Latest Odisha News

BREAKING NEWS

କାହିଁକି ପ୍ରଥମେ ସାହୀ ସ୍ନାନ କରନ୍ତି ନାଗା ସାଧୁ?

ନୂଆଦିଲ୍ଲୀ:  କାହିଁକି ପ୍ରଥମେ ସାହୀ ସ୍ନାନ କରନ୍ତି ନାଗା ସାଧୁ ପ୍ରୟାଗରାଜରେ ୪୫ ଦିନିଆ ମହାକୁମ୍ଭର ଚତୁର୍ଥ ଦିନରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ। ଏହି ଧାର୍ମିକ ଉତ୍ସବରେ ୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ଭାଗ ନେଇଛନ୍ତି। ତୃତୀୟ ସାହି ସ୍ନାନରେ ପ୍ରାୟ ୧୦ କୋଟି ଶ୍ରଦ୍ଧାଳୁ ପ୍ରୟଗରାଜରେ ପହଞ୍ଚିବେ। ନାଗା ସାଧୁମାନେ ପ୍ରଥମେ ଏହି ସ୍ନାନ କରିଥାନ୍ତି। ଏହାପରେ ଅନ୍ୟମାନେ ସ୍ନାନ କରିବାର ଅନୁମତି ପାଇଥାନ୍ତି। ତେବେ ନାଗା ସାଧୁ କାହିଁକି ପ୍ରଥମେ କରନ୍ତି ସାହି ସ୍ନାନ ? ଆସନ୍ତୁ ଜାଣିବା ୨୬୫ ବର୍ଷ ତଳର ପୁରୁଣା କାହାଣୀ।

ମହାକୁମ୍ଭରେ ପ୍ରଥମେ ସ୍ନାନ କରିବାକୁ ନେଇ ସବୁବେଳେ ଦେଖା ଯାଇଥାଏ ବିବାଦ। ଏପରିକି ନାଗା ସାଧୁ ଏବଂ ବୈରାଗୀ ସାଧୁଙ୍କ ମଧ୍ୟରେ ପ୍ରବଳ ଝଗଡା ମଧ୍ୟ ଦେଖିବାକୁ ମିଳିଥାଏ। ୧୭୬୦ ମସିହାରେ ଏହି କାରଣକୁ ନେଇ ହୋଇଥିବା ଝଗଡ଼ରେ ଶତାଧିକ ବୈରାଗୀ ସନ୍ଥ ପ୍ରାଣ ହରାଇଥିଲେ। ଏହାପରେ ୧୭୮୮ ରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଏନେଇ ମହନ୍ତ ବାବା ରାମ ଦାସ ଅଭିଯୋଗ କରିବା ପରେ ନାଗା ଓ ବୈରାଗୀ ସନ୍ଥ ଅଲଗା ଅଲଗା ଘାଟର ବ୍ୟବସ୍ଥା କରାଯାଇଥିଲା। ଏହାପରେ ମଧ୍ୟ ହରିଦ୍ଵାର ଓ ପ୍ରୟାଗରେ ପ୍ରଥମ ସ୍ନାନକୁ ନେଇ ବିବାଦ ଲାଗି ରହିଲା। ତେବେ ଇଂରେଜ ଶାସନ ସମୟରେ ପ୍ରଥମେ ନାଗା ସାଧୁ ସ୍ନାନ କରିବେ ବୋଲି ସ୍ଥିର କରାଗଲା। ସେବେଠୁ ଏହି ପରମ୍ପରା ଚାଲୁ ରହିଛି।

ପୁରାଣ ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ରକ୍ଷା ପାଇଁ, ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଅମୃତର ୪ ବୁନ୍ଦା ପ୍ରୟାଗରାଜ, ଉଜ୍ଜୟିନୀ, ହରିଦ୍ଵାର ଓ ନାସିକରେ ପଡିଥିଲା। ଏହାପରେ ଏଠାରେ ଆରମ୍ଭ ହୋଇଥିଲା ମହାକୁମ୍ଭ ମେଳା। ନାଗାସାଧୁଙ୍କୁ ଭଗବାନ ଶିବଙ୍କର ଅନୁଗାମୀ ଭାବେ ମାନୁଥିବାରୁ ସାଧନା ଓ ତପସ୍ୟା କାରଣରୁ ସେମାନେ ପ୍ରଥମେ ସ୍ନାନ କରିଥାନ୍ତି। ସେବେଠାରୁ ପ୍ରଚଳିତ ଥିବା ଏହି ପରମ୍ପରା ଅନୁସାରେ ସର୍ବପ୍ରଥମେ ନାଗା ସାଧୁ ଅମୃତସ୍ନାନ କରିଥାନ୍ତି।

 

Comments are closed.