ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ମଂଚାରୂଢ଼ ହୋଇଲେ ବ୍ୟକ୍ତି
ପ୍ରକୃତ କଥା ନ କହଂତି
ଶ୍ରୋତାଂକୁ ଦେବା ପାଇଁ ତୃପ୍ତି
ଅଲୋଡ଼ା ପାଂଡିତ୍ୟ ଦେଖାଂତି
ବ୍ୟକ୍ତି ହୋଇଲେ ଆକ୍ରାମକ
ତୁନି ରହଂତି ଶାଂତ ଲୋକ
କାହାକୁ କେହି ଉପଦେଶ
ନ ଦେଲେ ମିଳଇ ସଂତୋଷ
ଚର୍ଚିତ ହେଲେ କେତେ କୃତି
ଉଜ୍ଜ୍ବଳ ହୁଏ ଭାଷା ଦ୍ୟୁତି
ସୁନାମ ଅର୍ଜନରେ ମାତି
ନଷ୍ଟ ହୁଅଂତି ବହୁ ବ୍ୟକ୍ତି
ଯାହାର ଯେତେ ଅନୁଭବ
ତା ଦ୍ବାରା ସେତିକି ସଂଭବ
କରିଲେ ସ୍ବକ୍ଷେତ୍ର ଲଂଘନ
ହୁଏନି କାର୍ଯ ସମାପନ
ଲେଖିବା ଅଭ୍ୟାସ ଯାହାର
ହୋଇନି ଯାହା ଅକ୍ତିଆର
ଦେଖାଇଲେ ହେଁ ଭାଷାପ୍ରେମ
କରିପାରେନି ପରିଶ୍ରମ
ନିଜର ମନର ଭାବନା
ଯେ କେବେ ପ୍ରକାଶ କରେନା
ତାହା ଧାରଣା ଓ ମତ
ହୋଇ ନ ଥାଏ ପୂରା ସତ
ନିଜକୁ ସ୍ବକାର୍ଯେ ଲଗାଇ
ଯେ ତୃପ୍ତି ପାଇ ପାରେନାହିଁ
ତାହା ମନରେ ଅସଂତୋଷ
କରଇ ଦୀର୍ଘସ୍ଥାୟୀ ବାସ
ଓଡ଼ିଆ ଲିପିଲେଖା ଯଂତ୍ର
ଏବେ ତ ମିଳୁଛି ସର୍ବତ୍ର
ବାଛି କରିଲେ ବ୍ୟବହାର
ତୁଟିବ ସମସ୍ୟା ଲିପିର
ଏବେ ବି କାଗଜ, କଲମ
ମୋ ଭଳି ଲୋକଂକୁ ଉତ୍ତମ
ଅଳପ ଧନ କରି ବ୍ୟୟ
ମିଳେ ଲେଖକ ପରିଚୟ
ଲେଖେଁ ମୁଁ ଆତ୍ମତୃପ୍ତି ପାଇଁ
ନିଶ୍ଚିଂତ ହୋଇ, ପାରେଁ ଶୋଇ
ଆଉ କିଛି ହେଉ କି ନାହିଁ
ତହିଁରେ ମୋ ଆୟତ୍ତ ନାହିଁ
ମୁଁ ନିଜେ ଯାଉଛିଁ ବଦଳି
ଗଣି, ମାପି ପାରୁଛିଁ କଳି
ବ୍ୟକ୍ତିରୁ ହେଉଛିଁ ବ୍ୟକ୍ତିତ୍ୱ
ଏ କାମ ଅଟେ ସାରସ୍ୱତ
ମନ ଭାବନା ଲେଖି, ରଖି
ହୋଇଛିଁ ସମୟର ସାକ୍ଷୀ
କେହି ନାହାଂତି ବିଚାରକ
ତେଣୁ ହୋଇନାହିଁ ମୂକ
ବଚନାଶ୍ରୟୀ ଗୋଟେ ପ୍ରାଣୀ
ହୋଇ ମୁଁ ଶୁଣାଏଁ କାହାଣୀ
ନୁହେଁ ମୁଁ ବିଦ୍ବାନ୍ ସୁଜ୍ଞାନୀ
ଅଳପ ଭାଷା-ଅଭିମାନୀ