ପୁରୀ: ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ । ଚଳିତବର୍ଷ ମାସେ ଧରି ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି ପୁରୀରେ ଏକ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା । ଗୁଣ୍ତିଚା ମନ୍ଦିରଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଭିଆଇପି ରୋଡ୍, ସ୍ୱର୍ଗଦ୍ୱାର ଦେଇ ଟାଉନ୍ ହଲ୍ ଯାଏ ଯାଇଥିଲା । ଏଥିରେ ନିଜେ ଜିଲ୍ଲାପାଳ ସାମିଲ ହୋଇଥିଲେ ।
ଏହାସହ ସଡ଼କ ସୁରକ୍ଷା ରଥର ମଧ୍ୟ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲିବା ସହ ସଡକ ସୁରକ୍ଷା ବାର୍ତ୍ତା ବାଣ୍ଟିବ । ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଗାଡି ଚାଳନା ଉପରେ ଜିଲ୍ଲାପାଳ ଓ ଅତିଥିମାନେ ଗୁରୁତ୍ୱ ଦେଇଥିଲେ ।
ସଡ଼କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ବ୍ଲକରେ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ସେହିପରି ଆସନ୍ତା ୨୧ରୁ ୨୩ ତାରିଖ ଯାଏ ସଡକ ସୁରକ୍ଷା ଉପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସକାଳ ୮ରୁ ସନ୍ଧ୍ୟା ୫ଟା ଯାଏ ୱାଲ ପେଣ୍ଟି ପ୍ରତିଯୋଗିତା ଆୟୋଜନ କରାଯାଇଛି ।
ଆସନ୍ତା ୨୪ ତାରିଖରେ ସକାଳ ସମୟରେ ଗାନ୍ଧିଘାଟ ନିକଟରେ ପଥପ୍ରାନ୍ତ ନାଟକ, ନାଗାମେଢ, ଗୋଟିପୁଅ ନାଚ, ଦସ୍ତଖତ ଅଭିଯାନ, ବାଲୁକା କଳା ସହ ସଡକ ସୁରକ୍ଷା ନିୟମ ପାଳନ ଏବଂ ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ ।
ସଡକ ସୁରକ୍ଷା ଉପରେ ହୋଡିଂ ଲଗାଯିବା ସହ ୧୦ ହଜାର ପ୍ରଚାରପତ୍ର ବଣ୍ଟାଯାଇ ସଚେତନତା ସୃଷ୍ଟି କରାଯିବ । ଚକ୍ରତୀର୍ଥ ରୋଡରୁ ନେତାଜୀ ଛକ ପର୍ଯ୍ୟନ୍ତ ୨୦ଟି ସଡକ ସଚେତନାତା କିଓସ୍କ ପ୍ରଦର୍ଶିତ କରାଯାଇଛି । ଆଜିଠାରୁ ପୋଲିସ ସ୍କାଡ୍ ସହ ମିଶି ମିଳିତ ଭାବେ ଯାଞ୍ଚ କରାଯାଇ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Comments are closed.