Latest Odisha News

BREAKING NEWS

ବଦଳିବ ବ୍ରହ୍ମପୁର ବାଜି !

ଭୁବନେଶ୍ବର : ବ୍ରହ୍ମପୁରରେ ବଡ଼ ଲଢେଇ। ପ୍ରଦୀପ ପାଣିଗ୍ରାହୀ ବନାମ ଭୃଗୁ ବକ୍ସିପାତ୍ର । ସମ୍ମାନର ଲଢେଇରେ ବଦଳିବାରେ ଲାଗିଛି ସମୀକରଣ। ବ୍ରହ୍ମପୁରରେ ଫୁଟିବ ପଦ୍ମ ନା ପୁଣି ଶଙ୍ଖନାଦ? କିଏ ଛିଡାଇବ କାହାର ଲେଖା? ବଦଳିଛି ମୁହଁ, ବଦଳିବ କି ଫଳାଫଳ? କୁଆଡେ ଢଳୁଛନ୍ତି ବ୍ରହ୍ମପୁର ଭୋଟର? ଚବିଶରେ କାହାକୁ ବାଛିବ ବ୍ରହ୍ମପୁର ?

ମୋଦିଙ୍କ ସଭା ପ୍ରଦୀପଙ୍କୁ ମାଇଲେଜ୍ !

ବ୍ରହ୍ମପୁର ପ୍ରାର୍ଥୀ ହେବା ପରଠୁ ପ୍ରଦୀପଙ୍କୁ ଜନବିରୋଧୀ, ଅପରାଧୀ କହି ନାରେଟିଭ୍ ତିଆରି କରୁଛି ବିଜେଡି । ହେଲେ ବିଜେଡିକୁ ସିଧାସଳଖ କାଉଣ୍ଟର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରହ୍ମପୁରରୁ ହିଁ ହୁଙ୍କାର ଭରିଛନ୍ତି ମୋଦି । ବିଜେଡି ଗଡରେ ପଦ୍ମ ଫୁଟାଇବାକୁ ଖୋଲା ଆହ୍ବାନ ଦେଇ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏଥିସହ ସ୍ପଷ୍ଟ ହୋଇଛି, ବିଜେପିର ଶୀର୍ଷ ନେତୃତ୍ବ ପ୍ରଦୀପ ପାଣିଗ୍ରାହୀଙ୍କ ସହ ରହିଛନ୍ତି । ବ୍ରହ୍ମପୁର ପ୍ରଚାର ମଇଦାନରେ ମୋଦିଙ୍କ ଏଣ୍ଟ୍ରି ପରେ ପ୍ରଦୀପଙ୍କ ସପକ୍ଷରେ ବହିବ କି ହାଓ୍ବା ? ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ପରେ ଫୁସ୍ ହୋଇଯିବ କି ବିଜେଡିର ଜନବିରୋଧୀ ନାରେଟିଭ୍? ମୋଦି ହାଓ୍ବା ବଢାଇବ କି ପ୍ରଦୀପଙ୍କ ଭୋଟ୍ ? ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବିଜେଡି ବିରୋଧରେ ବ୍ରହ୍ମପୁରରୁ ଗର୍ଜନ କରିଛନ୍ତି ।

ଗଡ଼ ରକ୍ଷା ପାଇଁ ବିଜେଡି କସରତ

ମୋଦିଙ୍କ ପ୍ରଚାର ପରେ ଜୋଶରେ ବିଜେପି ତ ମାରାଥନ୍ ପ୍ରଚାର କରି ଗଡ ରକ୍ଷା କରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍। ସଭା ସାଙ୍ଗକୁ ରୋଡ ଶୋରେ କ୍ୟାମ୍ପେନିଂ କରୁଛନ୍ତି । ଗୋପାଳପୁର ହେଉ କି ଛତ୍ରପୁର, ଦଳୀୟ ପ୍ରାର୍ଥୀଙ୍କୁ ଧରି ପ୍ରଚାରକୁ ଜୋରଦାର କରିଛନ୍ତି ପାଣ୍ଡିଆନ। ଜନବିରୋଧୀ କହି ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ୍ କରୁଛନ୍ତି । ପାଣ୍ଡିଆନଙ୍କୁ ବି ବିରୋଧର ବାଣ ମାରୁଛନ୍ତି ପ୍ରଦୀପ ।

