Latest Odisha News

BREAKING NEWS

ଭାଇରସ୍ ନୁହେଁ, ଭୈରବୀର ଡାକ ଇୟେ!

ପୃଥବୀର ୨୦୦ଟି ଦେଶରେ ବର୍ତମାନ ‘କରୋନା’ର କୋକୁଆ ଭୟ । କେବଳ, ହଁ କେବଳ ମଣିଷ ଶରୀର ହିଁ ତା’ର ମୁଖ୍ୟ ଟାର୍ଗେଟ୍ । ମଣିଷ ଉପରେ କରୋନା ଏତେ କ୍ରୋଧାନ୍ୱିତ ଯେ, ସେ ଖୋଜିଖୋଜି ମଣିଷକୁ
ହିଁ ଧରୁଛି । କରୋନାର ଏହି କ୍ରୁର ରୂପ ଦେଖି ସାଧାରଣରେ ଏବେ ଆଲୋଚନା-ମାଳିକା ବର୍ଣ୍ଣିତ ଭୈରବୀ ଏହି ‘ଭାଇରସ୍‌’ କରୋନା ନୁହେଁ ତ ? ଏବେ ଯେମିତି ଚାରିଆଡେ କରୋନା କରୋନା ଡାକ ପଡ଼ିଛି, ଏହାକୁ ଭୈରବୀର ରଡ଼ି ସହିତ ତୁଳନା କରାଯାଇପାରେ ।
ଆଜକୁ ଛ ଶହ ପଚାଶ ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦ ନିଜର ଗ୍ରନ୍ଥ ‘କଳି କଳୁଷ ମାଳିକା’ରେ କରୋନା ବାବଦରେ ଏପରି ଏକ ତଥ୍ୟ ରଖିଥିଲେ । ବିଂଶୁ ଉଣା ଏକ ଦି’କୋଡିକୁ ଦେଖ ବ୍ରହ୍ମ ସଂଖ୍ୟା ମିଶୁ ତହିଁ ଏକାଳେ ଜାଣିବୁ ଅକାଳ ମଡକ ଆସିକି ରହିବ ନାହିଁ ବ୍ୟାଖ୍ୟା କଲେ ଜଣାପଡେ ଯେ, ‘ବିଂଶ’ ମାନେ ୨୦ । ‘ଉଣା ହେବ
ଏକ’ ଅର୍ଥାତ ୨୦-୧ = ୧୯ । ‘ଦି କୋଡି’ ହେଉଛି ୨ ଙ୍ଘ ୨୦ = ୪୦ ।

‘ବ୍ରହ୍ମ ସଂଖ୍ୟା’ ବୋଇଲେ ‘୧’କୁ ବୁଝାଏ । ଅତଏବେ ଇୟେ ହେଲା ୪୦+୧ = ୪୧ । ଏବେ ସମୁଦାୟ ସଂଖ୍ୟାଟି ହେଲା ୧୯୪୧ । ହେଲେ ୨୦୨୦ ସହିତ ଏହାର ସଂପର୍କ କ’ଣ ? ଉତର ଜାଣିବା ପାଇଁ ଏବେ ନିଜ ଘରେ ଥିବା ୨୦୨୦ ମସିହାର କ୍ୟାଲେଣ୍ଡକୁ ଦେଖାଯାଉ । ସେଥିରେ ଲେଖାହୋଇଛି ଶକାବ୍ଦ ୧୯୪୧ ।
୧୯୪୧ ଶକାବ୍ଦ ଅର୍ଥାତ ୨୦୨୦ ମସିହାରେ ଏକ ଅକାଳ ମଡ଼କ ଆସିବ ।

