Latest Odisha News

BREAKING NEWS

କଲମ କ୍ୟାପ୍‌ରେ କାହିଁକି ଥାଏ କଣା ? ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର: ବଲ୍ ପେନ୍ କିମ୍ବା ଇଙ୍କ୍ ପେନ୍‌ରେ ଲେଖିବା ସମୟରେ ଆମେ ଅଳ୍ପ ବହୁତ କେହିନା କେହି କ୍ୟାପ ଚୋବାଇଥାଉ । ଏ କଥା ସତ ଯେ, ଏହି ଅଭ୍ୟାସ ସମସ୍ତଙ୍କର ନଥାଏ । ତେବେ ଅନେକ ଲୋକ ହୁଏ ତ ପିଲାଦିନେ କିମ୍ବା ଯୁବାବସ୍ଥାରେ ଏପରି କରିଥାଇପାରନ୍ତି । ଏମିତି ଅନେକ କମ୍ପାନୀର କଲମ ରହିଛି, ଯାହାର କ୍ୟାପ୍‌ରେ କଣା ଥିବା ଆମେ ନିଶ୍ଚିତ ଭାବେ ଦେଖିଥାଉ । ତେବେ ଏହି କଣା କାହିଁକି ଓ କେଉଁ କାରଣରୁ ଥାଏ, ବୋଧ ହୁଏ ତାର ପ୍ରକୃତ କାରଣ ଅନେକଙ୍କୁ ଜଣାନଥିବ ।

କଲମ କ୍ୟାପ୍‌ରେ କଣା ରଖିବା ପଛର କାରଣ କୌଣସି କମ୍ପାନୀ ପ୍ୟାକେଟରେ ବିବରଣୀ ଦେଇନଥାନ୍ତି । ବୋଧ ହୁଏ ଏଥିପାଇଁ ଅନେକ ଲୋକ ଏହାର କାଳ୍ପନିକ ଯୁକ୍ତି ମଧ୍ୟ ବାଢିଥାନ୍ତି । କଲମ ଓ କ୍ୟାପ୍ ମଧ୍ୟରେ ବାୟୁ ଚାପ୍ ସୃଷ୍ଟି ନହେବା ସହ ଏହାକୁ ସହଜରେ ଖୋଲିବା ଲାଗି ଏପରି କରାଯାଇଥାଏ ବୋଲି ଅନେକ ଦାବି କରନ୍ତି । ଆଉ କେହି ବିଶ୍ୱାସ କରନ୍ତି ଯେ, ବଲ୍ ପେନ୍ ମୁନରେ ଲାଗିଥିବା କାଳି ଶୀଘ୍ର ଶୁଖିବା ଲାଗି କ୍ୟାପ୍‌ରେ କଣା କରାଯାଇଥାଏ । ତେବେ ଅନେକ କମ୍ପାନୀର କଲମ କ୍ୟାପ୍‌ରେ କଣା ନଥିବାବେଳେ ଏହି ଦାବି ଭିତ୍ତିହୀନ ବୋଲି ସ୍ପଷ୍ଟ ହୋଇଛି ।

ତେବେ ପ୍ରକୃତ କାରଣ କ’ଣ ?

ସୁରକ୍ଷା ଦୃଷ୍ଟିକୋଣରୁ କଲମର କ୍ୟାପ୍‌ରେ ଜାଣିଶୁଣି କଣା କରାଯାଇଥାଏ । ଏ କଥା ପଢି ଆପଣଙ୍କୁ ଅବିଶ୍ୱାସ ଲାଗିପାରେ । ଦେଶର ପୁରାତନ କଲମ ନିର୍ମାଣକାରୀ କମ୍ପାନୀ ବିଆଇସି ଅନୁଯାୟୀ, ଲେଖିଲାବେଳେ ଅଧିକାଂଶ ଯୁବକ କିମ୍ବା ଛୋଟ ପିଲାଙ୍କର କ୍ୟାପ୍ ଚୋବାଇବା ଅଭ୍ୟାସ ଥାଏ । ଯଦି ଦୁର୍ଘଟଣାବଶତଃ କ୍ୟାପଟିକୁ କେହି ଗିଳିଦିଅନ୍ତି ଅବା ଶ୍ୱାସନଳୀରେ ତାହା ଅଟକିଯାଏ, ତେବେ କ୍ୟାପରେ ଥିବା ସେହି କଣା ଜରିଆରେ ହିଁ ନିଃଶ୍ୱାସ ଯାତାୟତ କରିପାରିବ । ଖାସ ଏହି କାରଣରୁ କଲମ କ୍ୟାପ୍‌ରେ କଣା କରାଯାଇଥାଏ ।

ଏହି କାରଣ ଜାଣି ଅନେକ ଏପରି କଥାକୁ ବିଶ୍ୱାସ କରିନଥାନ୍ତି । ହେଲେ ଅନ୍ୟମନସ୍କ ହୋଇ କଲମ କ୍ୟାପ୍ ଗିଳି ଭାରତର ଛୋଟଛୋଟ ପିଲା ତଥା ସ୍କୁଲ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ସଂଖ୍ୟା କିଛି କମ୍ ନୁହେଁ । ଏ କଥା ସତ ଯେ, କଲମ କ୍ୟାପରେ ଥିବା କଣା ଅଘଟଣରୁ ଆପଣଙ୍କ ଜୀବନ ରକ୍ଷା କରିପାରେ । ହେଲେ ଏହା କେତେଦୂର ସତ, ତାହା ଜାଣିବା ଲାଗି ଏହାକୁ ଗିଳିବା ଆଦୌ ବୁଦ୍ଧିମତା ନୁହେଁ ।

Leave A Reply

Your email address will not be published.