ଶ୍ରୁତକୀର୍ତ୍ତି ତ୍ରିପାଠୀ
ସବୁଆଡେ ବଡଦିନର ଗହଳ ଚହଳ l ଘରେ ଘରେ ସଜାସଜି, ସୁସ୍ୱାଦୁ ଖାଇବା ଓ ଉତ୍ସବର ମାହୋଲ l ଯୀଶୁଙ୍କ ଆଗମନ ଅପେକ୍ଷାରେ ସମସ୍ତେ l ଚର୍ଚ୍ଚ ସବୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ l ସହରବାସୀ ରାତି ଉଜାଗର ରହି କ୍ରିସମସ ପାଳନ ସକାଶେ ସପରିବାର ଉତ୍ସାହର ସହିତ ସେଇ ମୁହୂର୍ତ୍ତ କୁ ଉପଭୋଗ କରିବା ପାଇଁ ପ୍ରସ୍ତୁତ l ହେଲେ ସହରତଳି ବସ୍ତିର ଏକ ଅନ୍ଧାର ଗଳି ଭିତରେ ଆଜବେଷ୍ଟସ ଏବଂ ଟାରପୋଲିନ ରେ ଛାଉଁଣି ଏକ ନିବୁଜ ଘର ଭିତରେ ଏକ ଡିବିରୀ ଜାଳି ସାଣ୍ଟା କୁ ଅପେକ୍ଷା କରିଛି ଡେଭିଡ଼ l କିଛି ଦିନ ହେଲା ସେ ଶୁଣି ଆସୁଛି ଯେ ବଡ଼ଦିନ ରେ ସାଣ୍ଟା ବୁଲି ବୁଲି ଛୁଆଙ୍କୁ ତାଙ୍କ ମନପସନ୍ଦ ର ଉପହାରସବୁ ବାଣ୍ଟିବେ l ଗୋଟିଏ ଛୋଟ କାଗଜରେ ନିଜ ଖୁସି ମୁତାବକ କିଛି ଜିନିଷର ନାଁ ଲେଖି, ତାକୁ ଗୋଟେ ମୋଜାରେ ପୁରେଇ ଘର ଦ୍ୱାର ମୁହଁରେ ଝୁଲେଇଦେଇଛି ଡେଭିଡ଼ lତାର ବିଶ୍ୱାସ ସାଣ୍ଟା ସେହି କାଗଜ ଟିକୁ ପଢି ତାର ଇପ୍ସିତ ଜିନିଷ ସବୁ ସକାଳ ହେବା ପୂର୍ବରୁ ତାକୁ ଦେଇଯିବେ l କେତେବେଳେ ବି ସେ ଆସିପାରନ୍ତି l ସେଇୟା ଭାବି ସନ୍ଧ୍ୟାରୁ ଅପେକ୍ଷା କରି ବସିଛି ସେ lମା ଯେତେ ଡାକିଲେ ଖାଇବାକୁ, ସେ ଜମା ଶୁଣୁନି l କାଳେ ସେ ଖାଇବାକୁ ଯାଇଥିବ ଏବଂ ଠିକ ସେହି ସମୟରେ ସାଣ୍ଟା ଆସି ଯଦି ପଳେଇଯିବେ ! ୬ ବର୍ଷର ନିରୀହ ପିଲାଟିଏ ସେ l ତା ମୁଣ୍ଡରେ କଣ ପଶୁଛି ଯେ ସାଣ୍ଟା କେବଳ ଗୋଟିଏ କାଳ୍ପନିକ ଚରିତ୍ର ଯେ କି ଛୁଆଙ୍କ ଖୁସି, ଆଶା ଓ ବିଶ୍ୱାସ ର ଏକ ପ୍ରତୀକ ମାତ୍ର l ଜଗି ଜଗି କେତେବେଳେ ସେଇଠି ହିଁ ଶୋଇପଡ଼ିଛି ଡେଭିଡ଼ l ମା ଆସି ଦେଖିଲେ ନିର୍ମାୟା ପିଲାଟି ମୁହଁରେ ଏବେବି ମଳିନ ପଡିନି ସାଣ୍ଟା ଆସିବାର ଉତ୍ସାହ ଓ ଆଶା l