ଏହା ଏବେକାର କରୋନା ବ୍ୟତୀତ ଆଉ କିଛି ହୋଇନପାରେ । ଏ କରୋନା ଭାଇରସର ଉତ୍ପତିସ୍ଥଳ ଚାଇନାର ହୁଆନୋ ସହର । ଏହାକୁ ପ୍ରଥମେ ଠାବ କରିଥିବା ସେଠାକାର ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି । ଏ ବାବଦରେ ବି ମାଳିକାରେ ଲେଖାଅଛି । ମହାପୁରୁଷ ଶିଶୁ ଅନନ୍ତଙ୍କ ମାଳିକାରେ ଲେଖାଅଛି ଯେ,
ଆଦ୍ୟବୈଦ୍ୟଠାରେ ପ୍ରକାଶ ହୋଇବ ପରେ ଅନ୍ୟ ହେବେ ନାଶ ବୈଦ୍ୟ ଯେବେ ନାଶ ନୋହିବେ ବାରଙ୍ଗ
ଆଉକେ ହୋଇବ ଧ୍ୱଂସ ଏ ଯେ, ଘୋର କଳିର କଳୁଷ କେବଳ ସେତିକି ନୁହେଁ । କଳିଯୁଗ ଶେଷରେ ‘ଭୈରବୀ’ ରଡ଼ି ଦେବାର କଥା ମଧ୍ୟ ଲେଖାଅଛି । ଏଇ ଭୈରବୀ କିଏ ?

କୁହାଯାଏ ମାଳିକା ହେଉଛି ‘ଠାର ଆଉ ଗାର’ର କଥା । ଭାଗବତରେ ଲେଖା ଅଛି- ଜ୍ଞାନୀ ନକହନ୍ତି ସାଖ୍ୟାତେ । ବୁଲାଇ ଘରଦ୍ୱାର ପଥେ । ଯେତେ ବି ମାଳିକା ରଚିତ ହୋଇଛି, ପ୍ରାୟତଃ କୌଣସିରେ ବି ତତ୍ୱବେତା
ମହାପୁରୁଷମାନେ ପ୍ରତ୍ୟକ୍ଷ ଭାବେ କାଳ ନିର୍ଣ୍ଣୟ କରିନାହାନ୍ତି । ସବୁ ବୁଲେଇ ବଙ୍କେଇ । ବର୍ତମାନ ବିଶ୍ୱର ସବୁଆଡେ କେବଳ ଗୋଟିଏ ଶବ୍ଦ ହିଁ ଉଚ୍ଚାରିତ ହେଉଛି- କରୋନା ଆଉ କରୋନା । ଏଇ ‘ଭାଇରସ’ର
ତୀବ୍ରତାକୁ ମହାପୁରୁଷ ଅଲଗା ଅର୍ଥରେ ‘ଭୈରବ’ର ରଡ଼ି ବୋଲି ଯେ କହି ନଥିବେ ଏଥିରେ ସନ୍ଦେହ କରିବାର କିଛି ନାହିଁ ।

ବଡ ଅଶ୍ୱସ୍ତିର କଥା ଏହି ଯେ, କରୋନା ବେଶୀଦିନ ତିଷ୍ଠି ରହିପାରିବ ନାହିଁ । ଏହାର ଆୟୁଷ ସ୍ୱଳ୍ପ । ଯେମିତି ଆସିଛି ସେମିତି କୁଆଡେ ଅନ୍ତର୍ଦ୍ଧାନ ହୋଇଯିବ, ଯାହା ‘ଆସିକି ରହିବ ନାହିଁ’ ପଦରୁ ପ୍ରମାଣ ମିଳେ । ଏଇ ନିକଟରେ ଶ୍ରୀମନ୍ଦିରରେ ‘ବାଡି ନୃସିଂହ’ ନଗର ବିଜେ କରିଥିଲେ । ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଚତୁର୍ଥୀ ତିଥିରେ ବାଡି ନୃସିଂହ ଶ୍ରୀମନ୍ଦିରରୁ ବାହାରନ୍ତି । ଏ ପରମ୍ପରା ପ୍ରାୟତଃ ୧୯୦୪-୦୫ ମସିହାରୁ ହେଉଅଛି । ବାଡି ଶବ୍ଦର ଅର୍ଥ ହେଉଛି ମହାମାରୀ । ୧୯୦୪-୦୫ ମସିହାରେ ଶ୍ରୀକ୍ଷେତ୍ର ତଥା ଆଖପାଖ ବିଭିନ୍ନ ପ୍ରାନ୍ତରେ ମହାମାରୀରେ ଲୋକ ପୋକମାଛି ପରି ମଲେ । ଭକ୍ତଙ୍କ ଆକୁଳ ନିବେଦନରେ ପ୍ରଭୁ ବାଡି ନୃସିଂହ ଭାବେ ନଗର ବିଜେ କରିବାରୁ ମହାମାରୀର ପ୍ରକୋପ କମିଥିଲା ।

