ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଆଉ ନେଇ ହେବନି ସିମ୍ କାର୍ଡ ! ସାଇବର ଅପରାଧ ଉପରେ ରୋକ୍ ଲଗାଇବାକୁ UIDAIର ସ୍ୱତନ୍ତ୍ର ଯୋଜନା
ନୂଆଦିଲ୍ଲୀ : ପ୍ରତିଦିନ ଆଗକୁ ଆସୁଛି ଆଧାର କାର୍ଡ ଜନିତ ସାଇବର ଠକାମି ଓ ଅପରାଧ । ଆଉ ସାଇବର ଠକାମି କରିବାରେ ମୋବାଇଲ ସିମ୍ କାର୍ଡର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେଣୁ ଲୋକଙ୍କୁ ଚୂନା ଲଗାଇବାକୁ ଏମାନେ ପ୍ରଥମେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ଦେଖାଇ ଦୋକାନରୁ ସିମ୍ କାର୍ଡ ହାତେଇଥାନ୍ତି। ସିମ୍ କାର୍ଡ ହାତେଇବା ପରେ ଏହାକୁ ବ୍ୟବହାର କରି ସାଇବର ଠକେଇ ପରି ନାନାଦି ପ୍ରକାରର ଅସାମାଜିକ କାର୍ଯ୍ୟ ସଂଘଟିତ କରିଥାନ୍ତି ସାଇବର ଅପରାଧୀ । ତେବେ ଆଗକୁ ଅପରାଧୀଙ୍କ ଏହି ଫର୍ମୂଲା ଚାଲିବ ନାହିଁ । କାରଣ, ଖୁବଶୀଘ୍ର କେନ୍ଦ୍ର ସରକାର ଏନେଇ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଏସବୁ ଅପରାଧି ଓ ସାଇବର ଠକଙ୍କ ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡକୁ ଡିଲିଟ କରିବାର ନୂଆ ଟେକନିକ୍ ବିକଶିତ କରାଯାଉଛି ଓ ଖୁବଶୀଘ୍ର ସାଧାରଣ ଜନତାଙ୍କ ପାଇଁ ଏହା ଲାଗୁ କରାଯିବ। UIDAI ଓ ରେଜିଷ୍ଟ୍ରର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ବିକଶିତ କରାଯାଉଥିବା ଏହି ବିଶେଷ ଟେକନିକ୍ ପ୍ରକ୍ରିୟାରେ ମୃତ ବ୍ୟକ୍ତିଙ୍କ ଡେଥ୍ ସାର୍ଟିଫିକେଟ ଜାରି ହେବା ପରେ ପରେ ଉକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡକୁ ଡିଲିଟ୍ କରି ଦିଆଯିବ । ଏଥିପାଇଁ ମୃତବ୍ୟକ୍ତିଙ୍କ ପରିବାର ସହିତ ଯୋଗାଯୋଗ କରାଯିବ ।
ଏହି ସ୍ୱତନ୍ତ୍ର ପ୍ରକିୟା ଦ୍ବାରା ବୃଦ୍ଧି ପାଉଥିବା ସାଇବର ଠକେଇ ଓ ଅପରାଧ ଆଦିକୁ ଅନେକାଂଶରେ ରୋକା ଯାଇ ପାରିବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର । ତେବେ ଦେଶରେ ଏଯାବତ ମୃତବ୍ୟକ୍ତିଙ୍କ ଆଧାର କାର୍ଡକୁ ଡିଲିଟ କରିବାର ସେଭଳି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ବୋଲି ଜଣାପଡିଛି ।