ରାତି ହେଲାରୁ ଡେଭିଡ଼ର ବାପା ଷ୍ଟିଫେନ ଫେରିଲେ ଘରକୁ ଖାଲି ହାତରେ l ଏତେ ବଡ଼ ଉତ୍ସବ ଦିନରେ ମଧ୍ଯ ତାଙ୍କ ହାତରେ କିଛି ଟଙ୍କା ନ ଥିଲା l ରିକ୍ସା ଟାଣି ପେଟପୋଷନ୍ତି ସେ l ଅଟୋ, ଓଲା, ଉବର କ୍ୟାବ ର ଜମାନାରେ କିଏ ଭଲା ରିକ୍ସା ରେ ଯିବାକୁ ଆଉ ପସନ୍ଦ କରୁଛି? ଯଦି ବା କିଏ ଅଳ୍ପ ରାସ୍ତା ପାଇଁ ବସୁଛନ୍ତି, ଅଟୋ, କାର ସହିତ ତୁଳନା କରି କମ ପଇସା ଦେଉଛନ୍ତି l ତାଙ୍କ ଯୁକ୍ତି ଯେ ରିକ୍ସା ସେସବୁ ବାହାନ ତୁଳନାରେ ଡେରିରେ ପହଞ୍ଚାଏ ଓ ବେଶୀ ପଇସା ବି ନିଏ l ହେଲେ ରିକ୍ସା ଚାଳକର ପରିଶ୍ରମ ପ୍ରତି କାହାର ତିଳେ ହେଲେ ଖାତିର ନାହିଁ l ଘରେ ପହଞ୍ଚି ଡେଭିଡ଼ କଥା ପଚାରିଲାରୁ, ସ୍ତ୍ରୀ କହିଲେ ଯେ ସେ ସନ୍ଧ୍ୟା ଟାରୁ ଅପେକ୍ଷା କରିଛି ସାଣ୍ଟା ତା ଉପହାର ପାଇଁ l କିଛି ନ ଖାଇ ନ ପିଇ ସେମିତି ଶୋଇ ପଡିଛି l ବହୁତ ମନ ଦୁଃଖ କଲେ ଷ୍ଟିଫେନ, ଆଜି ଭଳି ଦିନଟିରେ ମଧ୍ୟ ସେ ତାଙ୍କ ପୁଅର ଛୋଟ ଇଚ୍ଛାଟିଏ ପୁରା କରିପାରିଲେନି l
ପୁଣିଥରେ ଘରୁ ବାହାରିଗଲେ ସେ ରିକ୍ସା ନେଇ l ମନରେ ଯୀଶୁ ଙ୍କୁ ସୁମରଣା କରୁଥାନ୍ତି, ‘ ହେ ପ୍ରଭୁ ଗୋଟିଏ ତ ସଵାରୀ ମିଳିଯାଉ, କିଛି ପଇସା ମିଳିଗଲେ ପୁଅ ପାଇଁ କିଛି ନେଇ ଯିବାକୁ ହେବ, ନ ହେଲେ ତା ବିଶ୍ୱାସ ଓ ଭରସା ତୁଟି ଯିବ l ତା କୋମଳ ମନଟି ଦୁଃଖରେ ଆଘାତ ପାଇବ l ଘରୁ ଅଳ୍ପ ଦୂର ଯାଇଛନ୍ତି କି ନାହିଁ ଧଳା ସୁଟ, ଧଳା ପ୍ୟାଣ୍ଟ, ଧଳା ଟାଇ ପିନ୍ଧି ଖୁବ ସମ୍ଭ୍ରାନ୍ତ ଦେଖାଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ ପଛରୁ ଡାକ ପକେଇଲେ l ନିକଟସ୍ଥ ଚର୍ଚ୍ଚ ରେ ତାଙ୍କୁ ପହଞ୍ଚେଇ ଦେବାକୁ ସେ ଅନୁରୋଧ କରୁଥାନ୍ତି l ‘ ଅରକ୍ଷିତ କୁ ଦଇବ ସାହା ‘ ଭଳିଷ୍ଟିଫେନ ତୁରନ୍ତ ରାଜି ହୋଇଗଲେ ସଵାରୀ କୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚେଇବା ପାଇଁ l ରିକ୍ସା ରେ ବସୁ ବସୁ କହିଲେ ବ୍ୟକ୍ତି ଜଣକ, ‘ଯା ହଉ ତମେ ମୋତେ ମିଳିଗଲ, ନ ହେଲେ ଏବେ ଚାଲି ଚାଲି ଯାଇଥଲେ ମୋର ଖୁବ ଡେରି ହୋଇଥାନ୍ତା l ତମେ ଦେବଦୂତ ସାଜି ଆସିଲ, ନ ହେଲେ ସମସ୍ତେ ଆଜି ଉତ୍ସବ ପାଳନରେ ବ୍ୟସ୍ତ, କିଏ କାହିଁକି ଆସିବ ଏତେ ରାତିରେ ରିକ୍ସା ଚଲେଇବାକୁ?’
ଏମିତି କଥା ହଉ ହଉ ଚର୍ଚ୍ଚ ଆସିଗଲା l ବ୍ୟକ୍ତିଜଣକ ଓହ୍ଲେଇ ତାଙ୍କୁ ୫oo ଟଙ୍କିଆ ନୋଟଟିଏ ଯାଚିଲେ l ହେଲେ ମନା କଲେ ଷ୍ଟିଫେନ l କହିଲେ, ‘ ମୋର ତ ଏତେ ପାଉଣା ନୁହେଁ, ଏତେ ବଡ଼ ନୋଟ ଟିଏ ଦେଲେ; ମୋ ପାଖରେ ରେଜା ପଇସା ନାହିଁ ଯେ ମୁଁ ଆପଣଙ୍କୁ ଫେରେଇପାରିବି? ସକାଳୁ ଆପଣ ମୋର ପ୍ରଥମ ସଵାରୀ, ତେଣୁ କ୍ଷମା କରିବେ ମୋତେ ମୋ ପ୍ରାପ୍ୟ ହିଁ ଦିଅନ୍ତୁ, ସେତିକି ଯଥେଷ୍ଟ ମୋ ପାଇଁ l’ଭଦ୍ରବ୍ୟକ୍ତି ଜଣକ ଅତି ନମ୍ର ଓ ଶାନ୍ତ ଭାବରେ ବୁଝେଇଲେ, ଆଜି ବଡ଼ଦିନ, ଯୀଶୁଙ୍କ ଧରାବତରଣର ଦିନ l ମୁଁ ଯଦି ତମକୁ ପାଇଁ ନ ଥାନ୍ତି, ମୋର ଆସିବାରେ ଡେରି ହୋଇ ଯାଇଥାନ୍ତା l ଯୀଶୁ ପରା କହିଛନ୍ତି, ‘ ସମସ୍ତଙ୍କୁ ସାହାଯ୍ୟ ଓ ସେବା ହିଁ ପ୍ରକୃତ ମାନବ ଧର୍ମ ‘ l ‘ଆଜି ତମର ଏଇ ସାହାଯ୍ୟ ଯୀଶୁଙ୍କ ଆଶୀର୍ବାଦ ନୁହେଁ କି? ତୁମେ ଦୟାକରି ମନା କର ନି l ନିଅ, ଏହା ଜଗତକର୍ତ୍ତା ଙ୍କ ଆଦେଶ ଭାବି ଏହାକୁ ଖୁସିରେ ଗ୍ରହଣ କର l’
ଷ୍ଟିଫେନ ଖୁସିରେ ଆତ୍ମହରା ହୋଇ ଉଠୁଥାନ୍ତି l ସକାଳୁ ଯେଉଁ କାରଣ ପାଇଁ ତାଙ୍କ ମନ ଏତେ ବିଷାଦମୟ ଥିଲା, ତାର କି ଆଶ୍ଚର୍ଯ୍ୟଜନକ ସମାଧାନ ବାହାର କରିଦେଲା ନିୟତି l ଭଦ୍ରବ୍ୟକ୍ତିଙ୍କ ହାତରୁ ପଇସା ନେଇ ପକେଟ ରେ ପୁରେଇଲେ ସେ l ଧନ୍ୟବାଦ ଜଣେଇବା ପାଇଁ ସେ ତାଙ୍କୁ ଖୋଜିଲା ବେଳକୁ ଆଖପାଖରେ କେଉଁଠି ବି ସେ ନ ଥିଲେ l ଆକସ୍ମିକ ଭାବରେ ଏମିତି ଅଦୃଶ୍ୟ ହୋଇଯିବା ପଛରେ ତାଙ୍କ ମନରେ ଅନେକ ସନ୍ଦେହ ଜାତ ହେଲା l ଜଣେ ଏତେ ଶୀଘ୍ର କେମିତି ତାଙ୍କ ଦୃଷ୍ଟି ଅନ୍ତରାଳକୁ ଚାଲିଯାଇପାରେ, ସେ ପ୍ରଶ୍ନ ତାଙ୍କୁ ବିବ୍ରତ କରିବାରେ ଲାଗିଲା l କିନ୍ତୁ ପରକ୍ଷଣରେ ଡେଭିଡ଼ ର ମୁହଁ ମନେ ପଡିଗଲା l ଶୀଘ୍ର ପକେଟରୁ କାଢ଼ିଲେ ତା ହାତଲେଖା ଲିଷ୍ଟ, ଯାହା ସେ ସାଣ୍ଟା ଉଦ୍ଦେଶ୍ୟରେ ଲେଖିଥିଲା l ଏତେ ରାତିରେ କିଛି ଦୋକାନ ଖୋଲା ନ ଥିଲା, ତେଣୁ ସେ ଲେଖିଲେ କାଗଜ ରେ ଗୋଟିଏ ଚିଠି l ଯେଉଁଠି ଲେଖାଥିଲା, ‘ବାପାଙ୍କ ସହିତ ଯାଇ ତୁମେ ଇଚ୍ଛା କରୁଥିବା ଜିନିଷ ଟି ନିଜେ ଯାଇ ପସନ୍ଦ କରି ନେଇଆସ l ‘
