କଟକ: ମହାନଦୀର ନରାଜ ନିକଟସ୍ଥ ବୁଢ଼ା ବନ୍ଧରେ ଅଘଟଣ । ସେଲଫି ନେଉଥିଲା ବେଳେ ୩ଜଣ ଯୁବକ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ଯୁବକ ମାଛୁଆ ବଜାର ଅଞ୍ଚଳର ଆକାଶ ବେହେରା (୨୩)।
ସୂଚନା ଅନୁସାରେ କଟକ ମାଛୁଆ ବଜାର ଅଞ୍ଚଳରୁ ଆଜି ସନ୍ଧ୍ୟାରେ ୩ଜଣ ଯୁବକ ନରାଜ ପୁରୁଣା ବନ୍ଧ ପାଖରେ ବୁଲାବୁଲି କରୁଥିଲେ। ସେମାନେ ସେଲଫି ନେଉଥିଲା ବେଳେ ଭୁଲବଶତଃ ପାଣିରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଓଡ୍ରାଫ୍ ଟିମ୍କୁ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ୨ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଯୁବକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ବର୍ଷା ଋତୁରେ ମହାନଦୀର ଜଳସ୍ତର ଓ ସ୍ରୋତ ବଢ଼ିଥିବାରୁ ନଦୀ କୂଳ ଓ ବନ୍ଧ ଅଞ୍ଚଳକୁ ବୁଲିବାକୁ ଯାଉଥିବା ଲୋକଙ୍କୁ ପ୍ରଶାସନ ସତର୍କତା ଅବଲମ୍ବନ କରିବାକୁ ବାରମ୍ବାର ପରାମର୍ଶ ଦେଉଛି। ନିଖୋଜ ଯୁବକଙ୍କ ସନ୍ଧାନ ମିଳିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି।