Latest Odisha News

BREAKING NEWS

ଆମେରିକାର ୟୁ-ଟର୍ଣ୍ଣ ଫସିଗଲା ୟୁକ୍ରେନ୍ !

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ୩ବର୍ଷ ପୂରିଛି । ଆମେରିକା ସହ ଅନେକ ଦେଶର ହସ୍ତକ୍ଷେପ ପରେ ବି ଯୁଦ୍ଧ ଥମିବାର ନାଁ ନେଉନି ।   ସେପଟେ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଡାକିଥିବା ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନକୁ ନିମନ୍ତ୍ରଣ କରାନଯିବା ନୂଆ ସମୀକରଣ ନେଇ ଚର୍ଚ୍ଚା ବଢାଇଛି। ସାଉଦି ଆରବରେ ଆମେରିକା ଓ ଋଷ ମଧ୍ୟରେ ଆଲୋଚନା ହୋଇଛି। ଉଭୟ ପକ୍ଷ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଦିଗରେ ସହମତ ହୋଇଥିଲେ । ତେବେ ବୈଠକରେ ୟୁକ୍ରେନକୁ ସାମିଲ କରାନଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜେଲେନସ୍କି । ସେପଟେ ଜେଲେନସ୍କିଙ୍କୁ ଏକଛତ୍ରବାଦୀ କହି ସିଧାସଳଖ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ ।

ଋଷ ସହ ସ୍ବର ମିଳାଉଛି ଆମେରିକା

ଋଷ- ୟୁକ୍ରେନ ଯୁଦ୍ଧ ଶେଷ କରିବା ଆଲୋଚନାରେ ୟୁକ୍ରେନକୁ ସାମିଲ ନକରିବାକୁ ନେଇ ପ୍ରବଳ ଅସନ୍ତୋଷ ଜାହିର କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେସେନସ୍କି । ୟୁକ୍ରେନ ସାମିଲ ନହୋଇ ଯୁଦ୍ଧ ଶେଷ କରିବା ନେଇ କୌଣସି ଶାନ୍ତି ରାଜିନାମା ହୋଇପାରିବନି । ଏହାକୁ ନେଇ ସେ ଆମେରିକାକୁ ସମାଲୋଚନା କରିଛନ୍ତି। ଋଷ ରାଷ୍ଟ୍ରପତିଙ୍କୁ ଖୁସି କରିବାକୁ ଶାନ୍ତି ଚୁକ୍ତି କରିବାକୁ ଆମେରିକା ଚାହୁଁଥିବା ସେ କହିଛନ୍ତି । ୟୁକ୍ରେନକୁ ନେଇ ଋଷ ଅପପ୍ରଚାର କରିବା ସହ ଆମେରିକା ଭୁଲ ସୂଚନାର ଦୁନିଆରେ ରହିଥିବା କହିଥିଲେ ଜେଲେନସ୍କି।

ସାଥୀରେ ଥିଲେ ବାଇଡେନ୍

ଋଷ ସହ ଯୁଦ୍ଧ ବେଳେ ଜେଲେନସ୍କିଙ୍କୁ ଆମେରିକା ଓ ୟୁରୋପର ସାଥ୍ ମିଳିଥିଲା। ଆମେରିକାର ବାଇଡେନ୍ ସରକାର ତାଙ୍କୁ ସେତେବେଳେ ସହଯୋଗ କରିଥିଲେ । ଆମେରିକାର ସହଯୋଗରେ ହିଁ ଋଷ ସାମନାରେ ଦୃଢ ଭାବେ ଠିଆ ହୋଇଥିଲା ୟୁକ୍ରେନ। କେବଳ ସେତିକି ନୁହେଁ ଯୁଦ୍ଧ ବେଳେ ଋଷର କିଛି ଅଞ୍ଚଳରେ ବି କବଜା କରିଥିଲା । ୩ବର୍ଷ ଧରି ୟୁକ୍ରେନ୍ ସହ ଠିଆ ହୋଇଥିବା ଆମେରିକା ଋଷ ବିରୋଧରେ ଆକ୍ରାମକ ଥିଲା। ଯୁଦ୍ଧ ପାଇଁ ଋଷକୁ ଭିଲେନ୍ ଭାବେ ଦର୍ଶାଯାଇଥିଲା । ହେଲେ ଟ୍ରମ୍ପ କ୍ଷମତାକୁ ଆସିବା ପରେ ସବୁ ଓଲଟପାଲଟ ହୋଇଯାଇଛି । ଯାହା ଦିନେ ଜେଲେନସ୍କି ସ୍ବପ୍ନରେ ବି ଭାବି ନଥିଲେ, ଏବେ ସେମିତି କଥା କହିଛନ୍ତି ଟ୍ରମ୍ପ। ୟୁକ୍ରେନକୁ ଦିଆଯାଇଥିବା ସେନା ସହାୟତାକୁ ନେଇ ପ୍ରଶ୍ନ କରିଛନ୍ତି ।

