Latest Odisha News

BREAKING NEWS

‘ରାହୁଲ’ ଯେଉଁ କର୍ଣ୍ଣାଟକ ନେଇଛି ସେହି କର୍ଣ୍ଣାଟକ ଦେବ !

ଭୁବନେଶ୍ୱର: ଦେଶବ୍ୟାପୀ ଏବେ ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା ଜୋର ହେଉଥିବା ବେଳେ କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଯେଉଁ କର୍ଣ୍ଣାଟକରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ମୋଦି ସାଙ୍ଗିଆ ମନ୍ତବ୍ୟକୁ ନେଇ ରାହୁଲ ଦଣ୍ଡିତ ହେବା ସହ ସଦସ୍ୟ ପଦ ହରାଇଛନ୍ତି ସେହି କର୍ଣ୍ଣାଟକରେ ନିର୍ବାଚନ ଘୋଷଣା ସ୍ଥିତିକୁ ରୋଚକ କରିଛି।

ସାରା ଦେଶରେ ଏବେ ରାହୁଲଙ୍କ ପ୍ରତି ସହାନୁଭୂତି ବଢି ଚାଲିଥିବା ବେଳେ କର୍ଣ୍ଣାଟକ ନିର୍ବାଚନ କଂଗ୍ରେସକୁ ଫାଇଦା ଦେବ ବୋଲି କୁହାଯାଉଛି।କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ଵୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ମେ ୧୦ ତାରିଖରେ ଭୋଟଗ୍ରହଣ ହେବା ସହ ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

କର୍ଣ୍ଣାଟକରେ ମୋଟ ୨୨୪ ବିଧାନସଭା ଆସନ ରହିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଜେପି ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ ବୋଲି କୁହାଯାଉଛି। ପ୍ରାର୍ଥୀ ଘୋଷଣାରେ ଆଗୁଆ ଥିବା କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମାର୍ଚ୍ଚ ୩୦ ତାରିଖରେ ପ୍ରକାଶ କରିବା ନେଇ ସୂଚନା ମିଳିଛି।

ଏଥର କର୍ଣ୍ଣାଟକରେ ପ୍ରମୁଖ ରାଜନୈତିକ ଦଳ ଏକାକୀ ନିର୍ବାଚନ ଲଢିବେ ବୋଲି କୁହାଯାଉଛି। ବିଜେପି ଏକା ନିର୍ବାଚନ ଲଢିବାକୁ ଯାଉଥିବା ବେଳେ କଂଗ୍ରେସ ମଧ୍ୟ ଏକାକୀ ନିର୍ବାଚନ ଲଢିବ। ଜେଡିଏସ ଓ ବିଆରଏସ ମିଳିତ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେପଟେ କର୍ଣ୍ଣାଟକ ବିଧାନସଭାରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି।

୨୦୧୮ ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହୋଇଥିଲା । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ୮୦ ଟି ଆସନ ମିଳିଥିଲା। ସେହିଭଳି ଜେଡିଏସ ୩୭ ଟି ଆସନରେ ବିଜୟୀ ହୋଇଥିଲା।

ଏଥର କର୍ଣ୍ଣାଟକର ରାଜନୈତିକ ବାତାବରଣ ବଦଳିଛି। ବିଜେପିର ବି ଏସ ୟେଦୂରପ୍ପା ଏକ ଫ୍ୟାକ୍ଟର ହେବେ ବୋଲି କୁହାଯାଉଥିବା ବେଳେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା କଂଗ୍ରେସକୁ ବେଶ ଲାଭଦାୟୀ ହେବ ବୋଲି କୁହାଯାଉଛି।

ଏପରିକି ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁ ସାରା ଦେଶରେ ରାହୁଲଙ୍କ ପ୍ରତି ସୃଷ୍ଟି ହୋଇଥିବା ସମର୍ଥନର ପ୍ରଭାବ କର୍ଣ୍ଣାଟକ ନିର୍ବାଚନରେ ବ୍ୟାପକ ଭାବେ ପଡିପାରେ ବୋଲି କୁହାଯାଉଛି। ଯେଉଁ କର୍ଣ୍ଣାଟକରେ ନିର୍ବାଚନୀ ଭାଷଣ ପାଇଁ ରାହୁଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହେଲା ତାକୁ କଂଗ୍ରେସ ସେଠି ଅସ୍ତ୍ର କରିପାରେ ବୋଲି ଆଲୋଚନା ହେଉଛି।

ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁ ସବୁ ବିରୋଧୀ ଏକ ହୋଇଥିବାବେଳେ ବିଜେପିକୁ କଡା ଟକ୍କର ଦେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ତେଣୁ ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ପ୍ରଭାବ କର୍ଣ୍ଣାଟକ ନିର୍ବାଚନ ଉପରେ କେତେ ପଡିବ ତା ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.