Latest Odisha News

BREAKING NEWS

‘ମୋ କଲେଜ’ ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକ, ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସହିତ କଥାହେଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କୁ ସେମାନଙ୍କର ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନବ ପରିକଳ୍ପନା ‘ମୋ କଲେଜ’ । ଏହା ମାଧ୍ୟମରେ ରାଜ୍ୟରେ ଉଚ୍ଚଶିକ୍ଷା ଭିତ୍ତିଭୂମିକୁ ଅଧିକ କ୍ରିୟାଶୀଳ କରିବା ସହିତ ଯୁବପିଢ଼ିମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ମନୋଭାବକୁ ବୃଦ୍ଧି କରିବା ଓ ଦେଶ ଗଠନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନ କରାଇବା ଦିଗରେ ଏହା ଏକ ସମୁଚିତ ପଦକ୍ଷେପ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନ ଆନୁକୂଲ୍ୟରେ ରାଜ୍ୟର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସହିତ ୱେବିନାର ମାଧ୍ୟମରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଛନ୍ତି- ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ଦେଶ ବିଦେଶରେ ରହୁଥିବା ପୁରାତନ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ସହଯୋଗ କରିବା ସହିତ ଭାବଗତ ଭାବେ ଯୋଡ଼ି ହୋଇ ରହିବେ ।

ୱେବିନାର୍‌ରେ ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଉଦ୍‌ବୋଧନ ଦେବା ଅବସରରେ କହିଲେ ‘ମୋ କଲେଜ’ ଅଭିଯାନ ଏକ ବ୍ୟାପକ ଚିନ୍ତାଧାରା । ଏହା ମାଧ୍ୟମରେ ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଶିକ୍ଷା ଓ ସାମାଜିକ ପରିବେଶରେ ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ଓ ଜୀବନ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ‘ମୋ କଲେଜ’ ଅଭିଯାନକୁ ଅଧିକ କ୍ରିୟାଶୀଳ କରାଯାଇଛି ଏବଂ ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନ ଗଠନ କରାଯାଇଛି । ‘ମୋ କଲେଜ’ ଅଭିଯାନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ବଜେଟ୍‌ରେ ଓଡ଼ିଶା ସରକାର ଏକ କର୍ପସ ପାଣ୍ଠି ଗଠନ କରିଛନ୍ତି ବୋଲି ଉଚ୍ଚଶିକ୍ଷା ସଚିବ ମିଶ୍ର କହିଥିଲେ । ୱେବିନାର୍‌ ମାଧ୍ୟମରେ ରାଜ୍ୟର ସମସ୍ତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ଯୋଗଦେଇଥିଲେ ।

Leave A Reply

Your email address will not be published.