Latest Odisha News

BREAKING NEWS

ଦୁଃଖ କହିଲେ ରଜାଘର ବୋହୂ ଆଦ୍ରିଜା; ଅର୍କେଶ କହିଲେ, ସବୁ ମିଛ

ଭୁବନେଶ୍ୱର: ପଦାକୁ ଆସିଲା ରାଜ ପରିବାରର ଗୁମର କଥା । ଦାଣ୍ଡରେ ପଡି ହାଟରେ ଗଡିଲା ସିଂହଦେଓ ପରିବାରର ଘରୋଇ କଳି । ରାଜା ଘର ବୋହୂ ଆଦ୍ରିଜା ମଞ୍ଜରୀ ପରିବାର ଲୋକଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ ଶାଶୂ ଘରେ ଘରୋଇ ହିଂସାର ଶିକାର ହେଉଥିଲେ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ  ଅଭିଯୋଗ ଆଣିଛନ୍ତି ଆଦ୍ରିଜା । ଏପଟେ ଅନଙ୍ଗ ଉଦୟ ସିଂଦେଓଙ୍କ ପୁଅ ଅର୍କେଶ ପତ୍ନୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପତ୍ନୀ ଆଦ୍ରିଜା ୧୦୦ କୋଟି ଟଙ୍କା ଏବଂ ନିର୍ବାଚନ ଟିକେଟ ମାଗୁଛନ୍ତି । ଦେଇ ନ ପାରିବାରୁ ଏପରି ଅଭିଯୋଗ ଆଣିଥିବା କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ଆଦ୍ରିଜା । ୨୦୧୭ ମସିହା ନଭେମ୍ବର ମାସ ୨୩ରେ ଅର୍କେଶଙ୍କୁ ବିବାହ କରିଥିଲେ ଆଦ୍ରିଜା । ଆଦ୍ରିଜା ଅଭିଯୋଗ ଆଣିଛନ୍ତି, ବିବାହପରଠାରୁ ଶ୍ୱଶୁର ଅନଙ୍ଗ ଉଦୟ ଓ ଶାଶୂ ବିଜୟଲକ୍ଷ୍ମୀ, ଦେଢଶୁର କଳିକେଶ ଓ ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ହେଲେ ଅର୍କେଶଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲା । ଏପରିକି ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଛିଡା ହୋଇଥିଲେ । ସେତେବେଳେ ସେ ତାଙ୍କ ପ୍ରଚାରରେ ବୁଲି ଭୋଟ ଭିକ୍ଷା କରିଥିଲେ । ସେ ଜଣେ ବୋହୂ, ପତ୍ନୀର ଭୂମିକା ଠିକ ଭାବେ କରୁଥିଲେ ହେଁ ଶାଶୂ ଘରେ ତାଙ୍କୁ ନିର୍ଯାତନା ଦିଆ ଯାଉଥିଲା । ତେବେ ଅର୍କେଶଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲା ଏବଂ ଉଭୟେ ଡେରାଡୁନ ସ୍ଥିତ ଅର୍କେଶଙ୍କ ନିଜ ଘରେ ସେ ରହୁଥିଲେ ।  ହେଲେ ଗତ ଡିସେମ୍ବରରୁ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ ଦେଖା ଦେଇଥିଲା ।

ମା’ଙ୍କ ଦେହ ଖରାପ ସମୟରେ ଆଦ୍ରିଜା ବାପାଙ୍କ ଘରକୁ ଆସିଥିବାବେଳେ ଅର୍କେଶ ତାଙ୍କୁ ଡିଭୋର୍ସ ଦେବା ପାଇଁ କହିଥିଲେ । ଏପରିକି କାହିଁକି ଡିଭୋର୍ସ ଦେବେ ସେ ନେଇ କାରଣ ମଧ୍ୟ କହି ନ ଥିଲେ । ତା ପରଠାରୁ ତାଙ୍କୁ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ସହ ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଆଦ୍ରିଜା । ତାଙ୍କ ଘରେ ସିସିକ୍ୟାମେରା ଲଗାଇ ତାଙ୍କର ପ୍ରାଇଭେସି ନଷ୍ଟ କରୁଥିଲେ । ଅର୍କେଶଙ୍କ ଉପସ୍ଥିତିରେ ଅଫିସ ଷ୍ଟାଫଙ୍କୁ ଲଗାଇ ଗାଳିଗୁଲଜ କରୁଥିଲେ ବୋଲି କହିଛନ୍ତି ଆଦ୍ରିଜା । ଏ ନେଇ ଆଦ୍ରିଜା ଉତ୍ତରାଖଣ୍ଡର ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ଉତରାଖଣ୍ଡ ଡିଜିପିଙ୍କୁ ଭେଟିଛନ୍ତି ।

ଅନ୍ୟପକ୍ଷେ ଆଦ୍ରିଜାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାମୀ ଅର୍କେଶ ସିଂହଦେଓ  । ସେ କହିଛନ୍ତି ବର୍ଷେ ହେବ ତାଙ୍କ ଭିତରେ ବିବାଦ ଆରମ୍ଭ ହୋଇଛି । ଘରୋଇ ହିଂସା ଭଳି ମିଛ ମାମଲା ତାଙ୍କ ନାଁରେ ଦିଆଯାଇଛି । ଡେରାଡୁନ୍ ସ୍ଥିତ ତାଙ୍କ ନିଜ ଘରକୁ ତାଙ୍କୁ ଛାଡ଼ୁ ନାହାନ୍ତି । ଡେରାଡୁନ ସ୍ଥିତ ଘରେ ଆଦ୍ରିଜାଙ୍କ ବାପା, ମାଆ ଓ ଭଉଣୀ ରହୁଛନ୍ତି । ଘର ଲୋକଙ୍କ ନାଁରେ ମିଛ ମାମଲା କରିଛନ୍ତି ଆଦ୍ରିଜା । ୬ ମାସ ହେବ ମୁଁ ସେ ଘର ଛାଡ଼ି ଦେଇଛି । ୩ ଦିନ ତଳେ ଘରେ ଗୁଣ୍ଡା ପୁରାଇଥିଲେ ଆଦ୍ରିଜା । ଏସବୁ ଅଭିଯୋଗ କରି ଆଦ୍ରିଜା ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ଅର୍କେଶ  । ଏପରକି ଅଦ୍ରିଜା ଆମ କାପାବିଲିଟିଠାରୁ ଅଧିକ ଟଙ୍କା ଦାବି କରୁଥିବା କହିଛନ୍ତି ଅର୍କେଶ । ସେ ନିର୍ବାଚନ ପାଇଁ ଟିକେଟ ଏବଂ ୧୦୦ କୋଟି ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ଅର୍କେଶ ।

Leave A Reply

Your email address will not be published.