ସକାଳ ହେଲାରୁ ଡେଭିଡ଼ ସବୁଠୁ ଆଗେ ଆସିଲା ସେ ମୋଜା ଦେଖିବାକୁ, ଯାହା ସେ ସାଣ୍ଟା ଉଦ୍ଦେଶ୍ୟରେ ବାନ୍ଧିଥିଲା l ସାଣ୍ଟା ର ଚିଠି ପାଇ ଦୌଡ଼ିଗଲା ବାପା ଙ୍କ ପାଖକୁ ‘ ବାପା ସାଣ୍ଟା କାଲି ଆସିଥିଲେ, ହେଲେ ମୁଁ ଶୋଇ ଯାଇଥିଲି l ଦେଖ ସେ ଏହି ଚିଠି ଟି ମୋ ପାଇଁ ଦେଇଛନ୍ତି l’ କିଛି ନ ଜାଣିଲା ପରି ଅଭିନୟ କରି ଡେଭିଡ଼ ହାତରୁ ଚିଠିଟି ନେଇ ପଢିଲେ ଷ୍ଟିଫେନ l ତା ପରେ ଦୁଇଜଣ ମିଶି ଡେଭିଡ଼ ଇଚ୍ଛା କରିଥିବା ଜିନିଷ କିଣିବାକୁ ବାହାରିଗଲେ lରାସ୍ତାରେ ଡେଭିଡ଼ ପଚାରିଲା, ‘ବାପା ସତରେ କଣ ସାଣ୍ଟା ଆସନ୍ତି ସମସ୍ତଙ୍କୁ ଉପହାର ଦେବା ପାଇଁ, ମୋ ଭଳି ଛୁଆ ମାନଙ୍କର ଇଚ୍ଛା ପୂରଣ କରିବା ପାଇଁ? ମୋତେ କାହିଁକି ଜମା ବିଶ୍ୱାସ ହଉନି, ମୁଁ ତ ଶୋଇପଡ଼ିଥିଲି ନା? ‘
ଷ୍ଟିଫେନ ବୁଝେଇଲେ, ‘ ସାଣ୍ଟା କେବଳ ଏକ ଚରିତ୍ର ନୁହେଁ ଡେଭିଡ଼, ସେ ଏକ ଆଶା, ଏକ ବିଶ୍ୱାସ l କାହାକୁ କେଉଁ ରୂପରେ ଦେଖାଦେବେ, କେହି ବି ଜାଣି ପାରିବେନି l କାଲି ଅକସ୍ମାତ ଆସି ସାହାଯ୍ୟର ହାତ ଟିଏ ବଢ଼େଇ ଦେଇଥିବା ସେଇ ଭଦ୍ର ବ୍ୟକ୍ତିଜଣକ ମୋ ପାଇଁ ସାଣ୍ଟା ଠାରୁ କିଛି କମ ନ ଥିଲେ l ନ ହେଲେ ଯେଉଁଠି ଲୋକ କାର, ଅଟୋ ରେ ଯିବାକୁ ବେଶୀ ଇଚ୍ଛା କରନ୍ତି, ସେଇଠି ସେହି ଦୟାଳୁ ବ୍ୟକ୍ତିଜଣକ ମୋ ରିକ୍ସା କୁ ହିଁ କାହିଁକି ବାଛିନେଲେ ମାଧ୍ୟମ ରୂପରେ !
‘ମୋ ସାଣ୍ଟା ତ ମୋତେ ଆସି ମୋ ଉପହାର ଦେଇଗଲେ, ଠିକ ସେମିତି ତୋ ସାଣ୍ଟା ବି ନିଶ୍ଚୟ ଆସିଥିବେ..l ‘ଡେଭିଡ଼ ନିଜ ଆଖପାଖରେ ଚାଲିଯାଉଥିବା କିଛି ଲୋକଙ୍କୁ ଆଶାୟୀ ଦୃଷ୍ଟିରେ ଚାହିଁରହିଥାଏ l ବୋଧେ ମନେ ମନେ ସେମାନଙ୍କ ଭିତରୁ ସାଣ୍ଟା କୁ ଖୋଜି ହଉଥାଏ ତାର ନିରୀହ ଆଖି ଦୁଇଟି !!!
Comments are closed.