Latest Odisha News

BREAKING NEWS

ଓଡ଼ିଶାର ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ: କଂଗ୍ରେସ

ଭୁବନେଶ୍ୱର : ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି । ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ ସେଥିରୁ ୧୨,୧୯୯ ଜଣ ହେଉଛନ୍ତି ଶିଶୁ କନ୍ୟା । ଏହି ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟର ବିଶ୍ଲେଷଣ କରି ରାଜ୍ୟ ସରକାରଙ୍କ ଶାସନର ଅପାରଗତା, ଦାୟୀତ୍ୱହୀନତା ଏବଂ ନିଷ୍କ୍ରିୟତାର ତୀବ୍ର ସମାଲୋଚନା କରିଛନ୍ତି । ସେ ତାଙ୍କ ବକ୍ତବ୍ୟରେ ମୋ ସରକାର ଏବଂ ୫ଟିର ଉଦାସୀନତାକୁ ନିନ୍ଦା କରିବା ସହ ଏହା ରାଜ୍ୟରେ ନାଟକବାଜୀ ଏବଂ ପ୍ରହସନ କରୁଛି ବୋଲି କହଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ ନବୀନ ବାବୁଙ୍କ ମା’କୁ ସମ୍ମାନ ଆହ୍ୱାନ ପାଣିର ଗାର ସଦୃଶ ।  ନାରୀ ସୁରକ୍ଷା ପ୍ରସଙ୍ଗରେ ନବୀନ ସରକାର ନିଜର ପାରିବା ପଣିଆର ଡିଣ୍ଡିମ ପିଟୁଥିବା ବେଳେ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ନବୀନ ସରକାରଙ୍କର ଅସଲ ସ୍ୱରୁପକୁ ପଦାରେ ପକାଇ ଦେଇଛି । ଓଡ଼ିଶାରୁ ଲଗାତାର ଶିଶୁ କନ୍ୟାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଶ୍ରୀ ନାୟକ କହିଛନ୍ତି ।

                        ରାଜ୍ୟ ପୋଲିସ ବିଭାଗ, ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ଡିଜି ପୋଲିସ ଏଭଳି ଶୋଚନୀୟ ଅବସ୍ଥା ପାଇଁ ସାଧାରଣ ଜନତାଙ୍କ ପାଖରେ ଉତ୍ତରଦାୟୀ ନୁହଁନ୍ତି କି? ଜନସାଧାରଣ କାହା ଉପରେ ଭରଷା କରିବେ । ଏହି ରିପୋର୍ଟ ଉପରେ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବା ନିଆଯିବ ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିବାପାଇଁ ଶ୍ରୀ ନାୟକ ଦାବି କରିଛନ୍ତି ।

ଏଥିନେଇ ସରକାର କାହିଁକି ମୁହଁ ଲୁଚାଇଛନ୍ତି ବୋଲି ମଧ୍ୟ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ମାନବଚାଳାଣ ରୋକିବା ପାଇଁ ରାଜ୍ୟରେ ଛତିଶ ପୋଲିସ ଜିଲ୍ଲାରେ ଯେଉଁ ଇଂଟିଗ୍ରେଟେଡ ଆଂଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ଖୋଲଛି ତାହା ସମ୍ପୂର୍ଣ୍ଣ ଅକାମୀ, ବେପୁରଆ ଏବଂ ନିରର୍ଥକ ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ସେହିପରି କ୍ରାଇମବ୍ରାଞ୍ଚ ୨୦୧୫ ରୁ ୨୦୧୯ ଭିତରେ ଅପରେସନ ସ୍ମାଇଲ, ମୁସ୍କାନ ଓ ପରୀ ଯୋଜନା ଭଳି ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଥିଲା ଏହା କେବଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। କାରଣ ଏଭଳି ବ୍ୟବସ୍ଥା ପରେ ବି ଶିଶୁ କନ୍ୟା ନିଖୋଜ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସୁତରାଂ ଓଡ଼ିଶା ଏବେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ଭାବେ ଦେଶରେ ଉଭା ହୋଇଛି  ବୋଲି ସେ କହିଛନ୍ତି ।

