Latest Odisha News

ସଡକ ସୁରକ୍ଷା ମାସରେ ହିଁ, ଦୁର୍ଘଟଣାରେ ଗଡିଛି ୫୦୫ ମୁଣ୍ଡ

ଭୁବନେଶ୍ବର: ସଡକ ସୁରକ୍ଷା ମାସରେ ହିଁ, ଦୁର୍ଘଟଣାରେ ଯାଇଛି ୫୦୫ ଜଣଙ୍କ ଜୀବନ । ଗୋଟିଏ ମାସରେ ମୋଟ ୮୪୮ଟି ଦୁର୍ଘଟଣା ଘଟିଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ତେବେ ଆଜି ଗୃହରେ ବିଧାୟକ ଅରୁଣ ସାହୁ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ପ୍ରଶ୍ନ କରିଥିଲେ । ୨୦୨୪-୨୫ ଆର୍ଥିକ ବର୍ଷରେ କେତେ ଦୁର୍ଘଟଣା ହୋଇଛି ? କେତେ ଜଣଙ୍କ ମୃତ୍ୟୁ ହୋଇଛି? ଦୁର୍ଘଟଣାରେ କେତେ ଜଣ ଦିବ୍ୟାଙ୍ଗ ହୋଇଛନ୍ତି?, ଏଥିସହିତ ସଡ଼କ ସୁରକ୍ଷା ସପ୍ତାହ ପାଳନରେ ଚଳିତବର୍ଷ କେତେ ଖର୍ଚ୍ଚ ହୋଇଛି ? ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ପାଇଁ କେଉଁ କେଉଁ ସଂସ୍ଥାକୁ କେତେ ଅର୍ଥ ପ୍ରଦାନ କରାଯାଇଛି? ସେନେଇ ଏକ ସବିଶେଷ ତଥ୍ୟ ଗୃହରେ ରଖିବାକୁ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ।

ଯାହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ଗତ ଜାନୁଆରୀରେ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା । ସେହି ଗୋଟିଏ ମାସରେ ହିଁ ୮୪୮ ଦୁର୍ଘଟଣା ଘଟିଛି । ଏଥିରୁ ୪୭୨ ଜଣ ଆହତ ହୋଇଥିବା ବେଳେ ୫୦୫ ଜଣ ଜୀବନ ସଡକ ଦୁର୍ଘଟଣାରେ ଚାଲିଯାଇଛି । ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ୧ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୨୫ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବିଭିନ୍ନ ଆର୍‌ଟିଓକୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଓଡ଼ିଶାରେ ବିଗତ ୫ ବର୍ଷରେ ହାରାହାରି ବାର୍ଷିକ ସଡ଼କ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୩୬୬ରେ ପହଞ୍ଚିଛି  । ସେହିଭଳି ଦୁର୍ଘଟଣାରେ ଆହତ ସଂଖ୍ୟା ହାରାହାରି ୧୦ ହଜାର ୮ ରହିଛି । ଆଉ ସବୁଠୁ ଚିନ୍ତାଜନକ ବିଷୟ ହେୁଛି, ଏହି ସବୁ ଦୁର୍ଘଟଣାରେ ହାରାହାରି ୫ ହଜାର ୪୩୩ ଜଣଙ୍କର ଜୀବନ ଯାଇସାରିଲାଣି ।

Comments are closed.