Latest Odisha News

୪୫ ଡିଗ୍ରୀରେ ଭାଜି ହେଲା ୭ ସହର, ୪୬ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ବି ଟକମକ୍ ହୋଇ ଫୁଟିଛି ଓଡ଼ିଶା । ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହୋଇଛି । ଆଜି ରାଜ୍ୟର ୭ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିଭଳି ସୋନପୁରରେ ୪୫.୮ ଡିଗ୍ରୀ, ହୀରାକୁଦ ଓ ବୌଦ୍ଧରେ ୪୫.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୫.୨ ଡିଗ୍ରୀ, ବଲାଙ୍ଗିର ଓ ସୁନ୍ଦରଗଡ଼ରେ ୪୫ ଡିଗ୍ରୀ, ବରଗଡ଼ରେ ୪୪.୨ ଡିଗ୍ରୀ, ଟିଟିଲାଗଡ଼ ଓ ରାଉରକେଲାରେ ୪୩.୫ ଡିଗ୍ରୀ, ନୟାଗଡ଼ରେ ୪୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ପାରଦ ୪୦.୨ ଡିଗ୍ରୀ ରହିଛି । ଆଜି ବି ରାଜ୍ୟର ୨୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଉ ୩ ଦିନ ପରେ ପାରଦ ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ତାତି କମିବ । ୩ ଦିନ ଯାଏ କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବା ସହ ଅସ୍ୱାଭାବିକ ପାଗ ଅନୁଭୂତ ହେବ ।

୧୯ ତାରିଖରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି ।

୨୦ ତାରିଖରେ ହିଟୱେଭ୍ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ଆଲର୍ଟ କରାଯାଇଥିବା ବେଳେ ୨୫ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୧ ତାରିଖରେ ମଧ୍ୟ ୨୨ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ୨୨ ତାରିଖରେ ପାଗ ବଦଳିବା ସହ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.