Latest Odisha News

BREAKING NEWS

‘ୟୁପି’ରେ ଅପରାଧୀ ସଫେଇ, ଦେଶବ୍ୟାପୀ ଚର୍ଚ୍ଚାରେ ଯୋଗୀ

ଭୁବନେଶ୍ୱର: ଉତ୍ତରପ୍ରଦେଶ ଓ ବିହାରରେ ଜଙ୍ଗଲରାଜକୁ ନେଇ ସବୁବେଳେ ଚର୍ଚା ହୁଏ। ଦୁଷ୍କର୍ମ, ହତ୍ୟାଠୁ ଆରମ୍ଭ କରି ଚୋରି ରାହାଜାନୀ ଉତ୍ତରପ୍ରଦେଶର ସାଧାରଣ ଘଟଣା ଭାବେ ଗଣାଯାଏ। ଏପରିକି ରାଜନୈତିକ ଦଳ ଗୁଡ଼ିକର ପୃଷ୍ଠପୋଷକତାରେ ଏସବୁ ହୁଏ ବୋଲି କାହିଁ କେବେଠୁ ଆଲୋଚନା ହୁଏ।

ଏପରିକି ଏହି ଦୁଇ ରାଜ୍ୟରେ ନେତାଙ୍କ ନାଁ ରେ ମଧ୍ୟ ଅପରାଧର ଲମ୍ବା ତାଲିକା ଥାଏ। କିନ୍ତୁ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆସିବା ପରେ ଅପରାଧୀ ନିପାତ ଅଭିଯାନକୁ ଜୋରଦାର କରିଥିବା ଚର୍ଚ୍ଚା ହେଉଛି। ଉମେଶ ପାଲ ହତ୍ୟାକାଣ୍ଡରେ ଉତ୍ତରପ୍ରଦେଶ ପୋଲିସ ଗ୍ୟାଙ୍ଗଷ୍ଟାର ଅତିକର ପୁଅ ଅସଦ ଓ ସୁଟର ଗୁଲାମ ମହମ୍ମଦକୁ ଏନକାଉଣ୍ଟର କରିଛି।

ଏହି ଏନକାଉଣ୍ଟର ଝାନ୍ସି ବଡଗାଁଓର ପରିଛା ଡ୍ୟାମ୍ ପାଖରେ ହୋଇଛି। ଯାହାକୁ ନେଇ ଏବେ କେବଳ ଉତ୍ତରପ୍ରଦେଶ ନୁହେଁ ସାରା ଦେଶରେ ଜୋରଦାର ଚର୍ଚ୍ଚା। ଫେବୃଆରୀ ୨୪ରେ ଉମେଶ ପାଲ ହତ୍ୟାକାଣ୍ଡ ପରେ ଦୁହେଁ ଫେରାର ଥିଲେ ।

ଗୋଟିଏ ପଟେ ଉମେଶ ପାଲ ହତ୍ୟାକାଣ୍ଡରେ ଅତିକ ଅହମ୍ମଦ ଓ ଅସରଫକୁ କୋର୍ଟରେ ହାଜର କରାଯାଇଥିବା ବେଳେ ଅନ୍ୟପଟେ ପୁଅ ଓ ତା ସହଯୋଗୀକୁ ଏନକାଉଣ୍ଟର କରାଯାଇଛି। ଉମେଶ ପାଲ ହତ୍ୟାକାଣ୍ଡରେ ୟୁପି ପୋଲିସ ୪ ଜଣଙ୍କୁ ଏନକାଉଣ୍ଟର କରିସାରିଲାଣି । ଫେବୃୟାରୀ ୨୭ ତାରିଖରେ ପ୍ରୟାଗରାଜରେ ପ୍ରଥମ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ଅରବାଜର ମୃତ୍ୟୁ ହୋଇଥିଲା।