ବର୍ତମାନ ସେହିଭଳି ଭାବରେ ହିନ୍ଦୁ ଜାତିର ମଉଡମଣି ପ୍ରଭୁ ଶ୍ରୀଜଗନ୍ନାଥ ଦେଶ ତଥା ବିଶ୍ୱର ଏ ଦୁର୍ଦ୍ଦଶାକୁ
ନଷ୍ଟ କରନ୍ତୁ ବୋଲି ବିକଳ ପ୍ରାର୍ଥନା କରୁଛୁ । ସରକାରଙ୍କ ‘ଲକ୍‌ଡାଉନ୍‌’ ନିୟମକୁ ମାନି ସମସ୍ତେ ଘରେ ରହିଲେ
ହିଁ ସୁରକ୍ଷିତ ରହିପାରିବେ । ଏ ‘ଲକ୍‌ଡାଉନ୍‌’ ନିୟମଟି ସବୁ ଯୁଗରେ ପ୍ରାୟତଃ ଥିଲା । ମା’ ଜାନକି ‘ଲକ୍‌ଡାଉନ୍‌’ ନିୟମ ମାନିଲେ ନାହିଁ । କୁଡିଆରେ ନରହି ଲକ୍ଷ୍ମଣ କାଟିଥିବା ୩ ଗାରକୁ ଡେଇଁଗଲେ । ଫଳ ହେଲା ବିଷମ । ମା’ ସୀତା ଅପହରିତ ହେଲେ । ଦେବତା-ଦାନବ ଯୁଦ୍ଧରେ ଯେତେବେଳେ ବି ଦେବତାମାନେ ହାରି ଯାଆନ୍ତି ସେମାନେ ଭୟରେ ଆତ୍ମଗୋପନ କରନ୍ତି । ଏୟେ ବି ଏକ ପ୍ରକାର ‘ହୋମ କ୍ୱାରେଂଟାଇନ୍‌’ । ଏହା ଯୋଗୁ ଦେବତାମାନେ ରାକ୍ଷାସମାନଙ୍କୁ ହରାଇବାର ଉପାୟ ପାଇ ଯାଆନ୍ତି ଏବଂ ହରାନ୍ତି ମଧ୍ୟ । ଏ ପ୍ରସଙ୍ଗରେ
ମହାଭାରତ ଯୁଦ୍ଧର ଏକ ଦୃଶ୍ୟ ଆଖି ଆଗରେ ନାଚି ଉଠୁଛି । ଯୁଦ୍ଧରେ ଗୁରୁ ଦୌଣାଚାର୍ଯ୍ୟଙ୍କ ନିଧନ ହେଲା । ପିତାଙ୍କ ନିଧନ ଖବର ପହଂଚିଲା ପୁତ୍ର ଅଶ୍ୱଥାମାଙ୍କ ନିକଟରେ । କ୍ରୋଧରେ ଆବେଶ ହୋଇ ଅଶ୍ୱଥାମା
ପାଣ୍ଡବମାନଙ୍କୁ ମାରିବା ପାଇଁ ନାରାୟଣୀ ଅସ୍ତ୍ର ପ୍ରୟୋଗ କଲା । ମହା ବିଧ୍ୱସିଂକାରୀ ଏହି ଅସ୍ତ୍ରର ସ୍ୱଭାବ ହେଉଛି ଯେ, ଶତ୍ରୁ ହାତରେ ଯଦି ଅସ୍ତ୍ର ଥିବ, ତେବେ ସେ ଯେତେ ଶକ୍ତିଶାଳୀ ହେଉନା କାହିଁକି, ଏ ଅସ୍ତ୍ର ତାକୁ ଧ୍ୱଂସ କରିବ ହିଁ କରିବ । ଶତ୍ରୁ ଯଦି ନିରସ୍ତ୍ର, ତେବେ ଏ ଅସ୍ତ୍ର ତାହାର କିଛି କ୍ଷତି କରିବ ନାହିଁ । ଏ ତତ୍ୱଟି କେବଳ ଭଗବାନ ଶ୍ରୀକୃ୩⁄୪ଙ୍କୁ ଜଣାଥିଲା । ପାଣ୍ଡବମାନଙ୍କ ଉପରକୁ ନାରାୟଣ ଅସ୍ତ୍ର ପ୍ରଚଣ୍ଡ ବେଗରେ ମାଡ଼ି ଆସୁଥିବା ଦେଖି ପାଣ୍ଡବମାନେ ପ୍ରମାଦ ଗଣିଲେ । ସବୁ ବିପଦରେ ଆଶ୍ରା ଦେଉଥିବା ଶ୍ରୀକୃଷ୍ଣଙ୍କ ଚରଣରେ ଏଥରକ ସଭିଏଁ ଶରଣ ପଶିଲେ । ନିଜ ନିଜର ଅସ୍ତ୍ର ଛାଡି ଚୁପ୍‌ଚାପ ଠିଆ ହେବାକୁ ପାଣ୍ଡବମାନଙ୍କୁ ଶ୍ରୀକୃଷ୍ଣ ନିର୍ଦ୍ଦେଶ ଦେଲେ । ସମସ୍ତେ ଶ୍ରୀକୃଷ୍ଣଙ୍କ କଥା ମାନି ଚୁପ୍‌ଚାପ ଠିଆ ହେଲେ । ନାରାୟଣ ଅସ୍ତ୍ର ଆସିଲା କିନ୍ତୁ ନିରସ୍ତ୍ର
ପାଣ୍ଡବମାନଙ୍କର ଚତୁଃପାଶ୍ୱର୍ରେ ଚକ୍କର କାଟି ଲେଉଟି ଗଲା କିଛି କ୍ଷତି ନକରି ।

