Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩ ଉଦଘାଟିତ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଏବଂ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଭାବେ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହ ସହଭାଗିତାରେ ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩ ଆୟୋଜିତ ହୋଇଛି । ଉଦଘାଟନୀ ଉତ୍ସବରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କୃଷି ଯାନ୍ତ୍ରିକୀକରଣ ହେଉଛି ବର୍ତ୍ତମାନର ଆବଶ୍ୟକତା ।

ଏହି ଅବସରରେ ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କୃଷି ସମୁଦାୟର ସାମଗ୍ରିକ ବିକାଶ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛି ଏବଂ ଏହା ଆମ ପାଇଁ ମୁଖ୍ୟ ପ୍ରାଥମିକତା ଅଟେ । ରାଜ୍ୟ ସରକାରଙ୍କ କାଳିଆ ଯୋଜନା, ବଳରାମ ଯୋଜନା, ମିଲେଟ୍ ମିଶନ ଆଦିକୁ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ କାର୍ଯ୍ୟକାରୀ କରାଯାଇଥିଲା । ସେ କୃଷକମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, ‘ ଆପଣମାନଙ୍କର ମୂଲ୍ୟବାନ ଅବଦାନ ପାଇଁ ଓଡ଼ିଶାକୁ ନିୟମିତ ବ୍ୟବଧାନରେ ଜାତୀୟ ସ୍ତରରେ ଅନେକ ସମ୍ମାନ ଓ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ‘ଓଡ଼ିଶାର କୃଷି ପ୍ରତି ଏକ କୈନ୍ଦ୍ରିକ ଆଭିମୁଖ୍ୟ ରହିଛି । ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଆମେ ମାଛଚାଷ, ପଶୁପାଳନ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହୋଇଛୁ । ଖାଦ୍ୟଶସ୍ୟ ଉତ୍ପାଦନ ମଧ୍ୟ ୨୦୦୦-୦୧ରେ ୫୫.୩୫ ଲକ୍ଷ ମେଟ୍ରିକ୍ ଟନ୍‌ରୁ ୨୦୨୦-୨୧ରେ ୧୩୦.୨୯ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି, ଯାହା ୧୬୦% ପ୍ରତିଶତର ଏକ ଅଭିବୃଦ୍ଧି ।

ସମାନ ରୂପେ ତୈଳବୀଜ ଉତ୍ପାଦନ ୫୮%, ଡାଲି ୬୬% ଓ ପନିପରିବା ଉତ୍ପାଦନ ୬୭% ଯାଏଁ ବୃଦ୍ଧି ପାଇଛି । ମାଛ ଉତ୍ପାଦନ ଗତ ୨୦ ବର୍ଷ ମଧ୍ୟରେ ୯ ଲକ୍ଷ ୯୦ ହଜାର ମେଟ୍ରିକ୍ ଟନ୍‌କୁ ବୃଦ୍ଧି ହୋଇଛି । ଓଡ଼ିଶା ଏବେ ଦେଶର ୪ର୍ଥ ସର୍ବବୃହତ୍ ମାଛ ଉତ୍ପାଦନକାରୀ ରାଜ୍ୟ ଅଟେ ।, ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସେହିପରି ଚାଷଜମିରେ ବନ୍ୟାର ପ୍ରଭାବକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛନ୍ତି । ପଶ୍ଚିମ ଓଡ଼ିଶା ଏହି କାର୍ଯ୍ୟକ୍ରମର ସର୍ବବୃହତ୍ ହିତାଧିକାରୀ ଅଟେ ।’

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ କହିଛନ୍ତି, ‘ ଆମେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ କୃଷକ ମେଳାର ଆୟୋଜନ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମ କୃଷକ ମେଳା ସମ୍ବଲପୁରରେ ଆୟୋଜିତ ହୋଇଛି । କୃଷି କ୍ଷେତ୍ର ଆମ ଅର୍ଥନୀତିରେ ୨୦% ଯୋଗଦାନ ଦେଉଛି । ଅଧାରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭର କରୁଛି । ରାଜ୍ୟ ସରକାର କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ରହିଛନ୍ତି । ଆମର କୃଷକମାନଙ୍କୁ ନିଜ ଉତ୍ପାଦର ବାଣିଜ୍ୟିକୀକରଣ ଓ ବଜାର ସଂଯୋଗ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ସେମାନଙ୍କୁ ଉଦ୍ୟୋଗୀତାକୁ ଗ୍ରହଣ କରିବାକୁ ପଡିବ । କୃଷି ମସୁଦାୟର ଅନେକ ଯୁବପିଢି ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହ ଦେଖାଉଛନ୍ତି । ରାଜ୍ୟ ସରକାର ମେଶିନ୍‌ଗୁଡିକ ଉପରେ ୭୫% ସବ୍‌ସିଡି ଦେଉଛନ୍ତି । ସେ କୃଷକମାନଙ୍କୁ ଏହି ଯୋଜନାର ଲାଭ ହାସଲ କରିବାକୁ ଆବେଦନ କରିଛନ୍ତି ।

ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଓଡିଶା ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ , ଆଇଏଏସ୍  ପ୍ରେମଚନ୍ଦ୍ର ଚୌଧୁରୀ, ସମ୍ବଲପୁର ଜିଲ୍ଲାପାଳ, ଡିଏମ୍‌, ଆଇଏଏସ୍ ଅନନ୍ୟା ଦାସ, କୁଚିଣ୍ଡାର ବିଧାୟକ କିଶୋର ଚନ୍ଦ୍ର ନାୟକ, ସମ୍ବଲପୁର, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମୁଦିନି ନାୟକ ଏବଂ ଅନ୍ୟାନ୍ୟ ଅଧିକାରୀ ଓ କୃଷକମାନେ ସାମିଲ ଥିଲେ ।

ଏହି ମେଳାରେ ମୋଟ ୧୦୦ରୁ ଅଧିକ ଷ୍ଟଲ୍ ରହିଛି ଯେଉଁଠାରେ ଆଗ୍ରି ଇମ୍‌ପ୍ଲାଂଟ୍‌, ମିଲେଟ୍‌, ହସ୍ତତନ୍ତ, ହସ୍ତଶିଳ୍ପ ଓ ଭାରୀ ଯନ୍ତ୍ରପାତିଗୁଡିକର ଲାଇଭ୍ ପ୍ରଦର୍ଶନ ସାମିଲ ରହିଛି । ପଶ୍ଚିମ ଓଡିଶାର ୫ ଜଣ ପ୍ରଗତିଶୀଳ କୃଷକଙ୍କୁ କୃଷି ଓ କୃଷି କ୍ଷେତ୍ରରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ମାନ୍ୟବର କୃଷି ମନ୍ତ୍ରୀ ଆଜି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ସିଷ୍ଟମର ବ୍ୟବହାର କରି ପ୍ରଗତିଶୀଳ ଚାଷୀଙ୍କୁ ମିଳିତ ଭାବରେ କମ୍ବାଇନ ହାର୍ଭେଷ୍ଟର, ଟ୍ରାକ୍ଟର ଏବଂ ମୁଢ଼ି ପ୍ରସ୍ତୁତକାରୀ ଯନ୍ତ୍ରପାତିର ଚାବି ପ୍ରଦାନ କରିଛନ୍ତି ।

ଏହି ୫ ଦିନିଆ ସେମିନାର୍‌ରେ ଧାନ ଆଧାରିତ ଫସଲ ପ୍ରଣାଳୀକୁ ପୁନର୍ଜୀବିତ କରିବା, ଉଦ୍ୟାନ ବିଜ୍ଞାନ ହସ୍ତକ୍ଷେପ ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି କରିବା, ଜଳବାୟୁ ଅନୁକୂଳ ଚାଷ,କୃଷି ରପ୍ତାନୀ ପ୍ରୋତ୍ସାହନ, ମାଛ ଉତ୍ପାଦନ ମାଧ୍ୟମରେ ଆୟ ବୃଦ୍ଧି, ପଶୁପାଳନ କାର୍ଯ୍ୟ ମାଧ୍ୟମରେ ରୋଜଗାର ବଢାଇବା, ଆଗ୍ରିବିଜ୍‌ନେସ୍‌- ସମୃଦ୍ଧ କୃଷି ଉଦ୍ୟୋଗ ଆଦି ଉପରେ ଅଧିବେଶନର ଆୟୋଜନ ହେବ ।

କୃଷି ଯାନ୍ତ୍ରିକୀକରଣ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ, କେଜ୍ କଲ୍‌ଚର ଓ ବାୟୋଫ୍ଲକ୍ ମାଧ୍ୟମରେ ମାଛଚାଷ, ଇଂଟିଗ୍ରେଟେଡ୍ ଫାର୍ମିଙ୍ଗ ସିଷ୍ଟମ, ଇଂଟରନ୍ୟାଶନାଲ ଇୟର ଅଫ୍ ମିଲେଟ୍‌ସ; ମିଲେଟ୍ ଚାଷର ସୁଯୋଗ ଓ ଲାଭ, ଅଫ୍ ସିଜନ ପନିପରିବା ଚାଷ ଓ ଏକ୍‌ଜୋଟିକ୍ ଫଳ ଚାଷ: ସମସ୍ୟା ସମ୍ଭାବନା, ମାଇକ୍ରୋ ଜଳସେଚନ ଓ ସୁରକ୍ଷିତ କୃଷିକାର୍ଯ୍ୟ: ଲାଭ ଓ ଆହ୍ୱାନ ଭଳି ବିଭିନ୍ନ ବିଷୟବସ୍ତୁ ଉପରେ କୃଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

Leave A Reply

Your email address will not be published.