ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ବଦଳିଲା ଫଲୋଦି ସଟ୍ଟା ବଜାର ଭବିଷ୍ୟବାଣୀ । କିଏ ଜିତିବ ଦିଲ୍ଲୀ ବାଜି? କଣ କହୁଛି ସଟ୍ଟାବଜାର ଆକଳନ? ନୂଆ ଆକଳନରେ କିଏ ବାଜିଗର? ଆମ ଆଦମୀ ପାର୍ଟିର ବିଜୟ ରଥ ଓଗାଳିବ କି ବିଜେପି ? ନା ପୁଣି ଦିଲ୍ଲୀ ଦଖଲ କରିବ ଆପ୍? ଦିଲ୍ଲୀରେ କମବ୍ୟାକ କରିବ କି କଂଗ୍ରେସ? ଫେବ୍ରୁଆରୀ ୫ରେ ଦିଲ୍ଲୀ ନିର୍ବାଚନ ହେବାକୁ ଯାଉଥିବା ବେଳେ ଦେଶର ରାଜଧାନୀରେ ବଢିଲାଣି ରାଜନୀତିର ପାରଦ । ଜନତାଙ୍କୁ ନିଜ ସପକ୍ଷରେ କରିବାକୁ ମାଗଣା ଯୋଜନା ଓ ଲୋଭନୀୟ ପ୍ରତିଶ୍ରୁତି ବର୍ଷା କରୁଛନ୍ତି ସବୁ ଦଳ । ତେବେ କିଏ ଜିତିବ ଦିଲ୍ଲୀ, ଆସିଲା ସଟ୍ଟାବଜାର ଆକଳନ ।
ଦିଲ୍ଲୀରେ କାହାର କେମିତି ସ୍ଥିତି?
ତୃତୀୟ ଥର କ୍ଷମତାକୁ ଆସିବାକୁ ଉଦ୍ୟମ କରୁଥିବା ଆପ୍ ଏଥର ଦୁର୍ନୀତି ଅଭିଯୋଗ, ଶାସନ ବିରୋଧୀ ଲହର ଓ ଅଧାପନ୍ତରିଆ ବିକାଶମୂଳକ କାମ ଭଳି ଅନେକ ଚ୍ୟାଲେଞ୍ଜର ସାମନା କରୁଛି । ସେପଟେ ପ୍ରାୟ ତିନି ଦଶନ୍ଧୀ ଧରି ଦିଲ୍ଲୀରେ କ୍ଷମତାଠୁ ଦୂରରେ ରହିଥିବା ବିଜେପି ଆପ ଓ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜୋରଦାର ଟାର୍ଗେଟ୍ କରିବା ସହ ବିଜୟ ଅଙ୍କ କଷୁଛି । ତେବେ ଆପର ଲୋକପ୍ରିୟ ଯୋଜନା ଓ ବଡ଼ ଚେହେରା ଅଭାବ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ବିଳମ୍ବରେ ନିର୍ବାଚନ ରେସରେ ଏଣ୍ଟ୍ରି କରିଥିଲେ ବି କଂଗ୍ରେସ ଏଥର କଡା ଆଭିମୁଖ୍ୟ ନେଇଛି । ପୂର୍ବ ସାଥୀ ଆପ୍ ସହ ବିଜେପିକୁ ସିଧା ଟାର୍ଗେଟ୍ କରିବା ସହ ଏଥର ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛି ।
କଣ କହୁଛି ଫଲୋଦି ସଟ୍ଟାବଜାର ଭବିଷ୍ୟବାଣୀ?
ଦିଲ୍ଲୀରେ ପୁଣି ଆମ ଆଦମୀ ପାର୍ଟି କ୍ଷମତାକୁ ଫେରିପାରେ ବୋଲି ଆକଳନ କରୁଛନ୍ତି ବିଭିନ୍ନ ଓପିନିୟନ ପୋଲ୍ । ରାଜସ୍ଥାନର ଫଲୋଦି ସଟ୍ଟାବଜାର ମଧ୍ୟ ସମାନ ଆକଳନ କରିଛି । ନିର୍ବାଚନ ତାରିଖ ଘୋଷଣା ପରେ ସଟ୍ଟା ବଜାର ପକ୍ଷରୁ ପ୍ରଥମ ଆକଳନ ଆସିଥିଲା । ଏଥିରେ ଆପ୍ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ମ୍ୟାଜିକ ନମ୍ବର ୩୬ ଅତିକ୍ରମ କରିବ ବୋଲି କୁହାଯାଇଥିଲା । ତେବେ ୨୦୧୫ରେ ୬୭ ଓ ୨୦୨୦ରେ ୬୨ ସିଟ୍ ଜିତିଥିବା ଆପ୍ ଏଥର ଅପେକ୍ଷାକୃତ କମ୍ ସିଟ୍ ପାଇବ । ସେହିପରି ବିଜେପି ବେଶ୍ ଭଲ ପ୍ରଦର୍ଶନ କଲେ ବି ମ୍ୟାଜିକ ନମ୍ବରରୁ କମ୍ ସିଟ୍ ପାଇବ ବୋଲି ଆକଳନ କରାଯାଇଥିଲା ।
ନୂଆ ଆକଳନରେ କାହାକୁ କେତେ ?