ସେହିପରି ମାର୍ଚ୍ଚ ୬ ରେ ଦ୍ବିତୀୟ ଏନକାଉଣ୍ଟରରେ ଓସ୍ମାନ ପ୍ରାଣ ହରାଇଥିଲା। ସେହିପରି ଅତିକର ପରିବାରକୁ ସହଯୋଗ କରୁଥିବା ୩ ଅଭିଯୁକ୍ତ ଓ ସମ୍ପର୍କୀୟଙ୍କ ଘରେ ବୁଲଡୋଜର ଚଢାଇଥିଲେ ୟୁପି ସରକାର । ସେପଟେ ଯୋଗୀ ସରକାର ଆସିବା ପରେ ଉତ୍ତରପ୍ରଦେଶର ପରିଚୟ ବଦଳିଥିବା କୁହାଯାଉଛି।

ଅପରାଧକୁ ଜିରୋ ଟଲେରାନ୍ସ ନୀତିରେ ଯୋଗୀ ସରକାର ୬ ବର୍ଷ ମଧ୍ୟରେ ୧୦ ହଜାର ୭୦୦ ରୁ ଅଧିକ ଏନକାଉଣ୍ଟର କରିଥିବା ବେଳେ ୫ ହଜାର ୯୦୦ ରୁ ଅଧିକ ଅପରାଧୀଙ୍କୁ ଧରିବାକୁ ସଫଳ ହୋଇଛି ୟୁପି ପୋଲିସ। ୧୭୦୦ ରୁ ଅଧିକ ଅପରାଧୀ ଏନକାଉଣ୍ଟରରେ ଆହତ ହୋଇଥିବା ବେଳେ ୧୫୦ ରୁ ଅଧିକ ଅପରାଧୀ ପ୍ରାଣ ହରାଇଛନ୍ତି।

ଯୋଗୀ ସରକାର ରାଜ୍ୟର ମାଫିଆ, ଗ୍ୟାଙ୍ଗଷ୍ଟାରଠୁ ଆରମ୍ଭ କରି ଦୁଷ୍କର୍ମ ଅଭିଯୁକ୍ତ, ଚୋରି, ଡକାୟତି ତଥା ଯେ କୌଣସି ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କ ବିପକ୍ଷରେ ବହୁ କଠୋର ହୋଇଛନ୍ତି। ଯେଉଁ ୟୁପି ଅପରାଧୀଙ୍କ ଚରାଭୂଇଁ ବୋଲି କୁହାଯାଉଥିଲା ୨୦୧୭ ପରେ ଚିତ୍ର ପୁରା ବଦଳିଯାଇଛି।

ଯାହାକୁ ନେଇ ୟୁପିର ଅନ୍ୟ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ଏହାକୁ ଫେକ ଏନକାଉଣ୍ଟର କହିବା ସହ ତୀବ୍ର ବିରୋଧ କରିଛି। ପ୍ରକୃତ ପ୍ରସଂଗରୁ ଧ୍ୟାନ ହଟାଇବା ପାଇଁ ଏହି ଏନକାଉଣ୍ଟର କରି ଚର୍ଚ୍ଚା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ।

ବିଏସପି ମୁଖ୍ୟ ମାୟାବତୀ ଏ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ଏଆଇଏମଆଇଏମ ମୁଖ୍ୟ ଓୱେସି ଏହାକୁ କେବଳ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକଙ୍କୁ ଟାର୍ଗେଟ କରି ମରାଯାଉଛି ବୋଲି ଅଭିଯୋଗ କରିଛନ୍ତି।

କିନ୍ତୁ ସବୁ ପରେ ମଧ୍ୟ ଅପରାଧକୁ ନେଇ ୟୁପିର ଯେଉଁ ଛବି ସାରା ଦେଶରେ ଥିଲା ଯୋଗୀ ଆଦିତ୍ୟନାଥ ତାକୁ ବଦଳାଇବାକୁ ସମର୍ଥ ହୋଇଥିବା କୁହାଯାଉଛି। ଯାହା ଯୋଗୀଙ୍କୁ ରାଜନୈତିକ ମାଇଲେଜ ଦେବା ସହ ବିଜେପି ସପକ୍ଷରେ ବାତାବରଣ ତିଆରି କରୁଥିବା କୁହାଯାଉଛି। ଅନ୍ୟପକ୍ଷରେ କେବଳ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକଙ୍କୁ ଟାର୍ଗେଟ କରି ମରାଯାଉଥିବା ଅଭିଯୋଗ କେତେ ସତ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.