କୋଲକାତା: ପଶ୍ଚିମବଙ୍ଗର ରାଜନୈତିକ ମଇଦାନରେ ସବୁବେଳେ କିଛି ନା କିଛି ହଲଚଲ ଲାଗିରହିଥାଏ। ହେଲେ ଏଥର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳର ତୃଣମୂଳ କଂଗ୍ରେସ (TMC)କୁ ଏମିତି ଏକ ବାଉନ୍ସର ମାରିଛନ୍ତି, ଯାହାର ଜବାବ ଖୋଜିବା ବିରୋଧୀ ଦଳରେ ଥିବା ଟିଏମସିକୁ ସହଜ ହେବନାହିଁ।
ପଶ୍ଚିମବଙ୍ଗରେ ସମାନ ନାଗରିକ ସଂହିତା, ଓବିସି ସଂରକ୍ଷଣର ସଂଶୋଧନ ଏବଂ ସବୁଠାରୁ ଚର୍ଚ୍ଚିତ ‘ଜୋରଜବରଦସ୍ତି ଚାନ୍ଦା ଆଦାୟ ବିରୋଧୀ ବିଲ୍’ (Anti-Extortion Bill) ଆଣିବାକୁ ପ୍ରସ୍ତୁତି କରି ଶୁଭେନ୍ଦୁ ପୂରା ରାଜ୍ୟରେ ଏକ ବଡ଼ ବିତର୍କର ନିଆଁ ସୁଲଗାଇ ଦେଇଛନ୍ତି। ବଙ୍ଗଳାର ସାମାଜିକ ଓ ରାଜନୈତିକ ଢାଞ୍ଚାକୁ ସମ୍ପୂର୍ଣ୍ଣ ବଦଳାଇ ଦେବା ଭଳି ଏହି ଆଇନଗତ ପ୍ରସ୍ତାବ ଏବେ କୋଲକାତାରୁ ଦିଲ୍ଲୀ ପର୍ଯ୍ୟନ୍ତ କମ୍ପନ ସୃଷ୍ଟି କଲାଣି।
ଏହି ସମଗ୍ର ଯୋଜନା ପଛରେ ବିଜେପିର ଏକ ସୁଚିନ୍ତିତ ରଣନୀତି ଲୁଚି ରହିଛି। ବିଶେଷ କରି ପଶ୍ଚିମବଙ୍ଗରେ ଚାଲିଥିବା କୋଠାବାଡ଼ି ନିର୍ମାଣ ସମୟରେ ‘ସିଣ୍ଡିକେଟ୍ ରାଜ୍’ ଏବଂ ବ୍ୟବସାୟୀଙ୍କଠାରୁ ଜବରଦସ୍ତି ଚାନ୍ଦା ଆଦାୟକୁ ଏକ ବଡ଼ ପ୍ରସଙ୍ଗ କରିଛି ଦଳ। ଏହାକୁ ରୋକିବା ପାଇଁ ଶୁଭେନ୍ଦୁ ଆଣୁଥିବା ‘ଆଣ୍ଟି-ଏକ୍ସଟର୍ସନ ବିଲ୍’ ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ୟୁସିସି ଏବଂ ଓବିସି ତାଲିକାର ସମୀକ୍ଷା ସିଧାସଳଖ ଭୋଟ୍ ବ୍ୟାଙ୍କ ରାଜନୀତି ଉପରେ ଶକ୍ତ ଆଘାତ କରିବ ବୋଲି ଅନୁମାନ କରାଯାଉଛି।
ତୃଣମୂଳ କଂଗ୍ରେସ ଏହି ପ୍ରସ୍ତାବିତ ବିଲ୍ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ବିଜେପିର ‘ଧ୍ରୁବୀକରଣ’ ରାଜନୀତି ବୋଲି ଆଖ୍ୟା ଦେଇଛି। ମମତାଙ୍କ ଦଳର କହିବା କଥା ଯେ, ବଙ୍ଗଳାର ନିଜସ୍ୱ ସଂସ୍କୃତି ଓ ସାମାଜିକ ସଦ୍ଭାବନା ରହିଛି ଏବଂ ଏଭଳି ବିଲ୍ ଆଣି ବିଜେପି କେବଳ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି।
ବିଧାନସଭାରେ ସଂଖ୍ୟାବଳ ଦୃଷ୍ଟିରୁ ଏହି ବିଲ୍ ପାସ୍ ହେବା ସହଜ, ଶୁଭେନ୍ଦୁ ଅଧିକାରୀ ଏହାକୁ ଜନତାଙ୍କ ଦରବାରକୁ ନେଇଯିବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
