Latest Odisha News

BREAKING NEWS

କରୋନା ପ୍ରସଙ୍ଗ ପରେ ବିଗିଡ଼ି ଯାଇପାରେ ଚୀନ ହାଲତ !

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତିସ୍ଥଳ ହେଉଛି ଚୀନର ୟୁହାନ ସହର । ଚୀନରୁ ଏହି ମାରାତ୍ମକ ଭୂତାଣୁ ସଂକ୍ରମିତ ହୋଇ ଦ୍ରୁତଗତିରେ ସାରା ବିଶ୍ୱକୁ ବ୍ୟାପୀ ଯାଇଛି । ଏବେ ଏହି ଭୂତାଣୁ ସଂକ୍ରମଣର ପ୍ରଭାବରେ ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ, ସ୍ପେନ, ବ୍ରିଟେନ, ଜର୍ମାନୀ ସମେତ ଜାପାନ ଓ କୋରିଆରେ ଅବସ୍ଥା ସାଂଘାତିକ ହୋଇ ପଡ଼ିଛି । ଚୀନରେ ଏବେ ସଂକ୍ରମଣକୁ ରୋକାଯାଇପାରିଥିବା ପରେ ଅବସ୍ଥା ସ୍ୱାଭାବିକ ଆଡ଼କୁ ଆସୁଥିବା ଲକ୍ଷ୍ୟ କରାଯାଇଛି । ତେବେ ଚୀନରେ ସଂକ୍ରମଣ ହେବା ଆରମ୍ଭରୁ ହିଁ ବିଭିନ୍ନ ରାଷ୍ଟ୍ର ଚୀନ ଉପରେ ଦୋଷ ଲଦି ଚାଲିଛନ୍ତି । ଏହା ଆଗାମୀ ଦିନରେ ଏକ ବିରାଟ ଆନ୍ତର୍ଜାତିକ କୂଟନୀତିକୁ ପ୍ରୋତ୍ସାହିତ କରିପାରେ ବୋଲି ସୂଚନା ମିଳୁଛି । ବିବିସି ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କରୋନା ଭୂତାଣୁକୁ ନେଇ ଚୀନ ଓ ଆମେରିକା ମୁହାଁମୁହିଁ ହୋଇ ପଡ଼ିଛନ୍ତି । କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ଦୂରତା ବୃଦ୍ଧି ଘଟୁଛି । 

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଚୀନ ଉପରେ ଏହି କରୋନା ଭୂତାଣୁକୁ ନେଇ ଦୋଷାରୋପ କରିଥିବା ବେଳେ ଚୀନ ମଧ୍ୟ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ଷେପ କରିବାକୁ ଛାଡ଼ିନଥିଲା । ଭାରତରେ ଏହି କରୋନା ଭୂତାଣୁକୁ ଚୀନ ଭାଇରସ୍ ବୋଲି କୁହାଯାଉଥିବା ବେଳେ ଚୀନ ରାଷ୍ଟ୍ରପତି ଏହା ନକହିବାକୁ ଭାରତକୁ ଅନୁରୋଧ କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା ଏବେ ସମସ୍ତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କରୋନା ଆକ୍ରାନ୍ତ ଯୋଗୁଁ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ଉପରେ ଏହି କରୋନା ଭୂତାଣୁ ସଂକମଣ ଅତ୍ୟନ୍ତ କୁପ୍ରଭାବ ପକାଇବ ବୋଲି ଖୋଦ୍ ଆମେରେକୀୟ ଅର୍ଥନୀତିଜ୍ଞ ସ୍ୱୀକାର କରିବାକୁ ଲାଗିଲେଣି । ଆମେରିକା ଚୀନ ଆମଦାନୀ ଏହି ଭୂତାଣୁ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ସେ ଏହାକୁ କ’ଣ ସହଜରେ ନେଇପାରିବ? ଏହାକୁ ନେଇ ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି ।

ଏବେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେଉଛି କହିଲେ ଚଳେ । ଚୀନ ଗତକିଛି ବର୍ଷ ହେଲା ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବା ଆଶାରେ ଉଦ୍ୟମ ଜାରି ରଖିଛି । ଆମେରିକୀୟ ଅର୍ଥନୀତିରେ କୁପ୍ରଭାବ ଦେଖାଯିବାଟା ହିଁ ବିଶ୍ୱ ଅର୍ଥନୀତିକୁ ସ୍ୱାଭାବିକ ଭାବେ ପ୍ରଭାବିତ କରିବ ।

ଏହି ପରିପ୍ରେକ୍ଷୀରେ ଚୀନ-ଆମେରିକା ମଧ୍ୟରେ ଅର୍ଥନୀତିକୁ ନେଇ ଚାଲିଥିବା ଶୀତଳ ଯୁଦ୍ଧ କିପରି ଭାବେ ପ୍ରତିକ୍ରିୟା ସୃଷ୍ଟି କରିବ ତାହା ଆଗାମୀ କିଛିଦିନରେ ଜଣାପଡ଼ିବ । ମାତ୍ର ଚୀନ ବିରୋଧରେ ଅସନ୍ତୋଷ ଭାବନା କ୍ରମେ ସାରା ବିଶ୍ୱରେ ଦାନା ବାନ୍ଧୁଥିବା ଲକ୍ଷ୍ୟ କରାଯାଉଛି । କରୋନା ଭୂତାଣୁ ଲାଗି ଭାରତରେ ସିଧାସଳଖ ଚୀନକୁ ଦୋଷାରୋପ କରାଯାଉଛି ।

କରୋନା ଭୂତାଣୁର ସଂକ୍ରମଣ ଏବଂ ଏହାର ଭୟାବହତା ବିଶ୍ୱରୁ ହଟିଗଲା ପରେ କେଉଁ ରାଷ୍ଟ୍ର କିପରି ନିଜ ନିଜ ଅର୍ଥନୀତିକୁ ସଜାଡ଼ିବାକୁ ଲାଗିବେ ତାହା ସେହି ରାଷ୍ଟ୍ରର ନୀତି ଉପରେ ନିର୍ଭର କରିବ । ଭାରତରେ ଚୀନ ଭାଇରସ ଉଚ୍ଚାରଣ ବନ୍ଦ କରିବାକୁ ଚୀନ କହିବା ପରେ ଗୋଟିଏ କଥା ଚୀନ ହୃଦୟଙ୍ଗମ କରିସାରିଛି ଯେ, କରୋନାକୁ ନେଇ ସମଗ୍ର ବିଶ୍ୱରେ ଚୀନକୁ ଦୋଷାରୋପ କରାଯାଉଛି । କରୋନା ଭୂତାଣୁ ପ୍ରସଙ୍ଗ ବିଶ୍ୱରୁ ସମ୍ପୂର୍ଣ୍ଣ ହଟିଗଲା ପରେ ଚୀନର ହାଲତ କିପରି ରହିବ ତାହା ସମୟ ହିଁ କହିବ ।

Leave A Reply

Your email address will not be published.