଡ଼େରି ହେଉଥିବା ସୂଚନା ମିଳିଛି ।

ସାତକୋଶିଆ ଅଭୟାରଣ୍ୟର ପିସିସିଏଫ ସନ୍ଦୀପ ତ୍ରିପାଠୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାତକୋଶିଆ ଜଙ୍ଗଲରେ ଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜର୍ ମାଧ୍ୟମରେ ଅଚେତ କରି ଆଜି ଏନକ୍ଲୋଜରକୁ ଅଣାଯିବ । ବାଘୁଣୀ ଅଚେତ ହୋଇଯିବା ପରେ ତାକୁ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରର ରାଇଗୁଡ଼ା ଏନକ୍ଲୋଜରରେ ରଖାଯିବାକୁ ସ୍ଥିର ହୋଇଛି ବୋଲି କହିଛନ୍ତି ପିସିସିଏଫ । ସୁନ୍ଦରୀ ଛତିଶଗଡ଼ର ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିବା ପରେ ତାକୁ ଏହି ଏନକ୍ଲୋଜରରେ ପ୍ରଥମେ ଛଡ଼ା ଯାଇଥିଲା ।

“ଏନେଇ ଆମେ ନ୍ୟାସନାଲ ଟାଇଗର କଞ୍ଜରଭେଟିଭ ଅଥରିଟି (ଏନଟିସିଏ) ଏବଂ ଡ଼ବ୍ଲ୍ୟୁଆଇଆଇ କୁ ସମସ୍ତ ବିବରଣୀ ଏବଂ ରିପୋର୍ଟ ପ୍ରଦାନ କରିବା ସହିତ ସାତକୋଶିଆ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଣାଇଛୁ,”ବୋଲି କହିଛନ୍ତି ପିସିସିଏଫ ସନ୍ଦୀପ ତ୍ରିପାଠୀ ।

ଇତିମଧ୍ୟରେ ଆଠମଲ୍ଲୀକର ବିଜେଡ଼ି ବିଧାୟକ ସଞ୍ଜୀବ ସାହୁ ଗଣମାଧ୍ୟମକୁ ସୂଚନା ଦେବା ସହ ଅଭିଯୋଗ କରି କହିଛନ୍ତି, ଅଭୟାରଣ୍ୟ ସୀମା ବାହାରକୁ ଯାଇ ଏହି ମହାବଳ ବାଘ ୨ଜଣ ଲୋକଙ୍କୁ ମାରି ଦେଇଥିବା ବେଳେ ଅନେକ ଗୋରୁଙ୍କୁ ଆକ୍ରମଣ କରି ଖାଇଦେଇଛି । ଏହି ଅଞ୍ଚଳରେ ଜନସାଧାରଣ ଏବେ ବାଘୁଣୀ ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । “ତେଣୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରକୁ ଅନୁରୋଧ କରୁଛି, ବାଘୁଣୀକୁ ଧରି ଅନ୍ୟଆଡ଼େ ଛାଡ଼ିବାର ତୁରନ୍ତ ପଦକ୍ଷେପ ନିଅନ୍ତୁ ।” ଏହା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ବିଧାୟକ ସଞ୍ଜୀବ ସାହୁ ।

ସାତକୋଶିଆର ସୁନ୍ଦରୀ ବାଘୁଣୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ବିଜେପି ପକ୍ଷରୁ ମଧ୍ୟ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.