ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଗତ କିଛି ମାସ ଧରି ଚାଲିଥିବା ସବୁଠାରୁ ବଡ଼ ସସପେନ୍ସ ଉପରେ ଶେଷରେ ପୂର୍ଣ୍ଣଚେଦ ପଡ଼ିଛି। ଗୁରୁବାର ରାଜଧାନୀ ଭୁବନେଶ୍ୱରସ୍ଥିତ ଦଳୀୟ ମୁଖ୍ୟାଳୟ ‘ଶଙ୍ଖ ଭବନ’ଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୂର୍ବତନ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିବା ବେଳେ ସୁଜାତା ବିଜେଡି ସୁପ୍ରିମୋଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ତେବେ ଏହି ହାଇ-ପ୍ରୋଫାଇଲ୍ ମିଶ୍ରଣ ପର୍ବ ସମୟରେ ରାଜନୈତିକ ସମୀକରଣକୁ ସଫା କରି ପ୍ରସଙ୍ଗ ଉପରୁ ପରଦା ହଟାଇଛନ୍ତି ନିଜେ ନବୀନ ପଟ୍ଟନାୟକ।
ସୁଜାତାଙ୍କ ଯୋଗଦାନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁଠାରୁ ବଡ଼ ବୟାନ ଦେଇଛନ୍ତି। ଦଳର ଉତ୍ତରାଧିକାରୀ କିମ୍ବା ପରବର୍ତ୍ତୀ ନେତୃତ୍ୱକୁ ନେଇ ଚାଲିଥିବା ଗୁଜବକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ନବୀନ ସ୍ପଷ୍ଟ ଶବ୍ଦରେ କହିଛନ୍ତି, “ମୁଁ ଏଠାରେ ପୁଣି ଥରେ ସ୍ପଷ୍ଟ କରିବାକୁ ଚାହେଁ ଯେ, ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ୱ ନେବି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ।” ଏଥିସହିତ ସୁଜାତା କୌଣସି ବଡ଼ ପଦପଦବୀ ପାଇଁ ନୁହେଁ, ବରଂ ଜଣେ ସାଧାରଣ କର୍ମୀ ଭାବେ ଦଳରେ କାମ କରିବେ ଏବଂ ନିଜ ପ୍ରଶାସନିକ ଅନୁଭବ ମାଧ୍ୟମରେ ମହିଳାମାନଙ୍କ ବିକାଶ ପାଇଁ କାମ କରିବେ ବୋଲି ନବୀନ କହିଛନ୍ତି।
ଏହି ସମଗ୍ର ମିଶ୍ରଣ ପର୍ବକୁ ଯଦି ଦେଖାଯାଏ, ତେବେ ଏହା ପଛରେ ଦଳର ସାଂଗଠନିକ ମଜଭୁତି ସହ ଏକ ବଡ଼ ରଣନୈତିକ ଗୋଟି ଚାଳନା ସ୍ପଷ୍ଟ ଦେଖାଯାଉଛି।
ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ ଭି.କେ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ମଧ୍ୟ ସେ ପଛରେ ରହି ଦଳ ଚଲାଉଥିବା ନେଇ ଦଳ ଭିତରେ ବରିଷ୍ଠ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି। ଏହି ପାଣ୍ଡିଆନ୍-ବିରୋଧୀ ହାୱାକୁ ପ୍ରଶମିତ କରିବା ପାଇଁ ନବୀନ ପାଣ୍ଡିଆନ୍ଙ୍କ ନାମ ନନେଇ ନିଜକୁ ‘ସୁଜାତା ରାଉତ’ ଭାବେ ଉପସ୍ଥାପିତ କରିଛନ୍ତି। ସୁଜାତା କହିଛନ୍ତି, “ମୁଁ ବିଜେଡିର ଜଣେ ସାଧାରଣ କର୍ମୀ ଭାବେ କାମ କରିବି ଏବଂ ଓଡ଼ିଶାବାସୀଙ୍କ ସେବା ପାଇଁ ମୋତେ ପୁଣି ସୁଯୋଗ ମିଳିଛି।”
ନବୀନ ପଟ୍ଟନାୟକ କହିଛନ୍ତି, “ଆଗାମୀ ନିର୍ବାଚନରେ ମୁଁ ହିଁ ନେତୃତ୍ୱ ନେବି” । ଏପରି କହି ସିଧାସଳଖ ଭାବେ ଦଳର ସେହି ଅସନ୍ତୁଷ୍ଟ ଗୋଷ୍ଠୀକୁ ଶାନ୍ତ କରିଛି, ଯେଉଁମାନେ ବିଜେଡି ଉପରେ ପାଣ୍ଡିଆନ୍ ପରିବାରର ପୁନଃ ନିୟନ୍ତ୍ରଣକୁ ଭୟ କରୁଥିଲେ। ନବୀନ ନିଜ ହାତରେ କମାଣ୍ଡ ରଖି ବିରୋଧୀ ବିଜେପିର “ପ୍ରଛଦ ପଟ ଶାସନ” ଅଭିଯୋଗର ପୂର୍ଣ୍ଣଛେଦ ପକାଇଛନ୍ତି।
ବିଜେଡିର ଶକ୍ତି ସବୁବେଳେ ମହିଳାମାନେ ରହିଆସିଛନ୍ତି। ମିଶନ ଶକ୍ତିର ପୂର୍ବତନ ନିର୍ଦ୍ଦେଶିକା ଭାବେ ସୁଜାତାଙ୍କର ଗ୍ରାଉଣ୍ଡ ଜିରୋରେ ମହିଳା ଗୋଷ୍ଠୀଙ୍କ ସହ ସିଧାସଳଖ ସମ୍ପର୍କ ରହିଛି। ବିଜେପିର ‘ସୁଭଦ୍ରା ଯୋଜନା’କୁ ଟକ୍କର ଦେବା ପାଇଁ ବିଜେଡି ସୁଜାତାଙ୍କ ଏହି ‘ମହିଳା କାର୍ଡ’କୁ ସାଂଗଠନିକ ସ୍ତରରେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି।
ଶଙ୍ଖ ଭବନରେ ଆଜି ୩୦ଟି ଯାକ ଜିଲ୍ଲାର ନେତା, ସାଂସଦ ଓ ବିଧାୟକଙ୍କୁ ଡକାଯାଇ ସୁଜାତାଙ୍କୁ ଦଳରେ ସାମିଲ କରାଯିବା ଏକ ‘ସାମୂହିକ ନିଷ୍ପତ୍ତି’ ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି। ବରିଷ୍ଠ ନେତା ପଦ୍ମନାଭ ବେହେରା ଏବଂ ବିଧାୟକ ବିଭୂତି ବଳବନ୍ତରାୟ ମଧ୍ୟ ସୁଜାତାଙ୍କ ଆଗମନ ଦଳକୁ ଶକ୍ତିଶାଳୀ କରିବ ବୋଲି ସ୍ୱୀକାର କରିଛନ୍ତି। ତେବେ ବାହାରକୁ ସବୁକିଛି ସ୍ପଷ୍ଟ ଦେଖାଯାଉଥିଲେ ମଧ୍ୟ, ସୁଜାତାଙ୍କ ଏହି ରାଜନୈତିକ ଏଣ୍ଟ୍ରି ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳର ଭିତର ଅସନ୍ତୋଷକୁ ସମ୍ପୂର୍ଣ୍ଣ ରୂପେ ଦବାଇ ପାରୁଛି କି ନାହିଁ, ତାହା ସମୟ ହିଁ କହିବ।
