Latest Odisha News

BREAKING NEWS

ଦିବଂଗତ ବିଧାୟକଙ୍କ ପୁଅ ନା ମନ୍ତ୍ରୀଙ୍କ ଝିଅ, କିଏ ହେବେ ବ୍ରଜରାଜନଗର ବିଧାନସଭାର ପ୍ରାର୍ଥୀ ?

ଝାରସୁଗୁଡା: କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଛି ଝାରସୁଗୁଡାର ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନ ପରେ ପରେ ଖୁବଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ରହିଛି । ତେଣୁ ବ୍ରଜରାଜନଗର ବିଧାନସଭା ଆସନରୁ କିଏ ହେବେ ପ୍ରାର୍ଥୀ ସେ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି । ଏହାରି ଭିତରେ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଏହି ଦାବି କରିଛନ୍ତି ଖୋଦ୍ ନବ ଦାସଙ୍କ ସମର୍ଥକ ।

ଝାରସୁଗୁଡା ନରସିଂହପୁର ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଲଖନପୁର ଜୋନରେ ଏକ ଆମ୍ବୁଲାନ୍ସ ସେବାର ଉଦଘାଟନ ହୋଇଛି । ଏହି ଅବସରରେ ମନ୍ତ୍ରୀଙ୍କ ଝିଅ ଦୀପାଳି ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆମ୍ବୁଲାନ୍ସ ସେବାର ଉଦଘାଟନ କରିଥିଲେ । ଏହି ସମୟରେ ବକ୍ତବ୍ୟ ରଖିଥିଲେ ଲଖନପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ପ୍ରଧାନ। ସେ କହିଥିଲେ ଦୀପାଳି ଦାସଙ୍କୁ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ କରିବା ଠିକ୍ ହେବ । ଏଠିକାର ଲୋକେ ତାଙ୍କୁ ବିଧାୟିକା ଭାବେ ଦେଖିବାକୁ ଚାହୁଁଛନ୍ତି । ଏଥିସହ ସେ ବିଧାୟିକା ହେବାକୁ ଯୋଗ୍ୟ । ଗୌତମଙ୍କର ସ୍ଥାନୀୟ ରାଜନୀତିରେ ପ୍ରଭାବ ରହିଛି । ତେଣୁ ଗୌତମଙ୍କ ବୟାନ କୌଣସି ଉଡା କଥା ନୁହେଁ ବରଂ ଦଳ ଭିତରର ଏକ ରଣନୀତି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦୀପାଳିଙ୍କ ନାଁକୁ ଲୋକଙ୍କ କାନରେ ପକାଇ ମନ୍ତ୍ରୀଙ୍କ ସମର୍ଥକ ଆଗକୁ ବଢିବାକୁ ଚାହୁଁଥାଇପାରନ୍ତି।

ଏଯାବତ ନିକଟରେ ହୋଇଥିବା ବିଧାନସଭା ଉପନିର୍ବାଚନକୁ ଦେଖିବା ତାହେଲେ ଶାସକ ଦଳ ବିଜେଡି ଦିବଂଗତ ବିଧାୟକଙ୍କ ପରିବାର ଲୋକଙ୍କୁ ଟିକେଟେ ଦେଇଛି । ପିପିଲି, ପାଟକୁରା, ତିର୍ତ୍ତୋଲ କିମ୍ବା ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ବେଳେ ଦିବଂଗତ ବିଧାୟକଙ୍କ ପରିବାର ଲୋକଙ୍କୁ ଟିକେଟ ଦେଇଛି । ଆଉ ସେମାନେ ବିଜୟ ମଧ୍ୟ ହୋଇଛନ୍ତି । ଏହି ଧାରାରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ କିଶୋରଙ୍କ ପରିବାର ଲୋକ ଟିକେଟ ପାଇପାରନ୍ତି । କିନ୍ତୁ ଝାରସୁଗୁଡା ରାଜନୀତିରେ ନବ ଏବଂ କିଶୋର ପରସ୍ପରର ବିରୋଧୀ । ନବ ଦାସ ବିଜେଡିରେ ମିଶିବା ପରେ ଉଭୟ କିଶୋର ଏବଂ ନବଙ୍କର ଆସନ ବଦଳିଥିଲା । ଉଭୟ ଗୋଟିଏ ଦଳରେ ଥିଲେ ।

ଯେହେତୁ ନବ ମନ୍ତ୍ରୀ ପଦ ପାଇଥିଲେ ତେଣୁ କିଶୋରଙ୍କୁ ଦଳର ଜିଲ୍ଲା ସଭାପତି ପଦ ଦେଇ ଆଶଙ୍କା କରାଯାଉଥିବା କନ୍ଦଳ ଉପରେ ତାଳି ମାରିଥିଲା ବିଜେଡି । ସେହିପରି ପଞ୍ଚାୟତ ନିର୍ବାଚନ ବେଳେ ନବଙ୍କ ସମର୍ଥକମାନେ ଟିକେଟ ପାଇଥିଲେ। ନିରାଶ ହୋଇଥିଲେ କିଶୋରଙ୍କ ସମର୍ଥକ । ହେଲେ ଭୋଟ୍ ବିଭାଜନ ଆଶଙ୍କା କରି କିଶୋରଙ୍କ ପୁଅକୁ ପ୍ରଚାରରେ ସାମିଲ କରାଇଥିଲେ ନବ । ଏପରି କରି ସେ କିଶୋରଙ୍କ ସମର୍ଥକଙ୍କ ସହିତ ରହିଛନ୍ତି ବୋଲି କହିଥିଲେ।

ଅନ୍ୟପଟେ ନବ ଦାସଙ୍କ ଝିଅ ଯଦି ବିଧାୟକ ପ୍ରାର୍ଥୀ ହୋଇ ବିଜୟୀ ହୁଅନ୍ତି ତାହେଲେ ଉଭୟ ଝାରସୁଗୁଡା ଏବଂ ବ୍ରଜରାଜନଗର ଆସନ ଗୋଟିଏ ପରିବାର ପାଖରେ ରହିଯିବ । ଏପରି ହେଲେ ଆଗକୁ ବଢୁଥିବା ବିଜେଡିକୁ ଝଟକା ବି ଲାଗିପାରେ ପରିବାର ରାଜନୀତିର ଛିଟା ମଧ୍ୟ ଲାଗିବ । ଆଗକୁ ରାଜ୍ୟସଭା ଆସନ ଖାଲି ହେଉଛି ତେଣୁ ଏହାକୁ ଦେଖି ନବ ଦାସ କିଛି ଗୋଟି ଚଳାଇ ଥାଉ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କାରଣ ନବ ରାଜନୀତିରେ ବେଶ ସଫଳ । ବିଧାନସଭା ପହଂଚିସାରିଛନ୍ତି ହେଲେ ନୂଆଦିଲ୍ଲୀକୁ ଏଯାବତ ଯାଇପାରିନାହାନ୍ତି । ତେଣୁ ଏପରି କିଛି ଚର୍ଚ୍ଚା କରୁଛନ୍ତି ରାଜନୈତିକ ସମୀକ୍ଷକ।

ତେବେ ଦୀପାଳିଙ୍କ ବାପା ଝିଅକୁ ବିଧାୟକ କରିବାକୁ ଆସିଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି । କିଏ ବିଧାୟକ ପ୍ରାର୍ଥୀ ହେବେ ତାହା ଦଳ ସ୍ଥିର କରିବ ସେ ନୁହେଁ ବୋଲି ସଫେଇ ଦେଇଛନ୍ତି।

Leave A Reply

Your email address will not be published.