ସୁପ୍ରିୟା ପଣ୍ଡା
ମୁଁ ଚିତ୍ରକର ମୁଁ ଚିତ୍ରକର
ରଙ୍ଗ ତୁଳୀ ମୋ ସଂସାର
ରୂପ ରେଖ ର ଗନ୍ତାଘର
ଜୀବନ୍ତ ମୋ କଳା କୃତି
କଳ୍ପନା ର ମୁଁ ସୌଦାଗର ।
ଅଙ୍କା ବଙ୍କା ରେଖା ଟାଣି
ବାସ୍ତବତା ର ରେଣୁ ବୁଣି
ସ୍ୱପ୍ନ ରାଜ୍ୟରେ ଜାଗା କିଣି
ଆଧିପତ୍ୟର ଉପତ୍ୟକାରେ
ରୂପ ସୌନ୍ଦର୍ଯ୍ୟ ମନଜିଣି ।
ପ୍ରେମରେ ହେବି ମୁଁ ମତୁଆଲା
ବିରହେ ଯିବିକି ମଧୁଶାଳା
ପ୍ରଣୟ ବିଧୁରେ ମନେ ଜ୍ୱାଳା
ଭାଙ୍ଗି ପଡ଼ିବିନି ଯାହାହେଉ
ଅଙ୍କନରେ ମୋ ପ୍ରେମଶିଳା।
ଯନ୍ତ୍ରଣା ପ୍ଲାବିତ ଥାଉ ମନ
ଭରିଥାଉ ପଛେ ଅଭିମାନ
ଜୀବନ ହେଉ ବି ରଙ୍ଗହୀନ
କ୍ଲାନ୍ତ ନୋହିବ ମୋ ହସ୍ତ
ରଙ୍ଗାୟିତ ହେବ ତନୁମନ।
ଅଦିନ ମେଘର ସମ୍ଭାରେ
ମୟୁର ଯଦି ବି ନୃତ୍ୟ କରେ
ବୃକ୍ଷ ଲତାର ମନ ଭରେ
ସୃଷ୍ଟି କରିବି ମୁଁ ସୃଜନିକା
ଭିଜିବାର ସେଇ ସୁଖରେ।
ପଦ୍ମ କୋରକ ସେ ଅସ୍ତିତ୍ୱ
ଜରାୟୁ ଭିତରେ ଜଡ଼ିତ
ବୁକୁରେ ଭରିବ ଅମୃତ
ନୂଆଁ ଅତିଥିର ଆଗମନେ
ସ୍ୱାଗତ ମୁର୍ଛନା ଅଙ୍କିତ ।
ଜନ୍ମ ଜାତକ ରେ ବିବିଧତା
ସକଳ ଗଢ଼ଇ ବିଧାତା
ତଥାପି ବି ରହେ ଅସ୍ପୃଶ୍ୟତା
ବିଦ୍ରୋହର ସୁକ୍ଷ୍ମ ତୁଳୀରେ
ଭରିପାରେ ମୁଁ ମାଦକତା ।
ପୁରସ୍କାର ମୁଁ ଖୋଜେ ନାହିଁ
ଚିତ୍ର ଦେହରେ ପ୍ରାଣ ପାଇ
ନିଜ ଇଛାର ପୁଟ ଦେଇ
ଅସଂଖ୍ୟ ଋତୁରେ ଅଭିଭୂତ
ଚିତ୍ରକରର ନାମ ନେଇ ।
ରସୁଲଗଡ, ଭୁବନେଶ୍ୱର
Comments are closed.