Latest Odisha News

BREAKING NEWS

ଶ୍ରମିକଙ୍କ ଗର୍ଜନରେ ପୁଣି ଥରିଲା ଶିଳ୍ପ ରାଜଧାନୀ କଳିଙ୍ଗନଗର: ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର କର୍ମଚାରୀ

ଯାଜପୁର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଶ୍ରମିକଙ୍କ ଗର୍ଜନରେ ଥରୁଛି ଶିଳ୍ପ ରାଜଧାନୀ କଳିଙ୍ଗନଗର। ଜୀବନ ଜୀବିକା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶ୍ରମିକ ଓ କର୍ମଚାରୀ। ଚାଲିଛି ଅର୍ଥନୈତିକ ଅବରୋଧ। ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାର ଅଚଳାବସ୍ଥା କୁ ନେଇ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି ।

୭ ମାସର ବକେୟା ଦରମା ଓ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ଶ୍ରମିକ ଓ କର୍ମଚାରୀ। ଆଜି ସକାଳୁ ସ୍ଥାନୀୟ ଡୁବୁରୀ ଛକ ଠାରେ ଶ୍ରମିକ କର୍ମଚାରୀ ଓ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଅର୍ଥନୈତିକ ଅବରୋଧ କରାଯାଇଛି। ଏହି କାରଖାନା ବନ୍ଦ ହେବା ଫଳରେ ହଜାର ହଜାର ପରିବାର ଏବେ ଭୋକ ଉପାସ ରେ ଦିନ କାଟୁଛନ୍ତି।

କାରଖାନାରେ କ୍ରମାଗତ କ୍ଷତି ହେବା ଏବଂ ପରିଚାଳନା ଗତ ସମସ୍ୟା ଯୋଗୁଁ ନିକଟରେ କେନ୍ଦ୍ର ସରକାର ଏହି କାରଖାନାରୁ ନିଜ ପୁଞ୍ଜି ପ୍ରତ୍ୟାହାର କରି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରଙ୍କ OMC, IPICOL ଏବଂ MMTC ଓ BHEL ଭଳି ବଡ ବଡ ସଂସ୍ଥା ମଧ୍ୟ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରିନେଲେ । ସେହିପରି ଏହି କାରଖାନାକୁ କୌଣସି ଘରୋଇ ସଂସ୍ଥା ହାତକୁ ଟେକି ଦେବା ନେଇ ମସୁଧା ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି।

ତେଣୁ ଏହି କାରଖାନାକୁ SAIL ସହ ମିଶ୍ରଣ କରି ପୁନଃ ଚାଲୁ କରିବାକୁ ଦାବି କରାଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରମିକ କର୍ମଚାରୀ ଏବଂ ବିସ୍ଥାପିତ ପରିବାର।

ସୂଚନା ମୁତାବକ ଗତ ୧୯୯୭ ମସିହାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ଭାବେ ପ୍ରତିଷ୍ଠା ହୋଇଥିଲା ନୀଳାଚଳ ଇସ୍ପାତ ନିଗମ। ଏଥିରେ ନିଯୁକ୍ତି ପାଇଥିଲେ ୫ ହଜାରରୁ ଉର୍ଦ୍ଧ୍ଵ ଲୋକ। ହେଲେ ଗତ ୮ ମାସରୁ ଊର୍ଦ୍ଧ୍ବ ହେବ ଏହି କାରଖାନାଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଫଳରେ ୫ ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ଓ କର୍ମଚାରୀ ଜୀବିକା ହରାଇଛନ୍ତି।

ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ରୋଜଗାର ନଥିବାରୁ ଏମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେବେ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ବକେୟା ଦରମା ପାଇଁ ପୂର୍ବରୁ ବାରମ୍ବାର ଦାବୀ ହୋଇ ଆସୁଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ତେଣୁ ବାଧ୍ୟ ହୋଇ ଆଜି ଶ୍ରମିକ ଓ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯଥାଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ସେପଟେ ରାସ୍ତା ଅବରୋଧ ଫଳରେ ଶିଳ୍ପାଞ୍ଚଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଉଭୟ ଦିଗରୁ ଶିଳ୍ପାଞ୍ଚଳକୁ ଗାଡି ଚଳାଚଳ ବନ୍ଦ ରହିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

Comments are closed.