ଏବେ କରୋନା ହେଉଛି ଚୀନ୍‌ର ସେହିପରି ଏକ ନାରାୟଣୀ ଅସ୍ତ୍ର । ବିଶ୍ୱରେ ବିଶେଷକରି ଆମେରିକାର ଅର୍ଥନୀତିକୁ ନଷ୍ଟଭ୍ରଷ୍ଟ କରି ନିଜକୁ ସୁପର ପାୱାର ଭାବେ ପ୍ରତିଷ୍ଠିତ କରାଇବାର ଲକ୍ଷ୍ୟନେଇ ଚାଇନା ହିଁ
ଏହି ଜୈବିକ ଅସ୍ତ୍ରର ଜନକ ବୋଲି ସାରା ଦୁନିଆରେ ଏବେ ପ୍ରଚାର ହେଲାଣି । ସୁତରାଂ କରୋନାର ଭୟାବହତାରୁ ରକ୍ଷା ପାଇବା ପାଇଁ ଏବେ ଏକମାତ୍ର ବିକଳ୍ପ ହେଉଛି କର୍ମ ରୂପକ ଅସ୍ତ୍ରକୁ ଛାଡି ଆମେ ସଭିଏଁ
ସରକାରଙ୍କ ନିୟମକୁ ମାନି ଘରେ ରହିବା । ପ୍ରତିଷେଧକ ଭାବରେ ଏ ଯେଉଁ ମାର୍ଗ ବର୍ତମାନର ସରକାରଙ୍କ ଦ୍ୱାରା ଜାରି କରାଯାଇଛି ସେ ସୂତ୍ରଟି ବି ପୂର୍ବରୁ ମାଳିକାରେ ଲେଖାହୋଇଛି । ମହାପୁରୁଷ ଅଚ୍ୟୁତଙ୍କ ଭାଷାରେ ମହାମାରୀ ବ୍ୟାପି ଯିବ ଦେଶେଦେଶେ ଭୟ ଉପୁଜୁଥିବ କେହି କାହାର ଘର ନଯିବ ‘କେହି କାହାର ଘର ନଯିବ’ ହିଁ ଆଜିକାର ହୋମ କ୍ୱାରେଂଟାଇନ୍‌ର ଚିତ୍ର । ଏ ମାଟିର ମହାପୁରୁଷମାନେ ଆମ ପ୍ରତି କେତେ ଦୟାବାନ!
ଅସୁବିଧା କଥା ବି ଲେଖିଛନ୍ତି ଏବଂ ତା’ର ସମାଧାନର ରାସ୍ତା ବି ବତାଇଛନ୍ତି । ଧନ୍ୟ ଆମ ଓଡ଼ିଶା-ଧନ୍ୟ ଆମ ସନ୍ଥ ।

