Latest Odisha News

BREAKING NEWS

ଯାତ୍ରୀବାହୀ ବସ୍ ଓଲଟି ୨ମୃତ: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଗହମ ଗାଁ ନିକଟ ବସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଏଥିସହ ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ କେନ୍ଦୁଝରଠାରୁ ଅନୁଗୁଳ ଆସୁଥିବାବେଳେ ଗହମ ଗାଁ ନିକଟ ଆମ୍ଭତୋଟା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଓସଆରଟିସି ବସ୍। ବୁଲାଣି ରାସ୍ତାରେ ଭାରସାମ୍ଯ ହରାଇ ବସଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୪୭ ଜଣ ଅଳ୍ପବହୁତେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୭ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ବସରେ ୪୭ ଜଣ ଯାତ୍ରୀ ଥିଲେ । ତେବେ ଗାଡ଼ିଟି ଦ୍ରୁତ ଗତିରେ ଆସିବା ଯୋଗୁଁ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ସେପଟେ ଗାଡ଼ିରେ ଯାନ୍ତ୍ରୀକ ତ୍ରୁଟି ଥିଲା, କିନ୍ତୁ ତାଙ୍କୁ ବାଧ୍ୟକରି ରୁଟରେ ପଠାଯାଇଥିବା ହେଲପର କହିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇ ତଦନ୍ତ ଜାରି ରଖିଛି ।

Comments are closed.