Latest Odisha News

ବିଦ୍ୟୁତ୍ କଟିଗଲା ବୋଲି ବାଡ଼େଇ ଭାଙ୍ଗିଦେଲେ ଟ୍ରାନ୍ସଫର୍ମର, ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ପୋଲିସ ଜିମା ଦେଲେ ଲୋକ

ପାରାଦୀପ: ବିଦ୍ୟୁତ୍ କଟିଯିବା ପରେ ଯୁବକ ରାଗି ଯାଇ ଟ୍ରାନ୍ସଫର୍ମର ଭାଙ୍ଗି ଦେବା ତାଙ୍କୁ ମହଙ୍ଗା ପଡ଼ିଛି । ଟ୍ରାନ୍ସଫର୍ମରକୁ ବାଡ଼େଇ ଭାଙ୍ଗିବା ପରେ ଲୋକେ ଯୁବକଙ୍କୁ ଧରି ଉତ୍ତମମଧ୍ୟମ ଦେବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ପାରଦାପୀ ଥାନା ବାଲିଝରା ଗାଁରେ ।

ସୂଚନା ଅନୁସାରେ, କାଳବୈଶାଖୀ ବର୍ଷା ପାଇଁ ଗୁରୁବାର ରାତିରେ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇଥିଲା । ଘରେ ଲାଇନ୍ ନଥିବାରୁ ରାଗି ଯାଇଥିଲେ ବାଲିଝରା ଗାଁ ତ୍ରୀନାଥ କଲୋନୀର ମିହିର ରଞ୍ଜନ ସାହୁ । ଗାଁ ମୁଣ୍ଡରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ପଥର ଓ ଠେଙ୍ଗାରେ ବାଡ଼େଇ ଭାଙ୍ଗି ଦେଇଥିଲେ । ଫଳରେ ଟ୍ରାନ୍ସଫର୍ମରର ତେଲ ମଧ୍ୟ ବାହାରି ଯାଇଥିଲା ।

ଟ୍ରାନ୍ସଫର୍ମର ଭାଙ୍ଗି ଦେବା ପରେ ଏବେ ବାଲିଝରା, ସନ୍ତୋଷୀପଡ଼ା, ଉଦୟ ବିହାର, ଉଦୟବଟ, ଶୁଖୁଆଖଳ ଆଦି କଲୋନୀରେ ବିଦ୍ୟୁତ୍ ନାହିଁ । ସ୍ଥାନୀୟ ବାସିନ୍ଦା ଯୁବକଙ୍କୁ ଧରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ଲାଇନ୍ ନଥିବାରୁ ପାନୀୟ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟ୍ରାନ୍ସଫର୍ମରକୁ କ୍ଷତି ପହଞ୍ଚାଇଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

Leave A Reply

Your email address will not be published.