Latest Odisha News

ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା : ଚଳନ୍ତା ଯାତ୍ରୀବାହୀ ବସ୍‌କୁ ଆକ୍ରମଣ କଲା ଦନ୍ତା । ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ବସ୍‌ରେ ଥିବା ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବସକୁ ହାତୀର ଆକ୍ରମଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ରାସଗୋବିନ୍ଦପୁର ରେଞ୍ଜ ଅଧିନ ସୁରେଇଡ଼ିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମରେ ଏକ କୂଅ ଭିତରେ ହାତୀଛୁଆ ପଡିବା ପରେ ରାତି ତମାମ ଚାକୁଣ୍ଡାପଦା ଗାଁରେ ତଣ୍ଡବଲୀଳା ରଚିଥିଲେ ହାତୀପଲ । ତେବେ କୂଅରେ ପାଣି ପୂରାଇ ହାତୀ ଛୁଆକୁ ବାହାର କରିଥିଲା ବନ ବିଭାଗ । ଛୁଆ ହାତୀକୁ ଉଦ୍ଧାର ପରେ ହାତୀପଲ ଜଙ୍ଗଲ ଭିତରକୁ ପଳାଇଥିଲେ । କିନ୍ତୁ ଏତିକି ବେଳେ ଟିକପଦା ରାସ୍ତାରେ ବାଲେଶ୍ବର ଅଭିମୁଖେ ଯାଉଥିବା ତାରିଣୀ ନାମକ ଯାତ୍ରୀବାହୀ ବସକୁ ଆକ୍ରମଣ କରିଥିଲା ଦନ୍ତାହାତୀ ।

ହାତୀର ଉଗ୍ରରୂପକୁ ଦେଖି ବସରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ । ଦନ୍ତାହାତୀଟି ବସର କିଛି କାଚ ଭାଙ୍ଗିବା ପରେ ବସର ପଛପଟୁ ଆକ୍ରମଣ କରିଥିଲା । ହେଲେ ବସ ଡ୍ରାଇଭର ଭୟଭୀତ ନହୋଇ ବସଟିକୁ ସୁରକ୍ଷିତ ଭାବେ ଘଟଣାସ୍ଥଳରୁ ନେଇ ପଳାଇବାରେ ସକ୍ଷମ ହୋଇଥିଲେ । ରାସଗୋବିନ୍ଦପୁର ରେଞ୍ଜ ଅଧିନ ବିଭିନ୍ନ ଅଞ୍ଚଳରେ ଝାଡ଼ଖଣ୍ଡୀ ଓ ଶିମିଳିପାଳ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.