ପ୍ରତିଶୋଧର ଅଗ୍ନିପଥ

ବ୍ରହ୍ମପୁର, ଏବେ ରାଜନୀତିଠୁ ବେଶୀ ବ୍ୟକ୍ତିଗତ ପ୍ରତିଶୋଧର ଲଢେଇ ହୋଇଛି। ତେଣୁ ନିଶ୍ଚିତ ବିଜୟ ପାଇଁ ରଣନୀତି କରୁଛନ୍ତି ଉଭୟ ବିଜେଡି ଓ ବିଜେପି। ଯେଉଁଠି ପ୍ରଦୀପଙ୍କୁ ଅପରାଧୀ କହି ତାଙ୍କ ବିରୋଧରେ ବିଷ ଓଗାଳୁଛି ବିଜେଡି, ସେଠି ଭିକେ ପାଣ୍ଡିଆନ ଓ ନବୀନଙ୍କୁ ସିଧା ଟାର୍ଗେଟ୍ କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ। ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ରହିଛି ଗଞ୍ଜାମ ଜିଲ୍ଲାର ୫ଟି ଓ ଗଜପତିର ୨ଟି ବିଧାନସଭା ଆସନ । ପ୍ରଦୀପ ପାଣିଗ୍ରାହୀଙ୍କର ଉଭୟ ଜିଲ୍ଲାରେ ଭଲ ଲୋକସଂପର୍କ ଓ ସମର୍ଥନ ରହିଛି । ୨୦୧୯ରେ ବିଜେଡିରେ ଥିବା ବେଳେ ସଂଗଠନ ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ । ତେଣୁ ବିଜେଡିର କ୍ଷମତା ଚକ୍ରବ୍ୟୂହ ଭାଙ୍ଗିବାକୁ ପ୍ରଦୀପ ପାଣିଗ୍ରାହୀ ଗୋଟି ଚଳାଇଛି ବିଜେପି। ସେପଟେ ପ୍ରଦୀପଙ୍କୁ ମାତ୍ ଦେବାକୁ ଗତଥରର ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି ।

କାହା ଭୋଟ୍ କାଟିବେ କିଏ ?

ଦିନେ ବିଜେଡିର ଖାସ୍ ପ୍ରଦୀପ ପାଣିଗ୍ରାହୀ ଏଥର ବିଜେପି ପଟୁ ବ୍ୟାଟିଂ କରୁଛନ୍ତି । ସେପଟେ ବିଜେପିର ଗତଥରର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେଡିର ଓପନର । ପ୍ରଦୀପ ଓ ଭୃଗୁଙ୍କର ଗ୍ରାଉଣ୍ଡରେ ଗ୍ରହଣୀୟତା ସମସ୍ୟା ରହିଛି । ଉଭୟ ବିଜେଡି ଓ ବିଜେପିରେ ମୂଳ ନେତା ଓ କର୍ମୀଙ୍କ ମନରେ ଅସନ୍ତୋଷ ବି ରହିଛି। ତେଣୁ ପ୍ରଦୀପ ବିଜେଡିର ଭୋଟ୍ କାଟିଲେ ଭୃଗୁ ବିଜେପିର ଭୋଟ୍ ବିଭାଜନ କରିପାରନ୍ତି । ତେଣୁ ଏଠି ଉଭୟ ଦଳ ମଧ୍ୟରେ ସିଧାସଳଖ ଟକ୍କର ହେବ । ସେପଟେ କଂଗ୍ରେସ ଯୁବ ଚେହେରା ରଶ୍ମିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି ।

ସମ୍ମାନର ଲଢେଇ ବ୍ରହ୍ମପୁର

ଗଞ୍ଜାମ ବିଜେଡିର ଗଡ ରହିଛି । ହିଞ୍ଜିଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ । ଗତ ନିର୍ବାଚନରେ ଜିଲ୍ଲାର ୧୩ରୁ ୧୨ଟି ସିଟ୍ ଜିତିଥିଲା ବିଜେଡି । ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଜେଡି ପାଖରେ ରହିଛି। ମୋହନା କଂଗ୍ରେସ ଓ ପାରଳାଖେମୁଣ୍ଡି ଜିତିଥିଲା ବିଜେପି । ୨୦୦୯ରୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରେ ବାଜିମାତ୍ କରିଆସୁଛି। ହେଲେ ଏଥର ବିଜେଡିର ଷ୍ଟାର ପ୍ଲେୟାର ବିଜେପିର କ୍ୟାପଟେନ୍। ଗତ ନିର୍ବାଚନରେ ବିଜେଡିକୁ ଭଲ ଫାଇଟ୍ ଦେଇଥିଲା ବିଜେପି । ଗଞ୍ଜାମ ଜିଲ୍ଲାର ଗୋପାଳପୁର, ଭଞ୍ଜନଗର, ପୋଲସରା ଓ ସୋରଡାରେ ଦ୍ବିତୀୟ ସ୍ଥାନରେ ଥିଲା ଦଳ, ବ୍ୟବଧାନ ଥିଲା ୨ରୁ ୧୩ହଜାର । ଏଥର ଶାସନ ବିରୋଧୀ ହ୍ବାଓ୍ବା, ମୋଦୀ ଲହର ସାଙ୍ଗକୁ ପ୍ରଦୀପ ପାଣିଗ୍ରାହୀ ବିଜେପି ପାଇଁ ଓ୍ବିନିଂ ଫ୍ୟାକ୍ଟର ହେଇପାରନ୍ତି । ତେଣୁ ବ୍ରହ୍ମପୁରରେ ଫଳାଫଳ  କିଛି ବି ହେଇପାରେ ।

Leave A Reply

Your email address will not be published.