Latest Odisha News

BREAKING NEWS

ବ୍ରାଉନସୁଗାର କାରବାରବେଳେ ମାଡିବସିଲା ପୋଲିସ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଥମୁନି ଧଳା ଜହର କାରବାର । ଆଜି ବ୍ରାଉନ ସୁଗାର କାରବାର ବେଳେ ଦୁଇ ଜଣଙ୍କୁ କାବୁ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଧଉଳି ଥାନା ଅନ୍ତର୍ଗତ କାଳପଡା ଗାଁ ର ବିଶ୍ବରଞ୍ଜନ ସାହୁ ଓରଫ ଆଲୋକ(୨୬) ଅନ୍ୟ ଜଣକ ଯାଜପୁର ଜିଲ୍ଲା କଟିଆ ଗାଁ ର ତ୍ରିଲୋଚନ ନାଥ ଓରଫ(୨୪) ।

ବିଶେଷ ସୂତ୍ରରୁ ଖବରପାଇ, କ୍ୟାପିଟାଲ ଥାନାର ଏକ ପାଟ୍ରୋଲିଙ୍ଗ ଟିମ୍ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ଫରେଷ୍ଟ ପାର୍କ ଗେଟ୍ ନିକଟରେ ବ୍ରାଉନ ସୁଗାର ବିକ୍ରି ଚାଲିଥିବା ବେଳେ ଅତର୍କିତ ଛଢଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଛାନଭିନ କରି ଉଭୟଙ୍କ ନିକଟରୁ ମୋଟ ୪୪.୧୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏହି ଜବତ ବ୍ରାଉନସୁଗାରର ଆନୂମାନିକ ମୂଲ୍ୟ  ୪୪ ଲକ୍ଷ ଟଙ୍କା ହେବ । ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ ।

ଏହି ଘଟଣାକୁ କେନ୍ଦ୍ରକରି କ୍ୟାପିଟାଲ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ତେବେ ଅଭିଯୁକ୍ତ ତ୍ରିଲୋଚନ ନାଥ ଓରଫ ଚିଆଁ ଜଣେ ପେଷାଗତ ଅପରାଧୀ ଅଟନ୍ତି । ତାଙ୍କ ନାଁରେ ପୂର୍ବରୁ ଭୁବନେଶ୍ବରର ବିଭିନ୍ନ ଥାନାରେ ମୋଟ ୧୫ ଟି ଅପରାଧିକ ମାମଲା ରହିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ଅଭ୍ୟାସଗତ ଭାବେ ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ତାଙ୍କ ବିରୋଧର CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି ।

ସେହିପରି ଅଭିଯୁକ୍ତ ବିଶ୍ଵରଞ୍ଜନ ସାହୁ ଓରଫ ଆଲୋକଙ୍କ ନାମରେ ମଧ୍ୟ କ୍ୟାପିଟାଲ ଥାନାରେ ପୂର୍ବରୁ ଏକ ମାମଲା ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.