Latest Odisha News

BREAKING NEWS

ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୯୪.୪୮ ଲକ୍ଷ ଭୋଟର

ଭୁବନେଶ୍ଵର: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତୃତୀୟ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୬ଟି ସଂସଦୀୟ କ୍ଷେତ୍ର ପାଇଁ ୬୪ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି ।

ଏହି ପର୍ଯ୍ୟାୟରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮,୨୯,୬୬୦ ପୁରୁଷ, ୪୬,୧୭,୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସେହିପରି ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮,୪୫,୫୦୩ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ମତଦାନ କେନ୍ଦ୍ର ପିଛା ପ୍ରାୟ ୮୯୬ ଜଣ ମତାଦାତା ରହିଛନ୍ତି ।

ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ହେବ ଏବଂ ୩୦ଟି ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ହେବ । ଏହି ପର୍ଯ୍ୟାୟରେ ୨ ହଜାର ମଡେଲ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂ ଷ୍ଟେସନ୍‌ ଲୋକେସନ୍‌ରେ ଜଣେ ଲେଖାଏଁ ସ୍ଵେଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।

୨୦ ପ୍ରତିଶତ ସମ୍ବେଦନଶୀଳ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଛି । ସୁରକ୍ଷା ଦୃଷ୍ଟିରୁ ତୃତୀୟ ପର୍ଯ୍ୟାୟରେ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ (CAPF) ମୁତୟନ ରହିବେ । ପୋଷ୍ଟାଲ ବାଲାଟରେ ୩୦ ହଜାରୁ ଅଧିକ ଭୋଟ୍ ଗ୍ରହଣ କରାଯାଇଛି । ବିଶେଷକରି ସହରୀ ଭୋଟର ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ଅପିଲ୍ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

 

 

Leave A Reply

Your email address will not be published.