ପୁରୀ: ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ଜଣେ ନାବାଳକ ବାଇକ ଚଳାଇ ଫସିଛନ୍ତି। ନାବାଳକ ଜଣକ ବାଇକ ଚଳାଇ ଯାଉଥିବା ବେଳେ ପୁରୀ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟ ଠାରେ ଧରାପଡିଥିଲେ। ପରେ ଟ୍ରାଫିକ ପୋଲିସ ଆରଟିଓଙ୍କୁ ଜଣାଇଥିଲେ।
ଘଟଣାସ୍ଥଳରେ ଆରଟିଓ ବିଭାଗର ଟ୍ରାଫିକ ଏଏସଆଇ ସୁଶାନ୍ତ କୁମାର ପାତ୍ର ପହଞ୍ଚି ନାବାଳକ ଠାରୁ ବାଇକ (ଓଆର ୦୨ ବିକ୍ୟୁ ୭୧୮୮)କୁ ଜବତ କରିଥିଲେ। ନାବାଳକ ବାଇକ ଚଳାଇବା ନେଇ ଫାଇନ ଭାବେ ୨୫ ହଜାର ଟଙ୍କା ଚାଲାଣ କଟା ଯାଇଥିବା ବେଳେ ଉକ୍ତ ବାଇକର ପଲ୍ୟୁସନ ସାର୍ଟିଫିକେଟ ନ ଥିବା ଜଣାପଡିଥିଲା।
ପରେ ଏଥିପାଇଁ ୧୦ ହଜାର ଓ ଇନ୍ସୁରାନ୍ସ ନ ଥିବା ହେତୁ ୨ ହଜାର ଟଙ୍କା ଫାଇନ କଟା ଯାଇଥିଲା। ମୋଟ ୩୭ ହଜାର ଟଙ୍କା ଡିପୋଜିଟ କଲେ ନାବାଳକର ଅଭିଭାବକ ଉକ୍ତ ବାଇକକୁ ଆରଟିଓ ଠାରୁ ପାଇବେ ବୋଲି କହିଛନ୍ତି ଟ୍ରାଫିକ ଆଇଆଇସି ଗୋକୁଳ ରଂଜନ ଦାସ।
ଅନ୍ୟପଟେ ନାବାଳକର ନାମ ଆରଟିଓ ଡାଟାବେସ ସିଷ୍ଟମରେ ଏଣ୍ଟ୍ରି କରାଯାଇଛି। ଏପରିକି ତାଙ୍କୁ ୧୮ ବର୍ଷ ବୟସ ବଦଳରେ ୨୫ ବର୍ଷ ବୟସ ଯାଏଁ ଡିଏଲ ମିଳିବ ନାହିଁ ବୋଲି କହିଛନ୍ତି ଟ୍ରାଫିକ ଆଇଆଇସି। ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ମଧ୍ୟ ପୁରୀରେ ଜଣେ ନାବାଳକ ବାଇକ ଚଳାଇଥିବାରୁ ୨୫ ହଜାର ଟଙ୍କା ଫାଇନ କରାଯାଇଥିଲା। ଯାହାକି ବେଶ ଚର୍ଚ୍ଚାର ବିଷୟ ହୋଇଥିଲା।
Comments are closed.