Latest Odisha News

BREAKING NEWS

ବନ୍ଧୁକ ମୁନରେ ଦୁଇଭାଇ ଅପହରଣ ଘଟଣା: ଅପହରଣ ନୁହେଁ ଉଠାଇ ନେଇଥିଲା କର୍ଣ୍ଣାଟକ ପୋଲିସ

ଗଞ୍ଜାମ: ଛତ୍ରପୁରରୁ ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼ । ଅପହରଣ ନୁହେଁ ବିଳମ୍ବିତ ରାତିରେ ଦୁଇ ଭାଇଙ୍କୁ ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ । କୌଣସି ଏକ କେସ୍‌ର ପ୍ରାଥମିକ ତଦନ୍ତ ପାଇଁ ଦୁଇ ଭାଇ କୃଷ୍ଣ ଓ ପଞ୍ଚୁ ସାହୁଙ୍କୁ ଉଠାଇନେଇଥିଲା କର୍ଣ୍ଣାଟକ ପୋଲିସ । ସ୍ଥାନୀୟ ପୋଲିସକୁ ଅବଗତ ନ କରାଇ ସେମାନେ ଗୁପ୍ତ ଭାବେ ତଥା ବଳପୂର୍ବକ ସେମାନଙ୍କୁ ସାଥିରେ ନେଇଯାଇଥିଲେ। ସେଥିରୁ ଏହା ଅପହରଣ ଘଟଣା ବୋଲି ଦ୍ଵନ୍ଦ ଉପୁଜୁଥିବା ପୋଲିସ ଦର୍ଶାଇଛି। ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ତତ୍ତ୍ଵାବଧାନରେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଦୁଇ ବ୍ୟବସାୟୀ ଭାଇ ଓ ସେମାନଙ୍କୁ ନେଇଥିବା କର୍ଣ୍ଣାଟକ ପୋଲିସ ଟିମକୁ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣାର ଏକ ହୋଟେଲରେ ଠାବ କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ତଥା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଯୋଜନାବଦ୍ଧ ଭାବେ ଗଞ୍ଜାମ ପୋଲିସ ଟିମ ବିଶାଖାପାଟଣା ଅଭିମୁଖେ ଯାଇଛି। ବିଶାଖାପାଟଣାର ଏକ ହୋଟଲରେ ପଚରାଉଚରା ଚାଲିଥିଲା । କର୍ଣ୍ଣାଟକ ପୋଲିସ ସହ ଗଞ୍ଜାମ ଥାନାର ୨ ପୋଲିସ ଉପସ୍ଥିତ ଥିଲେ । ବର୍ତ୍ତମାନ ବିଶାଖାପାଟଣାର ସ୍ଥାନୀୟ ଥାନାରେ ୨ ଅଭିଯୁକ୍ତଙ୍କୁ ହାଜର କରାଯାଇଛି । ଏନେଇ ଗଞ୍ଜାମ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗତକାଲି ରାତି ପ୍ରାୟ ୧୦ଟାରେ ପଞ୍ଚୁ ସାହୁ ଓ ତାଙ୍କ ଭାଇ କୃଷ୍ଣ ସାହୁ ଗଞ୍ଜାମ ଥାନାଠାରୁ ମାତ୍ର ଶହେ ମିଟର ଦୂର ପୁଇଁତଳା ଛକସ୍ଥିତ ନିଜ ଦୋକାନରେ ବସିଥିବା ସମୟରେ ଦୁଇଟି କାରରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଉଭୟଙ୍କୁ ଉଠାଇ ନେଇଥିଲେ । ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

Leave A Reply

Your email address will not be published.