Latest Odisha News

BREAKING NEWS

ଘଟଗାଁର ଆରାଧ୍ୟ ଦେବୀ ମା’ ତାରିଣୀ

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ପୀଠ । ମାଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ଛୁଟିଆସିଥାନ୍ତି । ମା’ ଙ୍କ ପାଖକୁ ଆସିପାରୁ ନଥିବା ଭକ୍ତ ମା’ଙ୍କ ପାଇଁ ନଡିଆଟିଏ ପଠାଇଦେଲେ ଅତି ଶ୍ରଦ୍ଧାର ସହ ମାଆ ତାକୁ ଗ୍ରହଣ କରୁଥିବା ବିଶ୍ୱାସ ରହିଛି ।

କଣ କହୁଛି କିମ୍ବଦନ୍ତୀ:

ମାଆ ତାରିଣୀ ହେଉଛନ୍ତି ଅଖଣ୍ଡ ବିଶ୍ୱାସ ଓ ଭକ୍ତିର ପ୍ରତୀକ। କିଂବଦନ୍ତୀ ଅନୁସାରେ, ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ମହାରାଜା ଗୋବିନ୍ଦ ଭଞ୍ଜଦେଓ ଥିଲେ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର କାଞ୍ଚି ଅଭିଯାନର ସେନାପତି। ବିଜୟ ଲାଭ ପରେ ଗଜପତିଙ୍କ ସହମତିରେ ଗୋବିନ୍ଦ ଭଞ୍ଜ କାଞ୍ଚିର ମାଆ ତାରିଣୀଙ୍କୁ କେନ୍ଦୁଝରକୁ ଅଣାଇଥିଲେ।

ମାଆ ତାରିଣୀଙ୍କ ସ୍ୱରୂପ ଦେଖିଲେ ମନେ ହୁଏ ମାଆ ହେଉଛନ୍ତି ସ୍ୱୟଂ ଆଦିବାସୀ ସଂସ୍କୃତିର ପ୍ରତୀକ। ଅନ୍ୟ ମନ୍ଦିର ଭଳି ଏଠାରେ ବ୍ରାହ୍ମଣମାନେ ପୂଜା କରନ୍ତି ନାହିଁ। ଏଠାକାର ପୂଜକ ଦେଉରୀ ସମ୍ପ୍ରଦାୟର ଲୋକ ଅଟନ୍ତି ।

ଯାନୀ ଯାତ୍ରା:

ମାଆଙ୍କର ମୁଖ୍ୟ ପର୍ବ ହେଉଛି ପଣା ସଂକ୍ରାନ୍ତି । ସେହି ସମୟରେ ମାଙ୍କ ପାଖରେ ଲାଗିଥାଏ ଭକ୍ତଙ୍କ ଲମ୍ବା ଧାଡି । ଏହି ସମୟରେ ସେଠାରେ ଅନୁଷ୍ଠିତ ହୁଏ ଚଇତି ମେଳା । ଏକ ମାସ ଧରି ଏହି ମେଳା ପାଳନ କରାଯାଏ । ସେହି ସମୟରେ ମାଙ୍କ ପାଖରେ ଏକ ପୋଡ଼ପିଠା ଲାଗିଥାଏ । ଯାହାର ସ୍ବାଦ ନଖାଇଲେ ଜାଣିହବନାହିଁ ।

ମାନସିକ ନଡ଼ିଆ:

ବିଶ୍ୱାସ ରହିଛି ମାଙ୍କୁ ସ୍ମରଣ କରି ନଡ଼ିଆଟିଏ ମାନସିକ କଲେ ଅସାଧ୍ୟ ସମସ୍ୟାର ବି ସମାଧାନ ହୋଇଥାଏ । ଲୋକମାନେ ମାନସିକ ନଡ଼ିଆକୁ ନିଜେ ନେଇ ସେଠାକୁ ଯାଇ ନପାରିଲେ ମଧ୍ୟ ଯେ କୌଣସି ଯାନ ବାହାନରେ ମାଆଙ୍କ ପାଖକୁ ନଡ଼ିଆଟିଏ ପଠାଇ ଦେଇଥାନ୍ତି। ଆଉ ସେହି ନଡ଼ିଆ ମାଆଙ୍କ ପାଖରେ ଆସି ପହଞ୍ଚି ଯାଇଥାଏ।

ଦେଶର କୋଣ ଅନୁକୋଣରୁ ଏତେ ସଂଖ୍ୟାରେ ନଡ଼ିଆ ଆସେ ଯେ, ସେସବୁକୁ ମହଜୁଦ କରି ରଖିବାକୁ ଏବଂ ସେଥିରୁ କତାଗୁଡ଼ିକୁ ବାହାର କରିବା ପାଇଁ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ।

କିପରି ଆସିବେ:

ରାଜଧାନୀ ଭୁବନେଶ୍ୱରରୁ ଘଟଗାଁ ମାଆ ତାରିଣୀଙ୍କ ପୀଠ ୧୮୦ କିମି। ଏହା କେନ୍ଦୁଝର ସହରରୁ ପ୍ରାୟ ୫୦ କିମି ଦୂର । ବାଟହରିଚନ୍ଦନପୁର ହେଉଛି ଘଟଗାଁର ନିକଟତମ ରେଲୱେ ଷ୍ଟେସନ୍‌। ଯାହା ଘଟଗାଁରୁ ମାତ୍ର ୧୭ କିମି ଦୂରରେ ଅବସ୍ଥିତ। ଆପଣ ଚାହିଁଲେ ନିୟମିତ ଚଳାଚଳ କରୁଥିବା ଯାତ୍ରୀବାହି ବସ୍‌ କିମ୍ବା ଟ୍ରେନ୍‌ରେ ମଧ୍ୟ ଯାଇ ପାରିବେ।

Leave A Reply

Your email address will not be published.