ଚେନ୍ନାଇ: ଭାରତର ତଥା ବିଶ୍ୱର ଜଣାଶୁଣା ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ସମ୍ମାନଜନକ ଭାରତୀୟ କ୍ରୀଡା ସାମ୍ବାଦିକ ମହାସଂଘ (SJFI) ପଦକ ପ୍ରଦାନ କରାଯାଇଛି। ବୁଧବାର ଦିନ ଚେନ୍ନାଇସ୍ଥିତ ମାଡ୍ରାସ କ୍ରିକେଟ୍ କ୍ଲବ (MCC)ରେ ତାଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି। ସେ ଭାରତୀୟ କ୍ରୀଡ଼ା ଏବଂ ବିଶ୍ୱ ଦରବାରରେ ଚେସ୍ ଖେଳକୁ ଦେଇଥିବା ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ତାଲିକାରେ ପୂର୍ବରୁ ସୁନୀଲ ଗାଭାସ୍କର, ମିଲ୍ଖା ସିଂ ଏବଂ ପି.ଟି. ଉଷାଙ୍କ ପରି ଖେଳାଳିମାନେ ସାମିଲ ଅଛନ୍ତି।
ବିଶ୍ୱନାଥନ ଆନନ୍ଦ ହେଉଛନ୍ତି ଭାରତର ପ୍ରଥମ ଚେସ୍ ଗ୍ରାଣ୍ଡମାଷ୍ଟର ଏବଂ ପୂର୍ବତନ ବିଶ୍ୱ ଚାମ୍ପିଆନ। ସେ ତାଙ୍କର ଅସାଧାରଣ ବୁଦ୍ଧି ଏବଂ ଦ୍ରୁତ ଚାଲ ପାଇଁ ‘ଭିଶି’ (Vishy) ଭାବରେ ପରିଚିତ। ସେ ଚେସ୍ ଜଗତରେ ଭାରତର ସ୍ୱାଭିମାନ ବଢ଼ାଇଛନ୍ତି। ଖେଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ (ବର୍ତ୍ତମାନ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ) ପୁରସ୍କାର ପାଇବାରେ ପ୍ରଥମ ଖେଳାଳି ଥିଲେ। ସେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମବିଭୂଷଣ’ ସମେତ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ମଧ୍ୟ ସମ୍ମାନିତ ହୋଇଛ
ଏହି କାର୍ଯ୍ୟକ୍ରମ ତାମିଲନାଡୁ କ୍ରୀଡା ସାମ୍ବାଦିକ ସଂଘ (TNSJA) ସହଭାଗୀତାରେ ଆୟୋଜିତ ହୋଇଥିଲା। ଚେସ୍ ପରିଚାଳନା ସଂସ୍ଥା FIDEର ଉପ-ସଭାପତି ଭାବରେ କାର୍ଯ୍ୟ କରୁଥିବା ଆନନ୍ଦ ଏକ ସମ୍ମାନଜନକ ପୁରସ୍କାର ବିଜେତା ତାଲିକାରେ ସାମିଲ ହୋଇଛନ୍ତି। ୫୬ ବର୍ଷୀୟ ଖେଳାଳିଙ୍କୁ ଏହି ପଦକ ପ୍ରଦାନ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଏବଂ ମୁଖ୍ୟ ଚୟନକର୍ତ୍ତା କେ.ଶ୍ରୀକାନ୍ତ।
ଏହି କାର୍ଯ୍ୟକ୍ରମରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳି ଭି ଭାସ୍କରନ୍ ଉପସ୍ଥିତ ଥିଲେ। ଅଭିଜ୍ଞ ସାମ୍ବାଦିକ ଆର ମୋହନ ପ୍ରଶଂସାପତ୍ର ପାଠ କରିଥିଲେ, ଯାହା ଆନନ୍ଦଙ୍କୁ ପରେ ପ୍ରଦାନ କରାଗଲା। ସେ ନିଜ ଭାଷଣ ସମୟରେ ଭାସ୍କରନ୍ “କ୍ରୀଡାକୁ ପ୍ରୋତ୍ସାହିତ କରିବାରେ ଏକ ଚମତ୍କାର କାର୍ଯ୍ୟ” ପାଇଁ SJFIକୁ ପ୍ରଶଂସା କରିଥିଲେ। ଅନ୍ୟପଟେ SJFI ସଭାପତି ସରାଜୁ ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ଦେଇଥିଲେ। ଫେଡେରେସନର ସଚିବ ଭି ରମେଶ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଏହି ସମାରୋହରେ GMs K. Sasikiran, ଶ୍ୟାମ ସୁନ୍ଦର, IMs Manuel Aaron, V Saravanaan ଏବଂ ପୂର୍ବତନ ହକି ଖେଳାଳି ମହମ୍ମଦ ରିଆଜ୍ ସମେତ ଅନ୍ୟ ପ୍ରଖ୍ୟାତ କ୍ରୀଡା ବ୍ୟକ୍ତିତ୍ୱ ମଧ୍ୟ ଉପସ୍ଥିତ ଥିଲେ।
