Latest Odisha News

BREAKING NEWS

ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ଏମସିଏଲର କାର୍ଯ୍ୟଧାରା ସହ ପ୍ରକଳ୍ପର ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ

ଭୁବନେଶ୍ବର : ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଆରମ୍ଭରୁ ପାରାଦୀପ ବନ୍ଦର ଗସ୍ତ କରି କୋଇଲା ଲୋଡିଂ ବ୍ୟବସ୍ଥାର ଅନୁଧ୍ୟାନ କରିଥଲେ । ତାଙ୍କ ସହିତ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ଉପସ୍ଥିତ ଥିଲେ । ସମୁଦ୍ର ମାର୍ଗ ଦେଇ କୋଇଲା ପରିବହନ ବୃଦ୍ଧି କରିବା ଲାଗି ବନ୍ଦରରେ ଥିବା ସୁବିଧାର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପାରାଦୀପ ବନ୍ଦରକୁ କୋଇଲା ହବ୍ ଭାବେ ବ୍ୟବହାର କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ପାରାଦୀପ ବନ୍ଦର ନିକଟରେ ଥିବା ରେଳ ରିସିଭାଲ ସିଷ୍ଟମ ପରିଦର୍ଶନ କରିଥିଲେ କେନ୍ଦ୍ର ମନ୍ତ୍ରୀ । ଏଠାରେ ଓ୍ବାଗନ-ଟିପଲର୍ସ ସହାୟତାରେ କୋଇଲା ଅନଲୋଡ୍ କରାଯାଇଥାଏ । ଏହି ଅନଲୋଡ୍ ବ୍ୟବସ୍ଥା ବେଶ ଦକ୍ଷ । ଏହା ସମୟ ଏବଂ ବିଳମ୍ବ ଜନିତ ଖର୍ଚ୍ଚ ହ୍ରାସ କରିବା ସହିତ କୋଇଲା ଧୂଳି ଉଡ଼ିବା ପରିମାଣ କମାଇଥାଏ ।

ଏହାପରେ କୋଇଲା ମନ୍ତ୍ରୀ ଏମସିଏଲର ହିଙ୍ଗୁଳା କ୍ଷେତ୍ରରେ ଥିବା ବଳରାମ ଓପନକାଷ୍ଟ ଖଣି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ । ବାର୍ଷିକ ୮ ମିଲିୟନ ଟନ କ୍ଷମତା ବିଶିଷ୍ଟ ଏହି କୋଇଲା ଖଣିର ବିସ୍ଫୋରଣ କାମରେ କେବଳ ମହିଳାମାନେ ନିୟୋଜିତ ହୋଇଛନ୍ତି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ କୋଇଲା ଉତ୍ପାଦନ ଏବଂ ପ୍ରେରଣ ପାଇଁ ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ବଳରାମ ଓପନକାଷ୍ଟ ପ୍ରକଳ୍ପ ନିକଟରେ ଶ୍ରମିକ ଗୌରବ ଜଳ ଉଦ୍ୟାନର ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ । ଗସ୍ତ ଅବସରରେ ଏମସିଏଲର ହିଙ୍ଗୁଳା କ୍ଷେତ୍ରର ରେଳ ସାଇଡିଂ ପରିଦର୍ଶନ କରିଥିଲେ । ଓ୍ବାଗନ ପରିବହନ ସମୟ ହ୍ରାସ କରିବା ଉପରେ ମନ୍ତ୍ରୀ ଜୋର ଦେଇଥିଲେ । କୋଇଲା ପ୍ରେରଣ ବୃଦ୍ଧି କରିବା ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ରେଳ ସାଇଡିଂ ନିକଟରେ ପେଲୋଡର ଅପରେଟର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

Leave A Reply

Your email address will not be published.