ଋଷ ସହ ବନ୍ଧୁତା ଜେଲେନସ୍କିଙ୍କୁ ଟାର୍ଗେଟ୍

ଯୁଦ୍ଧ ପାଇଁ ଜେଲେନସ୍କିଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ । ୟୁକ୍ରେନ୍ ପାଇଁ ହିଁ ଯୁଦ୍ଧ ହୋଇଥିଲା, ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଜେଲେନସ୍କିଙ୍କୁ ବିନା ନିର୍ବାଚନର ତାନାଶାହ କହିବା ସହ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଟ୍ରମ୍ପ । ଯେଉଁଭଳି ଭାବେ ଟ୍ରମ୍ପ ପୁତିନଙ୍କୁ ଗୁରୁତ୍ବ ଦେଉଛନ୍ତି ତାକୁ ଦେଖି ଜେଲେନସ୍କି ନିରାଶ ହୋଇଛନ୍ତି । ଆଶଙ୍କା କରୁଛନ୍ତି, ଋଷ ସହ ଶାନ୍ତି ଚୁକ୍ତିରେ ୟୁକ୍ରେନ୍ କ୍ଷତିରେ ରହିପାରେ । ସାଉଦି ଆରବ ବୈଠକରେ ସାମିଲ କରାନଯିବାକୁ ନେଇ ୟୁକ୍ରେନ ଚାପରେ ରହିଛି । ସେପଟେ ଜେଲେନସ୍କି ଗାଦି ଛାଡିବା ନେଇ ବି ଆଶଙ୍କା ଦେଖାଦେଇଛି ।

ୟୁକ୍ରେନକୁ ଆଗଭଳି ସହାୟତା ଦେଇନପାରେ ଆମେରିକା । ଏଭଳି ହେଲେ ଜେଲେନସ୍କିଙ୍କ ଆଗରେ ଅସ୍ତ୍ରବିରତି ମାନିବା ଛଡା ଆଉ କିଛି ବିକଳ୍ପ ନାହିଁ । କାରଣ ଆମେରିକାର ବିନା ସହାୟତାରେ କୌଣସି ମତେ ଋଷ ବିରୋଧରେ ଯୁଦ୍ଧ ଜାରି ରଖିପାରିବନି ୟୁକ୍ରେନ । ସେପଟେ ଏହାକୁ ନେଇ ନାଟୋ ସଦସ୍ୟଙ୍କ ଚିନ୍ତା ବଢିଛି । ଦୁନିଆର ଶକ୍ତିଶାଳୀ ସେନାବଳ ନାଟୋର ସବୁଠୁ ବଡ ଅର୍ଥ ଯୋଗାଣକାରୀ ଦେଶ ଆମେରିକା ଏବେ ହାତ ଫେରାଇ ନେବାକୁ ଚାହୁଁଛି । ଋଷ ଓ ଆମେରିକା ଏକାଠି ହେଲେ ନାଟୋର ପ୍ରଭାବ ମଧ୍ୟ କମିଯିବ । ଏଭଳି ହେଲେ ୟୁରୋପର ପ୍ରତିରକ୍ଷା ରଣନୀତିରେ ବଡ ପରିବର୍ତ୍ତନ ଆସିପାରେ । ଖାଲି ସେତିକି ନୁହେଁ, ଆମେରିକା ଋଷ ଆସିବା ଦ୍ବାରା ବିଶ୍ବରେ କ୍ଷମତା ସମୀକରଣ ବଦଳିବ ।

Comments are closed.