ନୂଆଦିଲ୍ଲୀ: ନେପାଳ-ତିବ୍ବତ ସୀମାରେ ହଠାତ୍ ଆସିଥିବା ବନ୍ୟା ବା ଫ୍ଲାସ୍ ଫ୍ଲଡ୍ ଏବେ ବ୍ୟାପକ ଧ୍ୱଂସଲୀଳା ରଚିଛି। ବିପୁଳ ପରିମାଣର ଭିତ୍ତିଭୂମି ନଷ୍ଟ ହେବା ସହ ଅନେକ ଲୋକଙ୍କର ଜୀବନହାନି ଘଟିଛି। ସବୁଠାରୁ ଦୁଃଖର ବିଷୟ ହେଉଛି, ଏହି ପ୍ରାକୃତିକ ବିପର୍ଯ୍ୟୟ ଏପରି ଏକ ସମୟରେ ଆସିଛି ଯେତେବେଳେ ସନାତନ ଧର୍ମର ପବିତ୍ର କୈଳାସ ମାନସରୋବର ଯାତ୍ରା ଚାଲିଥିଲା। ଖବର ଅନୁଯାୟୀ, ମୃତ ଓ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ବହୁସଂଖ୍ୟକ ଭାରତୀୟ ଶ୍ରଦ୍ଧାଳୁ ରହିଛନ୍ତି, ଯେଉଁମାନେ ପୁଣ୍ୟ ଲାଭ ଆଶାରେ ଏହି କଠିନ ତୀର୍ଥଯାତ୍ରାରେ ବାହାରିଥିଲେ ।
ଏହିପରି ଏକ ଆଧ୍ୟାତ୍ମିକ ଯାତ୍ରା ସମୟରେ ଅକାଳ ମୃତ୍ୟୁକୁ ନେଇ ସାଧାରଣତଃ ଏକ ପ୍ରଶ୍ନ ଉଠେ- ତୀର୍ଥରେ ମୃତ୍ୟୁ ବରଣ କଲେ ଧର୍ମଶାସ୍ତ୍ର ଓ ପୁରାଣ କ’ଣ କହେ? ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ତୀର୍ଥଯାତ୍ରା ସମୟରେ ମୃତ୍ୟୁ ହେବା ସାଧାରଣ କଥା ନୁହେଁ; ଏହାକୁ ମୋକ୍ଷ ବା ମୁକ୍ତିର ମାର୍ଗ ଭାବେ ବିବେଚନା କରାଯାଏ।
ତେବେ ଭଗବଦ୍ ଗୀତାର ଅଷ୍ଟମ ଅଧ୍ୟାୟରେ ଶ୍ରୀକୃଷ୍ଣ ସ୍ପଷ୍ଟ କରିଛନ୍ତି ଯେ, କେବଳ ତୀର୍ଥସ୍ଥାନ ନୁହେଁ, ବରଂ ମୃତ୍ୟୁ ବେଳେ ମଣିଷର ଅନ୍ତିମ ଚିନ୍ତାଧାରା ଓ ବିଚାର ହିଁ ତା’ର ପରଲୋକର ଗତି ନିର୍ଦ୍ଧାରଣ କରେ। ତୀର୍ଥସ୍ଥାନର ପରିବେଶ ମଣିଷର ମନକୁ ସ୍ୱାଭାବିକ ଭାବେ ଈଶ୍ୱରଙ୍କ ଆଡ଼କୁ ଟାଣି ନେଉଥିବାରୁ ଏଠାରେ ମୃତ୍ୟୁ ହେଲେ ମୋକ୍ଷ ପ୍ରାପ୍ତି ସହଜ ହୁଏ ବୋଲି ବିଶ୍ୱାସ ରହିଛି ।
କାଶୀ, ପ୍ରୟାଗ, ଅଯୋଧ୍ୟା ଏବଂ କେଦାରନାଥ ଭଳି ତୀର୍ଥକ୍ଷେତ୍ର ଗୁଡ଼ିକରେ ପ୍ରାଣ ତ୍ୟାଗର ବିଶେଷ ମହତ୍ତ୍ୱ ସ୍କନ୍ଦ ପୁରାଣ ଓ ପଦ୍ମ ପୁରାଣରେ ବର୍ଣ୍ଣିତ। କାଶୀରେ ଶିବ ନିଜେ ତାରକ ମନ୍ତ୍ର ପ୍ରଦାନ କରି ମୁକ୍ତି ଦିଅନ୍ତି ବୋଲି ବିଶ୍ୱାସ ଥିବା ବେଳେ, କେଦାରନାଥ ଯାତ୍ରା ବାଟରେ ମୃତ୍ୟୁ ହେଲେ ବ୍ୟକ୍ତି ସିଧାସଳଖ ଶିବଲୋକ ପ୍ରାପ୍ତ କରେ ବୋଲି ପୁରାଣ କହେ। ସେହିପରି ଗରୁଡ଼ ପୁରାଣ ଅନୁଯାୟୀ, ପବିତ୍ର ଜଳରେ ବୁଡ଼ି ଅକାଳ ମୃତ୍ୟୁ ବରଣ କଲେ କିମ୍ବା ତୀର୍ଥସ୍ଥାନରେ ପ୍ରାଣ ହରାଇଲେ ଆତ୍ମା ଧର୍ମରାଜଙ୍କ ସଭାକୁ ସମ୍ମାନର ସହ ଉତ୍ତର ମାର୍ଗ ଦେଇ ଯାତ୍ରା କରେ ।
ସଂକ୍ଷେପରେ କହିବାକୁ ଗଲେ, ଭାରତୀୟ ସଂସ୍କୃତିରେ ତୀର୍ଥଯାତ୍ରା କୌଣସି ପର୍ଯ୍ୟଟନ ବା ‘ଟୁର୍’ ନୁହେଁ, ବରଂ ଏହା ଏକ କଠୋର ସାଧନା। ଏହି ପବିତ୍ର ସଂକଳ୍ପ ନେଇ ବାହାରିଥିବା ଶ୍ରଦ୍ଧାଳୁଙ୍କର ଯଦି ଶୁଦ୍ଧ ଚିତ୍ତରେ ମୃତ୍ୟୁ ହୁଏ, ତେବେ ସେ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ପରମପଦ ପ୍ରାପ୍ତ କରନ୍ତି ବୋଲି ଆମ ଶାସ୍ତ୍ର ସ୍ପଷ୍ଟ ପ୍ରମାଣ ଦେଇଥାଏ।

