Wife Not Husband’s Property: ‘ସ୍ବାମୀଙ୍କ ସମ୍ପତ୍ତି ନୁହେଁ ସ୍ତ୍ରୀ…’, ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ, ଆବେଦନ ଖାରଜ ସହ ଲଗାଇଲେ ୫୦ ହଜାର ଟଙ୍କା ଜରିମାନା
କଟକ: ସ୍ବାମୀଙ୍କ ହାତର କଣ୍ଢେଇ ନୁହନ୍ତି ସ୍ତ୍ରୀ…ଚାବି ମୋଡିଲେ, ତାଙ୍କ ଇଚ୍ଛାରେ ଚାଲିବେ । ସ୍ବାମୀଙ୍କ ଉପରେ ବର୍ଷିଲେ ହାଇକୋର୍ଟ । କହିଲେ, ‘ସ୍ତ୍ରୀ ନୁହନ୍ତି ତୁମ ସମ୍ପତ୍ତି’।
ଭାରତୀୟ ସମାଜରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏକ ଅଲିଖିତ ଧାରଣା, ବିବାହ ପରେ ସ୍ତ୍ରୀଙ୍କ ଜୀବନ ଉପରେ ସ୍ୱାମୀଙ୍କର ହିଁ ପୂର୍ଣ୍ଣ ଅଧିକାର? ସ୍ତ୍ରୀ କ’ଣ କରିବେ, କେଉଁଠି ରହିବେ, କାହା ସହ ମିଶିବେ, ଏମିତିକି ନିଜ ଜୀବନ ସମ୍ପର୍କରେ କେଉଁ ନିଷ୍ପତ୍ତି ନେବେ, ସବୁକିଛି ଉପରେ ସ୍ୱାମୀଙ୍କ ଅଧିକାର ଥିବା ଭଳି ଏକ ମାନସିକତା ଆଜି ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳେ। ମନେ ହୁଏ, ବିବାହ ପରେ ସ୍ତ୍ରୀଙ୍କ ମାଲିକ ସ୍ବାମୀ । ହେଲେ ଏଭଳି ଚିନ୍ତାଧାରା ଉପରେ କଡ଼ା ଟିପ୍ପଣୀ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ସ୍ତ୍ରୀ ଯଦି ନିଜ ଇଚ୍ଛାରେ ଘର ଛାଡ଼ି ଯାଆନ୍ତି, ତେବେ ତାଙ୍କୁ କୋର୍ଟ ମାଧ୍ୟମରେ ବାଧ୍ୟ କରି ଫେରାଇ ଅଣାଯାଇପାରିବ କି? ଏହି ପ୍ରଶ୍ନର ଏକ ସ୍ପଷ୍ଟ ଓ ଐତିହାସିକ ଉତ୍ତର ଦେଇଛନ୍ତି ହାଇକୋର୍ଟ।
ଆବେଦନକାରୀ ସ୍ୱାମୀ ଲକ୍ଷ୍ମୀଧର ପାତ୍ର ବୈବାହିକ ମନୋମାଳିନ୍ୟରୁ ଘର ଛାଡ଼ି ଚାଲିଯାଇଥିବା ପତ୍ନୀଙ୍କୁ ଫେରାଇ ଆଣିବା ଲାଗି ଏଭଳି ଏକ ମାମଲା ହାଇକୋର୍ଟରେ ରୁଜୁ କରିଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଅବସରରେ ପତ୍ନୀମାନେ ସ୍ୱାମୀଙ୍କ ସମ୍ପତ୍ତି ନୁହନ୍ତି ବୋଲି ମତ ଦେବା ସହ ଆବେଦନକାରୀଙ୍କ ପିଟିସନ୍କୁ ଖାରଜ କରି ଦେଇଛନ୍ତି । ଆବେଦନକାରୀ ହାଇକୋର୍ଟରେ ଏକ ପିଟିସନ୍ ରୁଜୁ କରି ତାଙ୍କ ପତ୍ନୀଙ୍କୁ ନିଖୋଜ୍ ବୋଲି ଦର୍ଶାଇ, ଖୋଜି ଆଣିବା ପାଇଁ ପ୍ରାର୍ଥନା କରିଥିଲେ । କିନ୍ତୁ ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ଜାଣିବାକୁ ପାଇଥିଲେ ଯେ, ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ପତ୍ନୀ ନିଜ ଇଚ୍ଛାରେ ଘର ଛାଡ଼ି ଚାଲିଯାଇଛନ୍ତି । ତେଣୁ ହାଇକୋର୍ଟ ଏଭଳି ଏକ ଘଟଣାକୁ ଅପହରଣର ରୂପ ଦିଆଯାଇ ପାରିବ ନାହିଁ ବୋଲି ମତ ଦେଇଛନ୍ତି ।
ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ହାଇକୋର୍ଟ କହିଛନ୍ତି, “ସ୍ତ୍ରୀ ସ୍ୱାମୀଙ୍କ ହାତରେ ଥିବା କୌଣସି ସମ୍ପତ୍ତି କିମ୍ବା ବସ୍ତୁ ନୁହେଁ।” ଏଥିସହିତ ନିଜ ଇଚ୍ଛାରେ ଅଲଗା ରହୁଥିବା ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ଦାଖଲ ହୋଇଥିବା ହେବିୟସ କର୍ପସ ଆବେଦନକୁ ଖାରଜ କରିଛନ୍ତି । କୋର୍ଟ ଜୋର୍ ଦେଇ କହିଥିଲେ, ଯେ ଜଣେ ପ୍ରାପ୍ତବୟସ୍କ ମହିଳାଙ୍କର ନିଜ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ରହିଛି। ଜଣେ ମହିଳା ନିଜ ଇଚ୍ଛାରେ ଘର ଛାଡ଼ି ଯିବା ଏବଂ ଅପହରଣ ହେବା ଭିତରେ ବହୁତ ବଡ଼ ପାର୍ଥକ୍ୟ ରହିଛି। ଯଦି ଜଣେ ସ୍ତ୍ରୀ ସ୍ୱାମୀଙ୍କ ସହ ରହିବାକୁ ଚାହୁଁନାହାନ୍ତି, ତେବେ କୋର୍ଟ ତାଙ୍କୁ ବାଧ୍ୟ କରି ପୁଣି ବୈବାହିକ ଘରକୁ ପଠାଇପାରିବେ ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି ।
ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ହେବିୟସ କର୍ପସ ପରି ସାମ୍ବିଧାନିକ ବ୍ୟବସ୍ଥାକୁ ବ୍ୟକ୍ତିଗତ ବିବାଦ ସମାଧାନ କିମ୍ବା ଚାପ ସୃଷ୍ଟି କରିବାର ଅସ୍ତ୍ର ଭାବେ ବ୍ୟବହାର କରାଯାଇପାରିବ ନାହିଁ। ଆବେଦନକାରୀ ଆଇନର ଅପବ୍ୟବହାର କରିଥିବା ଏବଂ ଅନାବଶ୍ୟକ ଭାବେ କୋର୍ଟର ମୂଲ୍ୟବାନ ସମୟ ନଷ୍ଟ କରିଥିବା ଦର୍ଶାଇ ୫୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି।
ତେବେ କୋର୍ଟଙ୍କ ଏହି ରାୟ କେବଳ ଗୋଟିଏ ପରିବାରିକ ବିବାଦର ନିଷ୍ପତ୍ତି ନୁହେଁ। ଏହା ସମାଜକୁ ଏକ ବଡ଼ ସନ୍ଦେଶ ଦେଇଛି ଯେ ବିବାହ ପରେ ମଧ୍ୟ ଜଣେ ମହିଳାଙ୍କ ନିଜସ୍ୱ ଇଚ୍ଛା, ସ୍ୱାଧୀନତା ଓ ନିଷ୍ପତ୍ତିକୁ ସମ୍ମାନ ଦେବା ଆବଶ୍ୟକ। ହାଇକୋର୍ଟଙ୍କ ଏହି ରାୟକୁ ମହିଳା ସ୍ୱାୟତ୍ତତା ଓ ବ୍ୟକ୍ତିଗତ ସ୍ୱାଧୀନତା ପକ୍ଷରେ ଏକ ଶକ୍ତିଶାଳୀ ବାର୍ତ୍ତା ଭାବେ ଦେଖାଯାଉଛି।
