Latest Odisha News

BREAKING NEWS

ଇତିହାସ ରଚିବ ଉତ୍ତରାଖଣ୍ଡ, ଦେଶର ପ୍ରଥମ ରାଜ୍ୟରେ ଲାଗୁହେବ ୟୁସିସି

ଡେରାଡୁନ: ଆଜିଠୁ ଦେଶର ପ୍ରଥମ ରାଜ୍ୟ ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁସିସି ବା ସମାନ ନାଗରିକ ସଂହିତା। ରାଜ୍ୟ ସଚିବାଳୟରେ ୟୁସିସି ପୋର୍ଟାଲ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନେବେ। ଏହା ଭାରତର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହି ଆଇନ କାର୍ଯ୍ୟକାରୀ ହେବ। ଯାହାପରେ ଉତ୍ତରାଖଣ୍ଡ ଇତିହାସ ସୃଷ୍ଟି କରିବ।

ଏନେଇ ସରକାରୀ ଅଧିକାରୀମାନେ କହିଛନ୍ତି ଯେ ୟୁସିସି ସମଗ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏବଂ ବାହାରେ ରହୁଥିବା ରାଜ୍ୟ ବାସିନ୍ଦାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ରବିବାର ଦିନ ଧାମି କହିଥିଲେ ଯେ ୟୁସିସି ଧର୍ମ, ଲିଙ୍ଗ, ଜାତି କିମ୍ବା ସମ୍ପ୍ରଦାୟ ଆଧାରରେ ଭେଦଭାବ ମୁକ୍ତ ଏକ ସମନ୍ୱିତ ସମାଜର ମୂଳଦୁଆ ସ୍ଥାପନ କରିବ।

ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ‘ଏଥିରେ ଆଇନର ନିୟମାବଳୀର ଅନୁମୋଦନ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ତାଲିମ ଅନ୍ତର୍ଭୁକ୍ତ। ୟୁସିସି ସମାଜରେ ସମାନତା ଆଣିବ ଏବଂ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ଏବଂ କର୍ତ୍ତବ୍ୟ ସୁନିଶ୍ଚିତ କରିବ। ଆମେ ଆମର ପ୍ରତିଶ୍ରୁତି ପୂରଣ କରୁଛୁ। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଏହାର ଏକ ଉଦାହରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଗଣତନ୍ତ୍ର ଆଜି ଦୃଢ଼ ଭାବରେ ଠିଆ ହୋଇଛି।’

ମାର୍ଚ୍ଚ ମାସରେ ପୁନର୍ବାର କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ ବୈଠକରେ, UCC ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା ଏବଂ ଏହାର ଖସଡା ପ୍ରସ୍ତୁତ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନକୁ ଅନୁମୋଦନ କରାଯାଇଥିଲା। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ୨୭ ମଇ ୨୦୨୨ରେ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା।

Comments are closed.