            ସେପଟେ ନିରନ୍ତର ସେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ “ଲାଇଫଟାଇମ ଆଚିଭିମେଂଟ” ପୁରସ୍କାର ଦିଆଯାଉଛି । ଅନେକ ସଂସ୍ଥାରୁ ପ୍ରଶାସନ କ୍ଷେତ୍ରରେ ସ୍ୱଚ୍ଛତା ଓ ବିକାଶରେ ଅଗ୍ରଣୀ ଓ ପାରଦର୍ଶି ପୁରସ୍କାର ମଧ୍ୟ ମୁଖ୍ୟମନ୍ତ୍ରୀ ପାଇଲେଣି କିନ୍ତୁ ତୃଣମୂଳ ଚିତ୍ର ଭିନ୍ନ ।  ଅସୁରକ୍ଷିତ ରାଜ୍ୟ, ଅବ୍ୟବସ୍ଥିତ ଓ ଦାୟୀତ୍ୱହୀନ ପ୍ରଶାସନ, ଉତରଦାୟୀତ୍ୱଶୂନ୍ୟ, ଉଦାସୀନତା ଓ ଅପାରଗତାର ଚିତ୍ର ପଟ୍ଟରେ ଜଣେ ମୁଖ୍ୟମନ୍ତ୍ରୀ ପ୍ରଂଶସିତ ଓ ପୁରସ୍କୃତ ହେବା ଓଡ଼ିଶାବାସୀଙ୍କ ଭାଗ୍ୟର ବିଡ଼ମ୍ବନା ।

ଏବେ ସବୁଠାରୁ ଲଜ୍ଜ୍ୟାକର ବିଷୟ ଏହିକି ଯେ ନବୀନ ଶାସନରେ ପୀଡ଼ିତ, ଅତ୍ୟାଚାରିତ ଓ ଉପେକ୍ଷିତ ଓଡ଼ିଶାବାସୀଙ୍କ ପ୍ରକୃତ ଅବସ୍ଥାକୁ ଲୁଚାଇଦେଇ ନବୀନ ବାବୁଙ୍କ “ଲାଇଫଟାଇମ ଆଚିଭିମେଂଟ” ପୁରସ୍କାର ପାଇଁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେବାକୁ ପ୍ରଚୁର ଅର୍ଥ ବ୍ୟୟ କରାଯାଇ ବର୍ଣ୍ଣାଢ଼୍ୟ ଆୟୋଜନ ଚାଲିଛି ।

ବିଜୁ ଜନତା ଦଳର ମହିଳା ସଂଗଠନ ଅମେରୁଦଣ୍ଡୀ । ମହିଳାଙ୍କ ପ୍ରତି ଅପରାଧ କ୍ଷେତ୍ରରେ ଦେଶର ହାର ଠାରୁ ରାଜ୍ୟର ହାର ବଡ଼ିଯାଇଛି । ଦେଶରେ ୧୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୨୩ ପ୍ରତିଶତ ରହିଛି । ସେହିପରି ଏହି କ୍ଷେତ୍ରରେ ଦଣ୍ଡବିଧାନରେ  ଜାତୀୟ ହାର ୨୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ତାହା ୮ ପ୍ରତିଶତରେ ସିମୀତ ରହିଛି । ମହିଳାମାନଙ୍କ ପ୍ରତି ଏ ରାଜ୍ୟର ଭୟଙ୍କର ବିପଦ ସୃଷ୍ଟି ହୋଇଥିବା ବେଳେ ଏ ସଂଗଠନ ନିର୍ବାକ ହୋଇ ବସିଛି । ସୁତରାଂ ଓଡ଼ିଶାର “ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ”

            ଏଠାରେ ସ୍ପଷ୍ଟ ଚିତ୍ର ଆସିଛି ଯେ ୨୦୧୯ ରେ ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ୨୩୧୮୩ ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ ରେ ୨୫୪୮୯ ଏବଂ ୨୦୨୧ ରେ ୩୧୩୫୨ ଟି କେସ ପଞ୍ଜିକୃତ ହୋଇ ସମୁଦାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ଓ  ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.