Latest Odisha News

BREAKING NEWS

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ପଦ୍ମଶ୍ରୀ, ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ଓ ବିଭିନ୍ନ ପୁରସ୍କାର ବିଜେତା ହେବେ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା, ସାହିତ୍ୟ, କଳାକୃତି ଆଦି କ୍ଷେତ୍ରରେ ଅବଦାନ ଥିବା ତଥା ବିଭିନ୍ନ ପୁରସ୍କାର ବିଜେତା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ଏହି ଅବସରରେ ମହାନ ଐତିହାସିକ ପଦ୍ମଶୀ ହରମାନ କୁଲକେଙ୍କ ସମେତ ପଦ୍ମ ପୁରସ୍କାର ବିଜେତା ୫୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିଭଳି ଜ୍ଞାନପୀଠ ପୁରସ୍କାର ପାଇଥିବା ଏବଂ ଜୀବନବ୍ୟାପୀ ସାଧନା ନିମନ୍ତେ ମଧ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ପୁରସ୍କୃତ କରାଯିବ । ଏତଦବ୍ୟତୀତ କେନ୍ଦ୍ର ସାହିତ୍ୟ ଏକାଡେମୀ, ସରସ୍ବତୀ ସମ୍ମାନ ଓ ମୂର୍ତ୍ତିଦେବୀ ପୁରସ୍କାରପ୍ରାପ୍ତ ବିଜେତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଅନ୍ୟପକ୍ଷରେ ଜୟଦେବ, ଧର୍ମପଦ, ଅତିବଡ଼ି ଜଗନ୍ନାଥ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।

ଏହି ସମ୍ମିଳନୀକୁ ଆହୁରି ବ୍ୟାପକ କରିବା ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସ୍ୱରୂପ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର, ପ୍ରଥମ ପ୍ରିଣ୍ଟିଂ ପ୍ରେସ ଓ ବିଭିନ୍ନ କଳାକୃତି ଆଦି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ କଳାକୃତିକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି ।

Leave A Reply

Your email address will not be published.