ପାରାଦୀପ: ଗଭୀର ସମୁଦ୍ରରେ କେମିତି ବୁଡ଼ିଲା ବିଦେଶୀ ଜାହାଜ? ରହସ୍ୟ ଫିଟାଇବେ ଉଦ୍ଧାର ୨ ଚୀନ୍ ସଦସ୍ୟ। କୋଲକାତାରୁ ଆସିଲେ ୨ ଚୀନ୍ ଭାଷା ଅନୁବାଦକ। ଜାହାଜ ବୁଡ଼ି ସଂପର୍କରେ ଉଦ୍ଧାର ନାବିକଙ୍କୁ ପଚରାଉଚରା କରିବେ। ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ଯାଉଥିବା ପାନାମା ପତାକାଧାରୀ ବିଦେଶୀ ମାଲବାହୀ ଜାହାଜ ‘ଏମ୍ଭି ଓସିଏନ୍ ୱିନର୍’ (MV Ocean Winner) ଗଭୀର ବଙ୍ଗୋପସାଗରରେ ବୁଡ଼ିଯାଇଛି। ଏହି ଦୁର୍ଘଟଣାଟି ୨୦୨୬ ଅଗଷ୍ଟ ୨୧ ତାରିଖରେ ଘଟିଛି। ଜାହାଜରେ ଥିବା ମୋଟ ୨୪ ଜଣ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ଚୀନ ନାବିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୨୨ ଜଣ କ୍ରୁ ସଦସ୍ୟ ଏବେ ମଧ୍ୟ ନିଖୋଜ ଅଛନ୍ତି।
ଜାହାଜ ବୁଡ଼ିବାର ରହସ୍ୟ ଖୋଲିବେ ଉଦ୍ଧାର ହୋଇଥିବା ଚୀନର ଦୁଇ କ୍ରୁ ମେମ୍ବର। ଉଦ୍ଧାର ଦୁଇ ନାବିକଙ୍କୁ ପଚରାଉଚରା କରିବା ପାଇଁ କୋଲକାତାରୁ ପାରାଦୀପରେ ପହଞ୍ଚିଛନ୍ତି ଚୀନ୍ ଭାଷା ଜାଣିଥିବା ଦୁଇ ଜଣ ଅନୁବାଦକ। କୋଲକାତା ସ୍ଥିତ ଚୀନ୍ ବାଣିଜ୍ୟ ଦୂତାବାସରୁ ଦୁଇ ଅଧିକାରୀ ପାରାଦୀପରେ ପହଞ୍ଚି ସାରିଛନ୍ତି। ଉଦ୍ଧାର ଦୁଇ ନାବିକଙ୍କୁ ଅନୁବାଦକଙ୍କ ଜରିଆରେ ପଚରାଉଚରା କରାଯାଇ ଜାହାଜ ବୁଡ଼ିବାର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରାଯିବ। କେଉଁ କାରଣରୁ ଜାହାଜଟି ବୁଡ଼ିଲା ଏବଂ କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା, ସେନେଇ ନାବିକଙ୍କଠାରୁ ତଥ୍ୟ ସଂଗ୍ରହ କରାଯିବ। ଏହି ପଚରାଉଚରା ପ୍ରକ୍ରିୟାରେ ପୋଲିସ, କୋଷ୍ଟଗାର୍ଡ, ଇମିଗ୍ରେସନ୍ ବିଭାଗ, ପାରାଦୀପ ପୋର୍ଟ ଅଧିକାରୀ, ସର୍ଭେୟର ଏବଂ ବୀମା କମ୍ପାନୀର ପ୍ରତିନିଧିଙ୍କ ସମେତ ବିଭିନ୍ନ ସଂସ୍ଥାର ଅଧିକାରୀମାନେ ସାମିଲ ହୋଇପାରନ୍ତି।


Comments are closed.