କିନ୍ତୁ ଆମେ ଯଦି ନମାନିବା ? ସରକାର ଅନୁରୋଧ କଲେ-ଘରେ ରୁହନ୍ତୁ । କିନ୍ତୁ ଆମେ ଯାଇ କ୍ଲବ ଘରେ ତାସ୍ ଖେଳିଲେଣି-ଛକ ବଜାରରେ ଟହଲ ମାରିଲେଣି । ଇଟାଲି ଆଉ ଆମେରିକାର ଦୁର୍ଦ୍ଦଶା ଦେଖି ବି ଆମ ମୁଣ୍ଡରେ ତଥାପି ଚେତା ପଶୁ ନାହିଁ । ଯେଉଁମାନେ ଘରେ ରହିଛନ୍ତି ସେମାନଙ୍କ ମନରେ ଏବେ ଏକ ଅହେତୁକ ଭୟ । କଳି ଯୁଗ ଶେଷ ହୋଇଯିବ କି ଆଉ । ଆଉ କିଛି ମହାବିପତି ଆଗକୁ ଅଛି କି ? ସାରା ବିଶ୍ୱ ଯେତେବେଳେ କରୋନା ଭୟରେ ଆତଙ୍କିତ, ଲକଡାଉନ୍‌ ଫଳରେ ଭବିଷ୍ୟତର ମାନ୍ଦାବସ୍ଥା ଏବଂ ଖାଦ୍ୟ ସଙ୍କଟ ଆଦି ଅନାଗତ ଆଶଙ୍କା ଯୋଗୁଁ କଳିଯୁଗ ଯେ ଶେଷ ହେବାକୁ ଯାଉଛି ଏହାକୁ ଯେ କେହି ବି ଭାବିବ । କିନ୍ତୁ ନା ପାଠକେ, ଏବେ ସେମିତି କିଛି ହେବାର ନାହିଁ । କରୋନା ପରି ପୂର୍ବରୁ ଅନେକ ମହାମାରୀ ଏବଂ ମହାବାତ୍ୟା ଆଦି ଆସିଛି, ବହୁ ଲୋକ ବି ମରିଛନ୍ତି । କିନ୍ତୁ ଏବେ ଯୁଗ ଶେଷ ହେବାର ସମୟ ଆସିନି । ଯୁଗ ଶେଷ ହେବାର ସମୟକୁ ନେଇ ଅନେକ
ଦିବ୍ୟଦ୍ରଷ୍ଟା ମହାତ୍ମା ବିଭିନ୍ନ ପ୍ରକାର ସାଙ୍କେତିକ ଲକ୍ଷଣ ମାନ ନିଜ ନିଜ ମାଳିକାରେ ଉଲ୍ଲେଖ କରିଛନ୍ତି । ପାଠକମାନଙ୍କ ଗୋଚରାର୍ଥେ କେବଳ ଗୋଟିଏ ଲକ୍ଷଣ ଏଠାରେ ପ୍ରକାଶ କରାଯାଇପାରେ । ପୂଜନୀୟ ସନ୍ଥ
ସାରଙ୍ଗ ଦାସ କଳିଯୁଗ ଶେଷ ସମ୍ବନ୍ଧରେ ତାଙ୍କ ମାଳିକାରେ ଲେଖିଛନ୍ତି ଯେ- ଷଡବର୍ଷ ଯାତ୍ରା ଯେ ନୋହିବ ନନ୍ଦିଘୋଷ । ଅର୍ଥାତ ଲଗାତର ୬ ବର୍ଷ ଧରି ଯେତେବେଳେ ରଥଯାତ୍ରା ବନ୍ଦ ରହିବ ତା ପରେ ଯାଇଁ
କଳିଯୁଗ ଶେଷ ହେବାର ସମୟ ଆସିବ । ବର୍ତମାନ ପର୍ଯ୍ୟନ୍ତ ତ ରଥଯାତ୍ରା ଚାଲିଛି । ତେଣୁ କରୋନାରେ ଭୟଭୀତ ନହୋଇ ଘରେ ରହି ଆତ୍ମସମୀକ୍ଷା କରନ୍ତୁ, ଆମର କେଉଁ ଭୁଲ ଯୋଗୁଁ ପ୍ରକୃତି ଆମ
ଉପରେ ଏବେ ଦାଉ ସାଧୁଛି ।

(ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ)

Leave A Reply

Your email address will not be published.