Latest Odisha News

BREAKING NEWS

ମା’ ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ପାର୍ବଣ। ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା। ମା’ ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ।

କଥାରେ ଅଛି ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା’ ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି । ବିଶ୍ୱକଲ୍ୟାଣୀ ସେ । ଘରେଘରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ ମାଆଙ୍କ ଏହି ଦଶହରା ପର୍ବ ।

ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା, ତୃଷ୍ଣା, ଶ୍ରଦ୍ଧା, ଲକ୍ଷ୍ମୀ, ଦୟା, ଭ୍ରାନ୍ତି ରୂପରେ ସେ ସଂସ୍ଥିତା।

“ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।

ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ।”

ଏହି ପ୍ରାର୍ଥନା କରି ମାଆଙ୍କ ଆରାଧନା କରାଯାଇଥାଏ।

ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାର ଦ୍ଵିତୀୟ ଦିନ। ବ୍ରହ୍ମଚାରିଣୀ ବେଶରେ ମାଆ ଭକ୍ତଙ୍କୁ ଆଜି ଆର୍ଶୀବାଦ କରିବେ ।

ନବରାତ୍ର ଦ୍ଵିତୀୟ ଦିନ ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଇଥାଏ। ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀଣୀ ଭାବେ ଘୋର ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ହୋଇଥିଲା।

ଏହି ୯ ଦିନରେ ପ୍ରଥମ ଦିନ ଶୈଳପୁତ୍ରୀ ପୂଜା, ଦ୍ଵିତୀୟ ଦିନ ବ୍ରହ୍ମଚାରିଣୀ ପୂଜା, ତୃତୀୟ ଦିନ ଚଣ୍ଡଘଣ୍ଟାଙ୍କ ପୂଜା, ଚତୁର୍ଥ ଦିନ କୁଷ୍ମାଣ୍ଡା ଦେବୀ, ପଞ୍ଚମ ଦିନ ସ୍କନ୍ଧମାତା, ଷଷ୍ଠ ଦିନ କାତ୍ୟାୟନି ପୂଜା, ସପ୍ତମୀ ଦିବସରେ କାଳରାତ୍ରି, ଅଷ୍ଟମ ଦିବସରେ ମହାଗୌରୀ ଓ ନବମ ଦିବସରେ ସିଦ୍ଧିଦାତ୍ରୀ ପୂଜା ଅନୁଷ୍ଠିତ ହେବାର ବିଧି ରହିଛି ।

Leave A Reply

Your email address will not be published.