Latest Odisha News

BREAKING NEWS

ହୀରାକୁଦ ଅଞ୍ଚଳରେ କାୟା ବିସ୍ତାର କରୁଛି ଝାଡାବାନ୍ତି, କାରଣ ଖୋଜିବାକୁ ପହଞ୍ଚିଲେ ଡାକ୍ତରୀ ଦଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ କାୟା ବିସ୍ତାର କରୁଛି ଝାଡାବାନ୍ତି । ବର୍ତ୍ତମାନ ସୁଦ୍ଧା ୧୩୧ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ୨ଜଣଙ୍କ ଜୀବନ ଯାଇଛି । କିଛି ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମନାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଗତକାଲି ଜଣେ ପ୍ରାଣ ହରାଇଥିବା ବେଳେ ଆଜି ଆଉ ଜଣେ ପ୍ରାଣ ହରାଇଛନ୍ତି । ଏହାରିଭିତରେ ବୁର୍ଲାରେ ଏହି ସମସ୍ୟାର କାରଣ ଖୋଜିବା ପାଇଁ ହୀରାକୁଦ ଯାଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ୨ଟି ଟିମ୍ । ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପାଣିର ନମୁନା ସଂଗ୍ରହ କରି ତଦନ୍ତ କରିବ । ଏହାପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧୭ ତାରିଖରେ ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ ୩ ଜଣ ଲୋକେ ହୀରାକୁଦ ଡାକ୍ତରଖାନାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣକୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରଠାରୁ ପ୍ରତ୍ୟକ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ଦୈନିକ ୪୦ ରୁ ୫୦ ଜଣ ଆକ୍ରାନ୍ତ ଡାକ୍ତରଖାନାକୁ ଆସୁଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ଅବସ୍ଥା ଗୁରୁତର ମଧ୍ୟ ରହିଛି । ତେବେ, ଆଜି ସୁଦ୍ଧା ସହରରେ ଆକ୍ରାନ୍ତ ସଂଖ୍ୟା ୧୩୧ରେ ପହଞ୍ଚିଛି। ସେହିପରି ଗତକାଲି ଜଣେ ଆକ୍ରାନ୍ତ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି ।

ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ମୋବାଇଲ୍ ହେଲଥ ୟୁନିଟ୍ ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିଛି । ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପିଇବା ପାଣି ପାଇଁ ଡାଇରିଆ ବ୍ୟାପିବାରେ ଲାଗିଛି । ଟ୍ରିଟମେଂଟ ପ୍ଲାଂଟରେ ପାଣିକୁ ବିଶୁଦ୍ଧ କରାଯାଉନାହିଁ । ପ୍ରାୟ ୪ଟି ସ୍ଥାନରୁ ପାନୀୟ ଜଳ ନମୂନା ସଂଗ୍ରହ କରାଯାଇ ଟେଷ୍ଟା ପାଇଁ ପଠାଯାଇଛି ଏହାସହ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଡୋର ଟୁ ଡୋର ବୁଲି ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଉଛି । ସେପଟେ ଆଜି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ୨ଟି ଟିମ୍ ହୀରାକୁଦ ଯାଇ ସେହି ସମସ୍ତ ଅଞ୍ଚଳରେ ଝାଡାବାନ୍ତିର କାରଣ ଖୋଜିବା ସହ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସହ ଗୁରୁତ୍ଵପୁର୍ଣ୍ଣ ବୈଠକ କରିବ ।

 

Leave A Reply

Your email address will not be published.