ତୁଳସୀ ମୁଣ୍ଡା

ତୁଳସୀ ମୁଣ୍ଡା

(୧୯୪୭)
କ୍ଷେତ୍ର: ସମାଜସେବା (ଆଦିବାସୀ ଶିକ୍ଷା ଓ ନିଶାମୁକ୍ତି)

ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଆଦିବାସୀବହୁଳ ଅଂଚଳରେ ଶିକ୍ଷାର ପ୍ରସାର ଓ ମଦମୁକ୍ତି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓଡ଼ିଶାର ଜଣେ ଆଗଧାଡ଼ିର ସମାଜସେବୀ । ୧୯୪୭ ମସିହା ଜୁଲାଇ ୧୫ ତାରିଖରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର କଇଁଶି ପଲ୍ଲୀରେ ତାଙ୍କର ଜନ୍ମ ହୋଇଥିଲା, ଯେଉଁଠି ନା ଥିଲା ଶିକ୍ଷା, ନା ସଭ୍ୟତା । ସ୍କୁଲ୍ ହତା ମାଡ଼ିନଥିବା ତୁଳସୀଙ୍କ ପିଲାଦିନ କଟିଥିଲା ଲୁହାଖଣିରେ ପଥରକଟାରେ । ମାତ୍ର ନିଜସ୍ୱ ଆଗ୍ରହରୁ ସେ ବର୍ଣ୍ଣମାଳା ଶିଖିଲେ । ନିରକ୍ଷରତା ହିଁ ଦାରିଦ୍ର୍ୟ, ବେକାରୀ, ଅନ୍ଧବିଶ୍ୱାସ ଓ ନିଶା ପରି ବ୍ୟାଧିର କାରଣ ବୋଲି ସେ ବୁଝିଲେ ଓ ମାତ୍ର ୧୨ ବର୍ଷ ବୟସରେ ଅନୁନ୍ନତ, ଅବହେଳିତ, ଆଦିବାସୀବହୁଳ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ସ୍ୱପ୍ନ ଦେଖିଥିଲେ । ସୌଭାଗ୍ୟକୁ ୧୯୬୩ ମସିହାରେ ଓଡ଼ିଶାରେ ସନ୍ଥ ବିନୋବା ଭାବେଙ୍କର ପଦଯାତ୍ରା ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ତୁଳସୀ ଏବଂ ସମାଜସେବାର ସ୍ୱପ୍ନକୁ ସାକାର କରିବା ପାଇଁ ଶପଥ ନେଇ ସେ ଇନ୍ଦୋରଠାରେ ଏ ଦିଗରେ ତାଲିମ୍ ନେଇଥିଲେ । ସେଠାରୁ ଫେରି କେନ୍ଦୁଝରରେ ଅନୁଷ୍ଠିତ ଏକ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀଙ୍କ ଭାଷଣରେ ଆକର୍ଷିତ ହୋଇ ତାଙ୍କ ସହ ଯୋଗଦେଲେ ସେ । ଅଭିଭାବକମାନଙ୍କୁ ଅନେକ ବୁଝାଇ ଖଣି ଖାଦାନ୍ରେ କାମ କରି ପେଟ ପୋଷୁଥିବା ଆଦିବାସୀ ପିଲାମାନଙ୍କୁ ବିଶେଷକରି ଝିଅମାନଙ୍କୁ ସେ ସନ୍ଧ୍ୟାବେଳେ ପାଠ ପଢ଼ାଇବା ଆରମ୍ଭ କଲେ । ନିଜେ ସ୍କୁଲ୍ ମାଟି ମାଡ଼ି ନଥିଲେ ବି ବର୍ଣ୍ଣମାଳା, ସରଳ ଗଣିତ ଓ ଅଳ୍ପ ଇଂରାଜୀ ଶବ୍ଦ ସେ ପିଲାମାନଙ୍କୁ ଶିଖାଉଥିଲେ । ୩୦ଟି ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ସେଦିନର ସେହି ସ୍କୁଲ୍ ଆଜି ବିରାଟ ଐତିହାସିକ ସ୍କୁଲରେ ପରିଣତ ହୋଇଛି । ଆଦିବାସୀ ବିକାଶ ସମିତି ତରଫରୁ ପରିଚାଳିତ ଏହି ସ୍କୁଲରେ ଏବେ ୫୦୦ ପିଲା ପାଠ ପଢ଼ୁଛନ୍ତି, ଯେଉଁଠି ୫୦ ପ୍ରତିଶତ ହେଉଛନ୍ତି ବାଳିକା । ସ୍କୁଲ୍ ପରିସରରେ ୮୦ ଜଣଙ୍କ ପାଇଁ ହଷ୍ଟେଲ୍ ସୁବିଧା ମଧ୍ୟ ରହିଛି । ନିସ୍ୱାର୍ଥପର ସେବା ପାଇଁ ପରବର୍ତ୍ତୀ ସମୟରେ ତୁଳସୀ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ପାଇଛନ୍ତି ଓ ଆଖପାଖ ଅଂଚଳରେ ତାଙ୍କ ପ୍ରଚେଷ୍ଟାରେ ସୃଷ୍ଟି ହୋଇଛି ୧୭ଟି ସ୍କୁଲ୍, ଯେଉଁଠି ପ୍ରାୟ ୨୦ ହଜାର ପିଲା ପାଠ ପଢ଼ୁଛନ୍ତି । କେବଳ ଶିକ୍ଷା ନୁହେଁ ନିଶାମୁକ୍ତି ପାଇଁ ତାଙ୍କର ଲଢେ଼ଇ ବି ଜାରି ରହିଛି । ତାଙ୍କର ଏହି ଅନବଦ୍ୟ ଅବଦାନ ପାଇଁ ଭାରତ ସରକାରଙ୍କ ତରଫରୁ ୨୦୦୧ ମସିହାରେ ତାଙ୍କୁ ମିଳିଛି ପଦ୍ମଶ୍ରୀ ଉପାଧି ।

ଆଲେଖ୍ୟ © ସରୋଜ ବଳ