ପ୍ରଥମ ଆକଳନରେ ଫଲୋଦି ସଟ୍ଟାବଜାର ଆପ ୩୭ରୁ ୩୯ଟି ସିଟ୍ ଜିତିପାରେ ବୋଲି ଆକଳନ କରିଥିଲା । ତେବେ ନୂଆ ଆକଳନରେ ଆପକୁ ଅଧିକ ସିଟ୍ ଦେଇଛି ଫଲୋଦି ସଟ୍ଟାବଜାର । ଆପ୍ ଏଥର ୩୯ରୁ ୪୧ଟି ସିଟ୍ ଜିତିପାରେ ବୋଲି ଆକଳନ କରିବା ସହ ଦିଲ୍ଲୀରେ ଆପ୍ ସପକ୍ଷରେ ହାଓ୍ବା ବହୁଥିବା ନେଇ ସନ୍ଦେଶ ଦେଇଛି । ୧୯୯୩ ମସିହାରେ ଦିଲ୍ଲୀରେ ଶେଷ ଥର ପାଇଁ ନିର୍ବାଚନ ଜିତିଥିବା ବିଜେପି ଏଥର ବେଶ୍ ଭଲ ପ୍ରଦର୍ଶନ କରିପାରେ । ତେବେ ବିଜେପି ମ୍ୟାଜିକ ନମ୍ବରଠାରୁ ଅଳ୍ପ ଦୂରରେ ରହିପାରେ । ପୂର୍ବଥର ବିଜେପି ୨୫ରୁ ୩୫ଟି ସିଟ୍ ଜିତିବା ନେଇ ସଟ୍ଟାବଜାର ଆକଳନ କରିଥିଲା । ତେବେ ନୂଆ ଆକଳନରେ ବିଜେପିକୁ ୨୯ରୁ ୩୧ଟି ସିଟ୍ ମିଳିବା ନେଇ କୁହାଯାଇଛି । ଦିଲ୍ଲୀ ଲୋକସଭା କିମ୍ବା ବିଧାନସଭାରେ ଶୂନ ପ୍ରତିନିଧିତ୍ବ ରହିଥିବା କଂଗ୍ରେସ ଏଥର କମବ୍ୟାକ୍ କରିବାକୁ ଯୋଜନା କରୁଛି । ତେବେ ସଟ୍ଟାବଜାର କଂଗ୍ରେସ ପାଇଁ କୌଣସି ଆକଳନ କରିନି। ତେବେ ପୂର୍ବଥର ଆକଳନରେ କଂଗ୍ରେସକୁ ୩ଟି ସିଟ୍ ଦେଇଥିଲା ସଟ୍ଟାବଜାର ।
ଦିଲ୍ଲୀର ୭୦ଟି ବିଧାନସଭା ସିଟ ପାଇଁ ମଇଦାନରେ ୬୯୯ଜଣ ପ୍ରାର୍ଥୀ ରହିଛନ୍ତି । ଆପ୍ ଓ କଂଗ୍ରେସ ସବୁ ସିଟରେ ପ୍ରାର୍ଥୀ ଦେଇଥିବା ବେଳେ ୬୮ଟି ସିଟରେ ଲଢୁଛି ବିଜେପି । ବାକି ଦୁଇଟି ସିଟ୍ ମେଣ୍ଟ ସହଯୋଗୀ ଜେଡିୟୁ ଓ ଏଲଜେପିକୁ ଦେଇଛି ଦଳ। ଫେବ୍ରୁଆରୀ ୫ତାରିଖରେ ଦିଲ୍ଲୀ ନିର୍ବାଚନ ହେବା ବେଳେ ୮ତାରିଖରେ ଫଳାଫଳ ପ୍ରକାଶ ପାଇବ । ସଠିକ୍ ଆକଳନକୁ ନେଇ ଚର୍ଚ୍ଚାରେ ରହିଥିବା ଫଲୋଦି ସଟ୍ଟାବଜାରର ଆକଳନ ଦିଲ୍ଲୀ ପାଇଁ କେତେ ଠିକ୍ ହେଉଛି, ତାଉପରେ ନଜର ରହିବ ।
Comments are closed.